ବ୍ୟାପକ ଜନହାନୀ ସତ୍ତ୍ୱେ ୟୁକ୍ରେନ ଯୁଦ୍ଧକୁ ଆହୁରି ସୈନ୍ୟ ପଠାଇବ ଉତ୍ତରକୋରିଆ

Published By : Prameya-News7 Bureau | January 24, 2025 IST

ସିଓଲ ୨୪।୧: ଋଷିଆର ୟୁକ୍ରେନ ଯୁଦ୍ଧ ଲଢିବା ପାଇଁ ଆହୁରି ଅଧିକ ସୈନ୍ୟ ପଠାଇବାକୁ ପ୍ରସ୍ତୁତ ହେଉଛି ଉତ୍ତରକୋରିଆ। ଦକ୍ଷିଣ କୋରିଆ ଜଏଣ୍ଟ ଚିଫ ଅଫ ଷ୍ଟାଫ (ଜେସିଏସ୍) ୨୪ ଜାନୁୟାରୀ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ୟୁକ୍ରେନ ବିରୋଧରେ ଋଷିଆ ପାଇଁ ଯୁଦ୍ଧ ଲଢି ଏପର୍ଯ୍ୟନ୍ତ ଅନେକ ଉତ୍ତର କୋରିଆ ସୈନିକ ମୃତାହତ ହେଲେଣି। ବ୍ୟାପକ ଜାନହାନୀ ସତ୍ତ୍ୱେ ଋଷିଆର ଯୁଦ୍ଧ ପାଇଁ ଉତ୍ତରକୋରିଆ ଆହୁରି ସୈନିକ ପଠାଇବ ବୋଲି ଜଣାପଡିଛି। 

ଦକ୍ଷିଣ କୋରିଆର ଏହି ଦାବି ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନଙ୍କ ସହିତ ତାଙ୍କ ସମ୍ପର୍କକୁ ପୁଣି ଥରେ ସ୍ଥାପନା କରିବାକୁ ଚେଷ୍ଟା କରିବେ ବୋଲି ଫକ୍ସ ନ୍ୟୁଜ ସହ ସାକ୍ଷାତକାରରେ କହିଛନ୍ତି। ଏହି ସାକ୍ଷାତକାରରେ ଉନଙ୍କୁ ଟ୍ରମ୍ପ ‘ସ୍ମାର୍ଟ ଗଏ’ ବୋଲି ସମ୍ବୋଧନ କରିଛନ୍ତି। 

ଦକ୍ଷିଣକୋରିଆ ଜେସିଏସ୍ କହିଛନ୍ତି ଯେ ଉତ୍ତର କୋରିଆ ୟୁକ୍ରେନ ଯୁଦ୍ଧକୁ ୧୧ ହଜାର ସୈନିକ ପଠାଇଥିଲା। ଏହି ସୈନିକଙ୍କ ମଧ୍ୟରୁ ଏବେ ଅନେକ ଶହିଦ ହୋଇ ସାରିଥିବା ବେଳେ ବହୁସଂଖ୍ୟାରେ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ଯୁଦ୍ଧକୁ ଯାଇଥିବା ଅନେକ ଉତ୍ତରକୋରିଆ ସୈନିକ ନିଖୋଜ ମଧ୍ୟ ଅଛନ୍ତି। ତେବେ ଆକଳନ କରାଯାଉଛି ସରକାର ପରବର୍ତ୍ତି ପଦକ୍ଷେପ ସ୍ୱରୂପ ଆହୁରି ଅଧିକ ସୈନ୍ୟ ପଠାଇବାକୁ ପ୍ରସ୍ତୁତି କରୁଛନ୍ତି। ତେବେ ଉତ୍ତରକୋରିଆ ପରବର୍ତ୍ତି ପଦକ୍ଷେପରେ କେଉଁ ନିଷ୍ପତ୍ତି ନେବ ତାହା ଦକ୍ଷିଣ କୋରିଆ ଜେସିଓ ସ୍ପଷ୍ଟ କରିନାହାନ୍ତି। 

ଉଲ୍ଲେଖଯୋଗ୍ୟ ଯେ ଉତ୍ତରକୋରିଆ ସେତେବେଳେ ଋଷିଆକୁ ସୈନ୍ୟ ପଠାଇବା ଆରମ୍ଭ କରିଥିଲା ଯେତେବେଳେ କିମ୍ ଜୋଙ୍ଗ ଉନ ଓ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ମଧ୍ୟରେ ଏକ ପ୍ରତିରକ୍ଷା ବୁଝାମଣା ସ୍ୱାକ୍ଷର ହୋଇଥିଲା। ଏହି ବୁଝାମଣା ଆମେରିକା ନେତୃତ୍ୱାଧୀନ ପାଶ୍ଚାତ୍ୟ ଆଧିପତ୍ୟ ବିରୋଧରେ ଉଭୟ ନେତା ସ୍ୱାକ୍ଷର କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.