ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସର ରଣବୀର ଅଲ୍ଲାହବାଦିଆଙ୍କ ଅଶ୍ଳୀଳ ବୟାନକୁ ନେଇ ମହାଭାରତର ଭୀମ ରଡ଼ି। କେବେ ଯଦି ଦେଖା ହୁଏ, ମୋ କବଳରୁ ତାକୁ କେହି ରକ୍ଷା କରିପାରିବେନି। ରଣବୀର ଅଲ୍ଲାହବାଦିଆଙ୍କୁ ଏଭଳି ଧମକ ଦେଇଛନ୍ତି ମହାଭାରତରେ ଭୀମ ଭୂମିକାର ଅଭିନୟ କରିଥିବା ଡବ୍ଲୁଡବ୍ଲୁ କୁସ୍ତି ଯୋଦ୍ଧା ସୌରଭ ଗୁର୍ଜର।
ସୌରଭ ସୋସିଆଲ୍ ମିଡିଆରେ ଏକ ଭିଡିଓ ଶେୟାର କରି ଅଲ୍ଲାହଦିଆଙ୍କ ବୟାନକୁ କଡ଼ା ନିନ୍ଦା କରିଛନ୍ତି। ଏହା କଦାପୀ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ସେ କହିଛନ୍ତି “ସେ ଶୋ’ରେ ଯାହା କରିଛନ୍ତି ସେଥିପାଇଁ ତାଙ୍କୁ କ୍ଷମା କରାଯାଇପାରିବ ନାହିଁ। ଯଦି ଆମେ ତାଙ୍କ ଆଚରଣ ପାଇଁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରୁ, ତେବେ ତାଙ୍କ ପରି ଆହୁରି ଅନେକ ଲୋକ ଏଭଳି କଥା କହିବେ। ତାଙ୍କ ପରି ଲୋକମାନେ ସମସ୍ତ ସୀମା ଅତିକ୍ରମ କରିଛନ୍ତି। ଆମକୁ ତାଙ୍କ ପରି ଲୋକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ, ଯେଉଁମାନେ ଏପରି କଥା କହି ଆମ ସମାଜ ଏବଂ ଧର୍ମକୁ ନଷ୍ଟ କରୁଛନ୍ତି। ଯାହା ଦ୍ୱାରା ଆଗାମୀ ପିଢ଼ି ରକ୍ଷା ପାଇପାରିବେ।”
ସୌରଭ ଆହୁରି କହିଛନ୍ତି “"ସେ ଯେଉଁଭଳି କଥା କହିଛନ୍ତି, ମୁଁ ସରକାରଙ୍କୁ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଛି। ମୋତେ ଏବେ ବହୁତ ରାଗ ଲାଗୁଛି। ମୁଁ ଖରାପ ଭାଷା ବ୍ୟବହାର କରିବାକୁ ଚାହୁଁନାହିଁ। ଯଦି ମୁଁ ତାଙ୍କୁ କୌଣସି ସ୍ଥାନରେ ଭେଟିବି, ତେବେ ଶୋ'ରେ ସେ ଯାହା କହିଥିଲେ ସେଥିପାଇଁ କେହି ତାଙ୍କୁ ମୋ ଠାରୁ ରକ୍ଷା କରିପାରିବେ ନାହିଁ।”
ତାଙ୍କର ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ବିଭିନ୍ନ ୟୁଜର ମତ ଦେଇଛନ୍ତି। ଏଥିରେ ମଧ୍ୟ ୟୁଜରମାନେ ରଣବୀର ଅଲ୍ଲାହବାଦିଆଙ୍କୁ କଟାକ୍ଷ କରିଛନ୍ତି।
ରଣବୀର, ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲର ବିୟରବାଇସେପ୍ସ ପାଇଁ ଖୁବ୍ ଜଣାଶୁଣା। ସେ ସମୟ ରାଇନାଙ୍କ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟରେ କାର୍ଯ୍ୟକ୍ରମରେ ଅନ୍ୟ କଣ୍ଟେଣ୍ଟ କ୍ରିଏଟର ଆଶିଷ ଚଞ୍ଚଲାନି ଏବଂ ଅପୂର୍ବ ମୁଖୀଜା ଓରଫ ଦି ରେବେଲ୍ କିଡ୍ ସହିତ ଏକ ପ୍ୟାନେଲିଷ୍ଟ ଭାବରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରଣବୀର ଅଲ୍ଲାହବାଦିଆ ଏକାଧିକ ଅଶ୍ଳୀଳ କଥା କହିଥିଲେ। ଯେଉଁଥିରେ ସେ ପିତାମାତାଙ୍କର ବ୍ୟକ୍ତିଗତ ସମ୍ପର୍କକୁ ନେଇ ପ୍ରତିଯୋଗୀଙ୍କୁ ପ୍ରୋତ୍ସାହିତ କରିଥିଲେ। ଯାହା ତାଙ୍କୁ ବିବାଦ ଘେରକୁ ଟାଣି ଆଣିଥିଲା। ଏହି ଘଟଣାରେ ଅଲ୍ଲାହବାଦିଆଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ଏକାଧିକ ମାମଲା ରୁଜୁ ହୋଇଥିଲା। ଏବେ ପୁଲିସ ତାଙ୍କୁ ଖୋଜୁଛି। ତାଙ୍କ ଘରେ ତାଲା ପଡ଼ିଛି।
ପଢନ୍ତୁ- କାହିଁକି ଫେରାର ଆଲ୍ଲହବାଦିଆ? ସାମ୍ନାକୁ ଆସି କହିଲେ କାରଣ
ରଣବୀର ଫେରାର୍ ଥିବା ନେଇ କୁହାଯିବା ପରେ ଶନିବାର ଇନ୍ଷ୍ଟାଗ୍ରାମରେ ଆସି ସ୍ପଷ୍ଟୀକରଣ ଦେଇଛନ୍ତି। ସେ ଇନଷ୍ଟାରେ ଲେଖିଛନ୍ତି ଯେ ସେ ଫେରାର ହୋଇ ନାହାନ୍ତି, ସେ ପୋଲିସକୁ କୋ-ଅପରେଟ କରୁଛନ୍ତି। ପୋଲିସ ଓ ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ମୋର ପୂର୍ଣ୍ଣ ଭରସା ରହିଛି। ତେବେ ମୋତେ ଜୀବନରୁ ମାରିଦେବାକୁ ଓ ମୋ ପରିବାରକୁ ଧମକ ମିଳୁଛି। ମୁଁ ଓ ମୋର ବାକି ଟିମ୍ ପୋଲିସ ଓ ଅନ୍ୟ ସବୁ ଏଜେନ୍ସୀଙ୍କ ସହିତ ସହଯୋଗ କରୁଛନ୍ତି। ମୁଁ ଉଚିତ ପ୍ରକ୍ରିୟାର ପାଳନ କରିବି ଓ ସବୁ ଏଜେନ୍ସୀଙ୍କୁ ତଦନ୍ତରେ ସହଯୋଗ କରିବି ବୋଲି ସେ ଇନଷ୍ଟାରେ ଲେଖିଛନ୍ତି। ସେ ଆହୁରି ଲେଖିଛନ୍ତି ଯେ କିଛି ଲୋକ ମୋ ମାଙ୍କ କ୍ଲିନିକକୁ ପେସେଣ୍ଟ ହୋଇ ଆସିଥିଲେ। ଏଥିପାଇଁ ମୁଁ ବହୁତ ଭୟଭୀତ ଓ ଜାଣି ପାରୁନାହିଁ କଣ କରିବି। ଫେରାର ହୋଇଯିବ ନେଇ କଥା ହେବା ପରେ ରଣବୀର ଲେଖିଛନ୍ତି ଯେ ମୁଁ ଫେରାର୍ ହୋଇ ନାହିଁ। ପୋଲିସ ଓ ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଭରସା ରହିଛି। ଏସବୁ ପରେ ସେ ପୁଣିଥରେ ତାଙ୍କର ବିବାଦୀୟ ବୟାନ ପାଇଁ କ୍ଷମା ମାଗିଛନ୍ତି।