ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟିଲେ ଭାରତୀୟ କ୍ରିକେଟ ଟିମ୍ର ଯୁବ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ। ସେ ତାଙ୍କ ବାପା ମୁଥ୍ୟାଲା ରେଡ୍ଡୀଙ୍କ ସହିତ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କୁ ଅଫିସ୍କୁ ଯାଇ ତାଙ୍କୁ ସାକ୍ଷାତ୍କାର କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଷ୍ଟ୍ରେଲିଆରେ ଡେବ୍ୟୁ ଟେଷ୍ଟ ସିରିଜରେ ଚମତ୍କାର ପ୍ରଦର୍ଶନ ପାଇଁ ନୀତୀଶଙ୍କୁ ସମ୍ମାନିତ କରିଛନ୍ତି। ୨୫ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି।
ଏନେଇ ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି “ଦକ୍ଷ ଓ ଯୁବ ଓ ଆମ ନିଜର କ୍ରିକେଟର ନୀତିଶ କୁମାର ରେଡ୍ଡୀଙ୍କୁ ଭେଟିଲି। ଆଜି ନୀତୀଶ ତେଲୁଗୁ ସମ୍ପ୍ରଦାୟର ଏକ ଉଜ୍ଜ୍ୱଳ ତାରକା, ଯିଏ ବିଶ୍ୱ ସ୍ତରରେ ଭାରତ ପାଇଁ ଗର୍ବ ଆଣି ପାରିଛନ୍ତି। ତାଙ୍କ କ୍ରିକେଟ୍ ଯାତ୍ରାରେ ଅତୁଟ ସମର୍ଥନ ପାଇଁ ତାଙ୍କ ବାପାମାଙ୍କୁ ମଧ୍ୟ ମୁଁ ଖୁବ୍ ପ୍ରଶଂସା କରୁଛି। ଆଗକୁ ଆହୁରି ଶତକ ମାରନ୍ତୁ ଓ ଆଗାମୀ ବର୍ଷଗୁଡ଼ିକରେ ଅନେକ ସଫଳତା ପାଅନ୍ତୁ ଏହା ମୋର କାମନା।”
ଏହା ପୂର୍ବରୁ ଅଷ୍ଟ୍ରେଲିଆ ସିରିଜ୍ ପରେ ନୀତୀଶ ରେଡ୍ଡୀ ତିରୁପତି ମନ୍ଦିର ଯାଇଥିଲେ, ଏବଂ ଆଣ୍ଠେଇ ଆଣ୍ଠେଇ ସେ ପାହାଚ ଚଢ଼ିଥିଲେ। ଯାହାର ଭିଡିଓ ସେ ଇନଷ୍ଟାରେ ବି ଶେୟାର କରିଥିଲେ। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିରେ ନୀତୀଶ ରେଡ୍ଡୀ ନିଜର ଚମତ୍କାର ପ୍ରଦର୍ଶନ କରିଥିଲେ। ଏହାସତ୍ତ୍ୱେ ବି ରୋହିତଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଦଳ ପାଞ୍ଚଟି ଟେଷ୍ଟରେ ୧-୩ରେ ପରାସ୍ତ ହୋଇଥିଲା।
ପୂର୍ବରୁ ରେଡ୍ ବଲ୍ରେ କୌଣସି ଅଭିଜ୍ଞତା ନଥିବା ସତ୍ତ୍ୱେ ମଧ୍ୟ ସମସ୍ତ ପାଞ୍ଚଟି ଟେଷ୍ଟ ମ୍ୟାଚ୍ ଖେଳି ନୀତୀଶ ଭାରତର ଦ୍ୱିତୀୟ ସର୍ବାଧିକ ସ୍କୋର କରିଥିବା ବ୍ୟାଟର ହୋଇଥିଲେ।ସେ ପ୍ରାୟତଃ ଅଷ୍ଟମ ନମ୍ବରରେ ବ୍ୟାଟିଂ କରିବାକୁ ଆସି ୩୭.୨୫ ହାରରେ ୨୯୮ ରନ୍ ସଂଗ୍ରହ କରିଥିଲେ।
ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ (ଏମସିଜି)ରେ ସେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳୁଥିବା ବେଳେ ଚମତ୍କାର ପ୍ରଦର୍ଶନ କରିଥିଲେ। ପ୍ରଥମ ଟେଷ୍ଟ ମ୍ଯାଚ୍ରେ ୧୧୪ ରନ୍ କରିଥିଲେ। ତାଙ୍କର ଏହି ସଫଳତା ବେଳେ ତାଙ୍କ ପରିବାର ତାଙ୍କ ବାପା ମୁଥିୟାଲୁ ରେଡ୍ଡୀ, ମାତା ମାନସା, ଭଉଣୀ ତେଜସ୍ୱୀ ଏବଂ ମାମୁ ସୁରେନ୍ଦ୍ର ସମସ୍ତେ ଉପସ୍ଥିତି ରହିଥିଲେ।
କେବଳ ବ୍ୟାଟିଂ ନୁହେଁ ବୋଲିଂରେ ବି ଭଲ ପ୍ରଦର୍ଶନ କରିଥିଲେ ନୀତୀଶ। ୪୪ ଓଭରରେ ପାଞ୍ଚଟି ୱିକେଟ୍ ନେଇଥିଲେ। ମାତ୍ର ୩୨ ରନ୍ ଦେଇ ୨ ୱିକେଟ୍ ନେବା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଅଷ୍ଟ୍ରେଲିଆରୁ ସେ ବିଶାଖାପାଟନମ୍ ଫେରିବା ପରେ ତାଙ୍କ ପ୍ରଶଂସଙ୍କ ସହିତ ପୂରା ଆନ୍ଧ୍ରପ୍ରଦେଶ ତାଙ୍କୁ ସଙ୍ଖୋଳି ନେଇଥିଲା।