ମିଳିଲାନି କୌଣସି ପ୍ରମାଣ; ଜମି ଦୁର୍ନୀତି ମାମଲାରେ ସିଦ୍ଦରମୈୟାଙ୍କୁ ମିଳିଲା କ୍ଲିନ ଚିଟ୍

Published By : Prameya-News7 Bureau | February 19, 2025 IST

N ews7

ବେଙ୍ଗାଲୁରୁ: ମହୀଶୂର ସହରାଞ୍ଚଳ ବିକାଶ ପ୍ରାଧୀକରଣ(ଏମୟୁଡିଏ) ସହ ଜଡ଼ିତ ଏକ ଜମି ଦୁର୍ନୀତି ମାମଲାରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ବଡ଼ ଆଶ୍ଵସ୍ତି ମିଳିଛି। ଏହି ମାମଲାରେ ଲୋକାୟୁକ୍ତ ସିଦ୍ଦରମୈୟାଙ୍କ ସହ ତାଙ୍କ ପତ୍ନୀ ପାର୍ବତୀ ସମେତ ଅନ୍ୟଙ୍କୁ କ୍ଲିନ ଚିଟ୍ ପ୍ରଦାନ କରିଛନ୍ତି। ଏହି ସମସ୍ତଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା। ଏପରିକି ମାମଲା ସାମ୍ନାକୁ ଆସିବା ପରେ ସିଦ୍ଦରମୈୟାଙ୍କ ଉପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଚାପ ବଢିବାରେ ଲାଗିଥିଲା। କିନ୍ତୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ରାଜି ହୋଇ ନ ଥିଲେ। 

କର୍ଣ୍ଣାଟକ ଲୋକାୟୁକ୍ତ ପୋଲିସର କହିବା କଥା ଅଭିଯୁକ୍ତ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, ତାଙ୍କ ପତ୍ନୀ ଓ ଅନ୍ୟଙ୍କ ବିରୋଧରେ ପ୍ରମାଣର ଅଭାବ ରହିଛି। ଅଭିଯୁକ୍ତମାନଙ୍କ ବିରୋଧରେ କୌଣସି ପ୍ରମାଣ ନ ମିଳିବାରୁ ଆସିଥିବା ଅଭିଯୋଗ ପ୍ରମାଣିତ ହୋଇ ପାରିନାହିଁ। 

ଲୋକାୟୁକ୍ତ ପୋଲିସ କହିଛି ଯେ, ମହୀଶୂର ସହରାଞ୍ଚଳ ପ୍ରାଧୀକରଣ(ମୁଦା) ଦ୍ଵାରା ୨୦୧୬ରୁ ୨୦୨୪ ପର୍ଯ୍ୟନ୍ତ ୫୦:୫୦ ଅନୁପାତରେ ଜମି ପ୍ରଦାନ କରିବା ଅଭିଯୋଗର ଆଗକୁ ତଦନ୍ତ କରାଯିବ। ଧାରା ୧୭୩(୮) ସିଆରପିସି ଆଧାରରେ ଉଚ୍ଚ ନ୍ୟାୟାଳୟକୁ ଏକ ଅତିରିକ୍ତ ଅନ୍ତରୀଣ ରିପୋର୍ଟ ପ୍ରସ୍ତୁତ କରାଯିବ। 

ଏହି ମାମଲାରେ କର୍ଣ୍ଣାଟକ ରାଜ୍ୟପାଳ ସିଦ୍ଦରମୈୟାଙ୍କ ବିରୋଧରେ ମାମଲା ଚଲାଇବାକୁ ମଞ୍ଜୁରୀ ଦେଇଥିଲେ। ଏହାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା। ହେଲେ ତାଙ୍କୁ ଉଚ୍ଚ ନ୍ୟାୟାଳୟରୁ ଝଟକା ଲାଗିଥିଲା। କୋର୍ଟ କହିଥିଲେ, ଯାଚିକାରେ ଯେଉଁ ଅଭିଯୋଗ ଆସିଛି ତାର ତଦନ୍ତ ହେବା ଦରକାର। ମହୀଶୂର ସହରାଞ୍ଚଳ ବିକାଶ ପ୍ରାଧୀକରଣ   ଜମି ଦୁର୍ନୀତି ମାମଲାରେ ସାମାଜିକ କର୍ମୀ ଟିଜେ ଆବ୍ରାହମ , ପ୍ରଦୀପ ଓ ସ୍ନେହମୀୟ କୃଷ୍ଣ ରାଜ୍ୟପାଳଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ଏତଲା ଦେଇଥିଲେ। 

Also read: ଦିଲ୍ଲୀ ନିର୍ବାଚନ ପରାଜୟ ପରେ କଂଗ୍ରେସ ସଂଗଠନ ପରିବର୍ତ୍ତନରେ ରାହୁଲ ଗାନ୍ଧୀଙ୍କ ଛାପ, କଣ ଦଳକୁ ମିଳିବ ସଞ୍ଜିବନୀ ?

ଅଭିଯୋଗ ହୋଇଥିଲା ଯେ, ମୁଖ୍ୟମନ୍ତ୍ରୀ  ବିଜୟନଗର ଲେଆଉଟ୍‌ରେ ଜମି ହାସଲ ପାଇଁ ନିଜ ପଦର ଦୁରୁପଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀ ଓ ତାଙ୍କ ପତ୍ନୀ ବେଆଇନ ଭାବେ ମୁଦା ଜମି ନେଇଥିଲେ, ଯେଉଁଥିରେ ୪ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିଲା। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.