ବାପାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କଲେ, ସଂଘର୍ଷକୁ ବଦଳାଇଦେଲେ ସଫଳତାରେ

Published By : Prameya-News7 Bureau | December 29, 2024 IST

ନୂଆଦିଲ୍ଲୀ ୨୯/୧୨: ରେକର୍ଡ କରିଛି ବକ୍ସିଂ ଡେ’ ଟେଷ୍ଟ । ସମ୍ନାନ ରଖିଲେ, ବଞ୍ଚାଇଦେଲେ ଇଜ୍ଜତ । ଅସମ୍ଭବକୁ ସମ୍ଭବ କଲେ ୨୧ ବର୍ଷୀୟ ଯୁବ ଅଲ୍‌ରାଉଣ୍ଡର । କଙ୍ଗାରୁଙ୍କୁ ଚେକ୍ ଦେଇ ଟିମ୍‌ର ଅବିଶ୍ୱସନୀୟ ପ୍ରତ୍ୟାବର୍ତ୍ତନ । ମେଲବର୍ଣ୍ଣରେ ଦେଖିବାକୁ ମିଳିଥିଲା ନୀତିଶ ଜଲଓ୍ୱା । ସର୍ବବୃହତ୍‌ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଶତକୀୟ ପାଳି ବଳରେ ବିପର୍ଯ୍ୟୟରୁ ଉଦ୍ଧାର ହୋଇଛି ଭାରତ । 

ଏବେ ସେ ଫ୍ୟୁଚର ସୁପରଷ୍ଟାର । ତାଙ୍କ ଶତକୀୟ ପାଳି ଆଗରେ ନତମସ୍ତକ ସାରା କ୍ରିକେଟ ଜଗତ । ଏବେ ସବୁରି ମୁହଁରେ ନୀତିଶ ରେଡ୍ଡିଙ୍କ ପ୍ରଶଂସା । କେବଳ କ୍ରିକେଟ ଜଗତ ନୁହେଁ ସୁପରଷ୍ଟାରଙ୍କ ବାପା ବି ଗର୍ବୀତ । ତାହା ଜଣାପଡୁଥିଲା ତାଙ୍କ ମୁହଁରୁ । ଯୋଗ୍ୟ ବାପାର ସନ୍ତାନ ଭାବେ ଛାତି ଫୁଲାଇ କହୁଥିଲେ ନୀତିଶଙ୍କ ବାପା । ବାପା ନୁହେଁ ଲିଜେଣ୍ଡ କ୍ରିକେଟର ବି ପୋତି ପକାଇଛନ୍ତି ପ୍ରଶଂସାରେ ।

ନୀତିଶଙ୍କ ଉଭୟ ଅର୍ଦ୍ଧଶତକ ଓ ଶତକ ସେଲିବ୍ରେସନ ଥିଲା ଜବରଦସ୍ତ । ଅର୍ଦ୍ଧଶତକ ଅର୍ଜନ ପରେ ନୀତିଶ ବନିଯାଇଥିଲେ ‘ପୁଷ୍ପାରାଜ’ । ଅଲ୍ଲୁ ଅର୍ଜୁନଙ୍କ ଆଇକନିକ୍‌ ଷ୍ଟାଇଲ୍‌ରେ କହିଥିଲେ ଝୁକେଗା ନେହଁ । ଠିକ୍‌ ସେହିପରି ଶତକ ସେଲିବ୍ରେସନ ଥିଲା ବି ବେଶ୍ ଦମ୍‌ଦାର । ଶତକ ମାରି ‘ବାହୁବଳୀ’ ପ୍ରଭାସଙ୍କ ଷ୍ଟାଇଲରେ ଜାହିର କରିଥିଲେ ଖୁସି । 


ହେଲମେଟ୍‌ କାଢି ବ୍ୟାଟ୍‌ର ହ୍ୟାଣ୍ଡେଲ ଉପରେ ରଖି ଆକାଶକୁ ଆଙ୍ଗୁଳି ଉଠାଇ ଭାରତୀୟ କ୍ରିକେଟ୍‌ରେ ନୂଆ ତାରକାଙ୍କ ଆବିର୍ଭାବ ହୋଇ ସାରିଥିବାର ସଂକେତ ଦେଇଥିଲେ । ତେବେ ଦୂରରୁ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସ କରତାଳି ଦେଇ ନୀତିଶଙ୍କ ଇନିଂସକୁ ପ୍ରଶଂସା କରିଥିଲେ । କାରଣ ନୀତିଶ ହେଉଛନ୍ତି ଆଇପିଏଲ୍‌ରେ କମିନ୍ସଙ୍କ SRHର ଜଣେ ଖେଳାଳି ।  

ତେବେ ନୀତିଶଙ୍କ ରେକର୍ଡରେ ସବୁଠୁ ଅଧିକ ଖୁସି ଥିଲେ ବାପା । ଦର୍ଶକ ଗ୍ୟାଲେରୀରେ ବସି ପୁତ୍ରର ବ୍ୟାଟିଂ ଦେଖୁଥିବା ପିତାଙ୍କ ବୋହିଆସିଥିଲା ଅଜସ୍ର ଅସ୍ରୁ । ତେବେ ଏହି ଲୁହ ନଥିଲା ଦୁଃଖର, ଥିଲା ସେଲିବ୍ରେସନର । ଅଷ୍ଟ୍ରେଲିଆ ସମର୍ଥକ ଚାରିପଟେ ଘେରି ରହି ପୁତ୍ରର ସଫଳତା ପାଇଁ ଜଣାଉଥିଲେ ଅଭିନନ୍ଦନ । କାରଣ ପୁଅର ଏହି ସଫଳତା ପଛରେ ଥିଲା ବାପାଙ୍କ ତ୍ୟାଗ ଓ ବଳିଦାନ । 

ସନ୍ତାନର ସ୍ୱପ୍ନ ପୂରଣ କରିବା ପାଇଁ ବାପା ତ୍ୟାଲା ରେଡ୍ଡୀ ଦିନେ ଚାକିରି ଛାଡ଼ିଥିଲେ । ଆଜି ତାଙ୍କ ପରିଶ୍ରମର ମୂଲ୍ୟ ଦେଇଥିଲେ ନୀତିଶ । ନୀତିଶଙ୍କ ଶତକ ଆଗରେ ଆଜି ଅଷ୍ଟ୍ରେଲିଆର ବୋଲିଂ ବିଭାଗ ମୁଣ୍ଡ ନୁଆଁଇଥିଲା । ଯୁବରାଜ ସିଂହଙ୍କ ଅବସର ପରେ ଭାରତୀୟ ଦଳରେ ‘ମ୍ୟାଚ୍‌ ୱିନର’ଙ୍କ ଅଭାବ ରହିଥିଲା । ନୀତିଶ ଏହି ଇନିଂସ ବଳରେ ଆଗାମୀ ଦିନରେ ଯୁବରାଜଙ୍କ ଶୂନ୍ୟସ୍ଥାନ ପୂରଣ କରିପାରିବେ ବୋଲି ପ୍ରମାଣ କରିଦେଇଛନ୍ତି ।

୬ ବର୍ଷ ତଳେ ବାପାଙ୍କୁ ଦେଇଥିଲେ ପ୍ରତିଶୃତି । କହିଥିଲେ ଦିନେ ମୋ ପାଇଁ ତମ ଗର୍ବ କରିବ । ତମକୁ ମୁଂ ଦେବି ନୂଆ ପରିଚୟ । ଆଉ ୬ ବର୍ଷର ପ୍ରତିଶୃତି ପୂରଣ କରିଛନ୍ତି ଅଷ୍ଟ୍ରେଲିଆ ମାଟିରେ । ଆନ୍ଧ୍ର ପ୍ରଦେଶର କୁରନୁଲର କ୍ରିକେଟ ପଡ଼ିଆରୁ ଆଇପିଏଲ ଷ୍ଟାରଡ୍ରମ। ଏହାପରେ ଭାରତୀୟ ଟିମରେ ପହଞ୍ଚିଥିଲେ ନୀତୀଶ କୁମାର ରେଡ୍ଡୀ। ୨୦୨୪ରେ ସନ ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଆଇପିଏଲରେ ନିଜର ଜଲୱା ଦେଖାଇଥିଲେ। 

ଆଇପିଏଲ ପ୍ରଦର୍ଶନ ଆଧାରରେ ତାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଥିଲା। ଏବେ ବର୍ଡର-ଗାଭାସ୍କର ଟ୍ରଫିରେ ତାଙ୍କୁ ବିରାଟ କୋହଲିଙ୍କ ହାତରୁ ଟେଷ୍ଟ କ୍ୟାପ ମିଳିଥିଲା। ପ୍ରଥମ ମ୍ୟାଚ୍‌ରୁ ସେ ସମସ୍ତଙ୍କୁ ପ୍ରଭାବିତ କରି ଚାଲିଥିଲେ। ଏବେ ସୁଯୋଗ ମିଳିବା ମାତ୍ରେ ମେଲବର୍ଣ୍ଣର ଶତକ ମାରିଛନ୍ତି ସେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.