ନୂଆଦିଲ୍ଲୀ: ୨୦୨୪ ମସିହା ପାଇଁ ନୋବେଲ୍ ପୁରସ୍କାର ଘୋଷଣା ସୋମବାର ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ଫିଜିୟୋଲଜି ବା ମେଡିସିନ କ୍ଷେତ୍ର ପାଇଁ ଏହି ସମ୍ମାନ ପାଇବାକୁ ଥିବା ବିଜେତାଙ୍କ ନାଁ ଘୋଷଣା କରାଯାଇଛି । ଦୁଇ ଆମେରିକୀୟ ବୈଜ୍ଞାନିକ ଭିକ୍ଟର ଆମ୍ୱ୍ରୋସ ଏବଂ ଗ୍ୟାରି ରୁଭକୁନଙ୍କୁ ମାଇକ୍ରୋ RNA ଉପରେ ତାଙ୍କ ଗବେଷଣା ଲାଗି ମେଡିସିନରେ ନୋବେଲ ପୁରସ୍କାର ଦିଆଯିବ । ମାଇକ୍ରୋ ଆରଏନଏ ଉପରେ କରାଯାଇଥିବା ଏହି ରିସର୍ଚ୍ଚ ଜରିଆରେ ଜିନ୍ ମାନବ ଶରୀରରେ କିପରି କାମ କରୁଛି ଏବଂ ଏହା ମଣିଷ ଶରୀରର ବିଭିନ୍ନ ଟିସୁଙ୍କୁ କିପରି ଜନ୍ମ ଦେଇଥିବା ତାହା ଉଜାଗର କରାଯାଇଛି ।
ଚିକିତ୍ସା କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ବିଜେତାଙ୍କ ଚୟନ ସ୍ୱିଡେନର କାରୋଲିନସ୍କା ଇନଷ୍ଟିଚ୍ୟୁଟର ନୋବେଲ୍ ଆସେମ୍ୱଲି ଦ୍ୱାରା କରାଯାଇଥାଏ । ବିଜେତାଙ୍କୁ ୧୧ ମିଲିୟନ ସ୍ୱୀଡିସ୍ କ୍ରାଉନ୍ ଅର୍ଥାତ୍ ଭାରତୀୟ ଟଙ୍କାରେ ୮.୯୦ କୋଟି ଟଙ୍କା ପୁରସ୍କାର ଦିଆଯିବ । ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ରିସର୍ଚ୍ଚରେ ଜିନ୍ ସହ ଜଡ଼ିତ ଏକ ନୂଆ ସିଦ୍ଧାନ୍ତ ସାମନାକୁ ଆସିଛି, ଯାହା ମନୁଷ୍ୟ ସମେତ ବହୁକୋଷୀୟ ଜୀବଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଛି ।
ରିସର୍ଚ୍ଚରେ ଜଣାପଡ଼ିଛି ଯେ ମାନବ ଜିନୋମ ଏକ ହଜାରରୁ ଅଧିକ ମାଇକ୍ରୋ ଆଇଏନଏକୁ କୋଡ୍ କରିଥାଏ, କିନ୍ତୁ ସମାନ ଆଇଣ୍ଡେଣ୍ଟିକାଲ ଜେନେରିକ୍ ଇନଫର୍ମେସନରୁ ଆରମ୍ଭ ହେବା ସତ୍ତ୍ୱେ, ମଣିଷ ଶରୀରର କୋଷର ଆକାର ଏବଂ କାର୍ଯ୍ୟ ଭିନ୍ନ ରହିଥାଏ । ଯଦିଓ ଆମ ଶରୀରର ସମସ୍ତ କୋଷିକାରେ ଏକ ପ୍ରକାର ଜିନ୍ ରହିଥାଏ, କିନ୍ତୁ ବିଭିନ୍ନ ପ୍ରକାର କୋଷ, ଯେପରି ମାଂସପେଶୀ ଏବଂ ସ୍ନାୟୁ କୋଷର କାମ ଭିନ୍ନ ଭିନ୍ନ ରହିଥାଏ । ଏହା ଜିନ୍ ରେଗୁଲେସନ କାରଣରୁ ସମ୍ଭବ ହୋଇଥାଏ, ଯେଉଁଥିରେ ଆବଶ୍ୟକତା ଅନୁଯାୟୀ କୋଷଗୁଡ଼ିକ କେବଳ ନିର୍ଦ୍ଦିଷ୍ଟ ଜିନଗୁଡ଼ିକୁ କାର୍ଯ୍ୟ କରିବା ପାଇଁ ଅନୁମତି ଦେଇଥାନ୍ତି । ଆମ୍ୱ୍ରୋସ ଏବଂ ରୁଭକୁନଙ୍କ ମାଇକ୍ରୋଆରଏନଏର ଗବେଷଣାକୁ ଏହାର କାର୍ଯ୍ୟ କରିବାର ନୂତନ ପ୍ରକ୍ରିୟା ବୋଲି କୁହାଯାଇଛି ।
ଭିକ୍ଟର ଆର ଆମ୍ବ୍ରୋସ କିଏ ?
ଆମେରିକାର ପ୍ରସିଦ୍ଧ ଜୀବବିଜ୍ଞାନୀ ଭିକ୍ଟର ଆର ଆମ୍ବ୍ରୋସ ୧୯୫୩ ମସିହାରେ ନ୍ୟୁ ହାମ୍ପସାୟାରର ହାନୋଭରରେ ଜନ୍ମଗ୍ରହଣ କରିଥିଲେ । ଭିକ୍ଟର ଆମ୍ୱୋସ ପ୍ରଥମ ମାଇକ୍ରୋ ଆରଏନ୍ଏ (miRNA) ଆବିଷ୍କାର କରିଥିଲେ । ବର୍ତ୍ତମାନ ମାସାଚୁସେଟ୍ସ ୱର୍କେଷ୍ଟର ସ୍ଥିତ ମାସାଚୁସେଟ୍ସ ମେଡିକାଲ୍ ସ୍କୁଲରେ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି । ଆମ୍ବ୍ରୋସ୍ ୧୯୭୫ ମସିହାରେ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (MIT)ରୁ ସ୍ନାତକ ହାସଲ କରିଥିଲେ । ସେ ହାର୍ଭାର୍ଡ, ଡାର୍ଟମାଉଥ୍ ଏବଂ ମାସାଚୁସେଟ୍ସ ୟୁନିଭରସିଟି ମେଡିକାଲ୍ ସ୍କୁଲରେ ଅଧ୍ୟାପକ ଥିବାବେଳେ ନିଜର ଅନୁସନ୍ଧାନ ଜାରି ରଖିଥିଲେ ।
ଗ୍ୟାରି ରଭକନ କିଏ ?
୧୯୫୨ ମାର୍ଚ୍ଚରେ କାଲିଫର୍ନିଆର ବରେଲିରେ ଗ୍ୟାରି ରୁଭକୁନ ଜନ୍ମଗ୍ରହଣ କରିଥିଲେ । ମାସାଚୁସେଟ୍ସ ଜେନେରାଲ୍ ହସ୍ପିଟାଲର ଜଣେ ଆମେରିକୀୟ ଜୀବବିଜ୍ଞାନୀ ଏବଂ ହାର୍ଭାର୍ଡ ମେଡିକାଲ୍ ସ୍କୁଲର ଜେନେଟିକ୍ ପ୍ରଫେସର । ଭିକ୍ଟର ଆମ୍ବ୍ରୋସଙ୍କ ଦ୍ୱାରା ଚିହ୍ନିଟ ପ୍ରଥମ ମାଇକ୍ରୋ ଆରଏନ୍ଏ (miRNA) ଲିନ୍-୩ କିପରି ଏହାର ଲକ୍ଷ୍ୟ ସହିତ ଅସମ୍ପୂର୍ଣ୍ଣ ବେସ୍-ଯୋଡି ମାଧ୍ୟମରେ ମେସେଞ୍ଜର RNA ଅନୁବାଦକୁ ନିୟନ୍ତ୍ରଣ କରେ ତାହା ଆବିଷ୍କାର କରିଥିଲେ । ରୁଭକୁନ ମଧ୍ୟ ଦ୍ୱିତୀୟ miRNA, let-7 ଆବିଷ୍କାର କରିଥିଲେ । ଏବଂ ଜାଣିବାକୁ ପାଇଥିଲେ ଯେ ଏହା ମଣିଷ ସମେତ ପଶୁଙ୍କ ମଧ୍ୟରେ ବି ରହିଛି ।
ରୁଭକୁନ୍ ୧୯୭୩ ମସିହାରେ କାଲିଫର୍ନିଆ ୟୁନିଭରସିଟିରୁ ୟୁଜି କରିଥିଲେ ଏବଂ ୧୯୮୨ ମସିହାରେ ହାର୍ଭାର୍ଡ ୟୁନିଭରସିଟିରୁ ବାୟୋଫିଜିକ୍ସରେ ପିଏଚ୍ଡି କରିଥିଲେ । ରୁଭକୁନ ହାର୍ଭାର୍ଡ ସୋସାଇଟି ଅଫ୍ ଫେଲୋ (୧୯୮୨-୧୯୮୫) ରେ ଜୁନିଅର ଫେଲୋ ଭାବରେ କାର୍ଯ୍ୟ କରିବା ପରେ ୧୯୮୫ ମସିହାରୁ ହାର୍ଭାର୍ଡ ମେଡିକାଲ୍ ସ୍କୁଲରେ ଜେନେଟିକ୍ସର ପ୍ରଫେସର ଅଛନ୍ତି । ତାଙ୍କର ପ୍ରମୁଖ ଅନୁସନ୍ଧାନ କ୍ଷେତ୍ରଗୁଡ଼ିକରେ ମାଇକ୍ରୋ ଆରଏନ୍ଏ ଏବଂ ଆରଏନ୍ଏ ଇଣ୍ଟରଫେସ୍ ପ୍ରଣାଳୀ ସାମିଲ ରହିଛି ।
ନୋବେଲ ପୁରସ୍କାର ହେଉଛି ବିଶ୍ୱର ସବୁଠାରୁ ସମ୍ମାନ ଜନକ ପୁରସ୍କାର । ୬ଟି କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଏହି ପୁରସ୍କାର ମିଳିଥାଏ । ୧୯୦୧ରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି । ସ୍ୱିଡିସ୍ ଏବଂ ବ୍ୟବସାୟୀ ଆଲଫ୍ରେଡ୍ ବର୍ନହାର୍ଡ ଏହି ନୋବେଲ ସାମ୍ମାନର ମୂଳଦୁଆ ପକାଇଥିଲେ ।
୬ଟି କ୍ଷେତ୍ରରେ ନୋବେଲ ଜୁରି କମିଟି ଦ୍ବାରା ଲୋକଙ୍କ ଚୟନ କରାଯାଇଥାଏ । ରସାୟନ ବିଜ୍ଞାନ, ଭୌତିକ ବିଜ୍ଞାନ ପାଇଁ ରୟାଲ ସ୍ୱିଡିସ୍ ଏକାଡେମିକ୍ ଅଫ ସାଇନ୍ସ ଏବଂ ମେଡିସିନ୍ ପାଇଁ ନୋବେଲ୍ ଆସେମ୍ବଲିର କରୋଲିନସ୍କା ଇଷ୍ଟିଚ୍ୟୁଟ୍ ଚୟନ କରିଥାଏ । ସାହିତ୍ୟ କ୍ଷେତ୍ରରେ ନୋବେଲ ପ୍ରାଇଜ୍ ପାଇଁ ସ୍ୱିଡିସ୍ ଏକାଡେମୀର ୧୮ ଜଣ ଜୁରି ମେମ୍ବର ଦ୍ୱାରା ମନୋନୀତ କରାଯାଇଥାଏ । ଅର୍ଥଶାସ୍ତ୍ରରେ ପାଇଁ ସ୍ୱିଡିସ୍ ଏକାଡେମିକ୍ ଅଫ୍ ସାଇନ୍ସ ନୋବେଲ ବିଜେତାଙ୍କ ନାଁ ଘୋଷଣା କରିଥାଏ ।