ନୂଆଦିଲ୍ଲୀ ୯।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ରେଡ ୱାରର ପ୍ରଭାବ ଭାରତ ଉପରେ ମଧ୍ୟ ପଡିବ। ଆମେରିକା ପକ୍ଷରୁ ଭାରତ ଉପରେ ଲାଗୁ କରାଯାଇଥିବା ୨୬% ରେସିପ୍ରୋକାଲ ଟାରିଫ ୯ ଏପ୍ରିଲ ବୁଧବାର ଲାଗୁ ହୋଇଯାଇଛି। ଆଶଙ୍କା କରାଯାଉଛି ଏହାର ପ୍ରଭାବ ଆଭୂଷଣ ଉପରେ ପଡିପାରେ। ଏହା ଛଡା ଇଲେକ୍ଟ୍ରୋନିକ୍ସ, ଅଟୋ ପାର୍ଟସ ସମେତ ବିଭିନ୍ନ ଜିନିଷ ଉପରେ ମଧ୍ୟ ଏହି ଟାରିଫର ପ୍ରଭାବ ପଡିବ।
ତେବେ ଖାସ କଥା ହେଉଛି ଆମେରିକା ପ୍ରଥମେ ଆମଦାନୀ ଶୁଳ୍କ ୨୭%ରେ ଧାର୍ଯ୍ୟ କରିଥିଲା, ଯାହାକୁ ପରେ ହ୍ରାସ କରାଯାଇ ୨୬% କରିଛି। ଟ୍ରମ୍ପଙ୍କ ଚାର୍ଟ ଅନୁସାରେ ଭାରତ ୫୨% ଶୁଳ୍କ ଅସୁଲ କରୁଛି। ଏବେ ଆମେରିକା ଭାରତଠାରୁ ୨୬% ଜବାବୀ ଟାରିଫ ଅସୁଲ କରିବ। ଏହି ୨୬% ଶୁଳ୍କ ଆମେରିକାରେ ଭାରତୀୟ ସାମଗ୍ରୀ ଉପରେ ଲାଗୁ ହେଉଥିବା ଶୁଳ୍କ ଠାରୁ ପୃଥକ। ତେବେ ପ୍ରସଙ୍ଗରେ ଭାରତ ସାବଧାନତାର ସହ ଅଗ୍ରସର ହେଉଥିବାର ଦେଖାଯାଉଛି।
ଭାରତ ପକ୍ଷରୁ ଆମେରିକା ବିପକ୍ଷରେ ଜବାବୀ ଟାରିଫ ଲଗାଇବାର କୌଣସି ଯୋଜନା ନାହିଁ। ଏ ନେଇ ଏ ପର୍ଯ୍ୟନ୍ତ ଅଧିକାରୀକ ଭାବେ କିଛି କୁହାଯାଇ ନାହିଁ। ଆମେରିକା ୨୦୨୧-୨୨ରୁ ଆରମ୍ଭ କରି ୨୦୨୩-୨୪ ପର୍ଯ୍ୟନ୍ତ ଭାରତରୁ ସବୁଠୁ ବଡ଼ ବ୍ୟବସାୟୀକ ଭାଗିଦାର ଥିଲା। ଭାରତର ମୋଟ ରପ୍ତାନୀରେ ଆମେରିକାର ଭାଗିଦାରୀ ପାଖାପାଖି ୧୮%, ସେହିପରି ଆମଦାନୀ ୬.୨୨% ହୋଇଥିବା ବେଳେ ଦ୍ୱିପାକ୍ଷୀୟ ବ୍ୟବସାୟ ୧୦.୭୩ ପ୍ରତିଶତ ରହିଛି।