ସିଏଟଲ୨୪।୧: ଆମେରିକା ସିଏଟଲର ଏକ ସଂଘୀୟ ବିଚାରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ଜନ୍ମଜାତ ନାଗରିକତା ଅଧିକାର (ବାର୍ଥରାଇଟ୍ ସିଟିଜେନ ସିପ୍)କୁ ସୀମିତ କରୁଥିବା କାର୍ଯ୍ୟକାରୀ ଆଦେଶ ଉପରେ ରୋକ ଲଗାଇଛନ୍ତି। ନ୍ୟାୟାଧୀଶ ଟ୍ରମ୍ପ ପ୍ରଶାସନର କାର୍ଯ୍ୟକାରୀ ଆଦେଶକୁ ସ୍ପଷ୍ଟ ରୂପେ ଅସାମ୍ବିଧାନିକ ବୋଲି କହିଛନ୍ତି। ଜିଲ୍ଲା ଜଜ୍ ଜନ କଫେନୋର ଡେମୋକ୍ରାଟିକ ପାର୍ଟି ନେତୃତ୍ୱାଧୀନ ଚାରି ରାଜ୍ୟଙ୍କ ଆଗ୍ରହରେ ଏକ ଅସ୍ଥାୟୀ ଆଦେଶ ଗୃହୀତ କରିଛନ୍ତି, ଯାହା ଦ୍ୱାରା ଟ୍ରମ୍ପଙ୍କ କାର୍ଯ୍ୟକାରୀ ଆଦେଶକୁ ଲାଗୁ ହେବା ପୂର୍ବରୁ ରୋକ ଲଗାଯାଇ ପାରିଛି।
ରିପବ୍ଲିକାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କାର୍ଯ୍ୟକାଳର ପ୍ରଥମ ଦିନ ସୋମବାର ଏ ନେଇ ଆଦେଶରେ ସ୍ୱାକ୍ଷର କରିଥିଲେ। ଟ୍ରମ୍ପ ତାଙ୍କ କାର୍ଯ୍ୟକାରୀ ଆଦେଶରେ କହିଥିଲେ ଯେ ଯଦି କୌଣସି ମାତା-ପିତା ଆମେରିକାର ନାଗରିକ ଅଥବା ଆଇନତଃ ସ୍ଥାୟୀ ବାସିନ୍ଦା ନୁହନ୍ତି ତେବେ ଆମେରିକୀୟ ଏଜେନ୍ସୀମାନେ ଦେଶରେ ଜନ୍ମିତ ପିଲାଙ୍କୁ ନାଗରିକତା ଦେବାକୁ ମନା କରନ୍ତୁ।
ତେବେ ବିଚାରପତି ଟ୍ରମ୍ପଙ୍କ ଆଦେଶକୁ ସୁରକ୍ଷା ଦେଉଥିବା ନ୍ୟାୟ ବିଭାଗ ଓକିଲଙ୍କୁ କହିଛନ୍ତି ଯେ ବାରର କୌଣସି ସଦସ୍ୟ ଏହା ସ୍ପଷ୍ଟ ରୂପେ କିପରି କହି ପାରିବେ ଯେ ଏହି ଆଦେଶ ସାମ୍ବିଧାନିକ? ୱାସିଂଟନ ସହାୟକ ଆଟର୍ଣ୍ଣି ଜେନେରାଲ ଲେନ ପୋଲୋଜୋଲା ସିଏଟଲ କୋର୍ଟରେ ଶୁଣାଣି ଆରମ୍ଭରେ ବରିଷ୍ଠ ଆମେରିକୀୟ ଜିଲ୍ଲା ନ୍ୟାୟାଧୀଶଙ୍କୁ କହିଛନ୍ତି ଯେ ଏହି ଆଦେଶ ଅନୁସାରେ ଆଜି ଯଦି ପ୍ରବାସୀଙ୍କ ଶିଶୁ ଜନ୍ମ ହୁଅନ୍ତି ତାଙ୍କୁ ଆମେରିକୀୟ ରୂପେ ଗଣାଯିବ ନାହିଁ।
ୱାସିଂଟନ ରାଜ୍ୟ, ଏରିଜୋନା, ଇଲିନୋଇସ୍ ଏବଂ ଓରେଗନର ଡେମୋକ୍ରାଟିକ ରାଜ୍ୟଙ୍କ ଆଟର୍ଣ୍ଣି ଜେନେରାଲଙ୍କ ପକ୍ଷରୁ ପୋଲୋଜୋଲା ବିଚାରପତିଙ୍କୁ ପ୍ରଶାସନକୁ ଟ୍ରମ୍ପଙ୍କ ଇମିଗ୍ରେସନ କାର୍ଯ୍ୟାନୁଷ୍ଠାନର ଏହି ମୁଖ୍ୟ ତତ୍ୱକୁ ଲାଗୁ କରିବାରେ ରୋକ ଲଗାଇବା ପାଇଁ ଏକ ଅସ୍ଥାୟୀ ନିରୋଧକ ଆଦେଶ ଜାରି କରିବାକୁ ନିବେଦନ କରିଥିଲେ। ଟ୍ରମ୍ପଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଥିବା ପକ୍ଷ ତର୍କ ରଖିଛନ୍ତି ଯେ ଟ୍ରମ୍ପଙ୍କ କାର୍ଯ୍ୟାନୁଷ୍ଠାନ ସମ୍ବିଧାନର ଚତୁର୍ଦ୍ଦଶ (୧୪)ସଂଶୋଧନର ନାଗରିକ ଖଣ୍ଡରେ ନିହିତ ଅଧିକାରର ଉଲ୍ଲଂଘନ। ଏହି ଆଇନ ଅନୁସାରେ ଯୁକ୍ତରାଷ୍ଟ୍ର ଆମେରିକା ଭୂଖଣ୍ଡରେ ଜନ୍ମିତ କୌଣସି ବି ବ୍ୟକ୍ତି ଆମେରିକାର ନାଗରିକ।
ତେବେ ଟ୍ରମ୍ପ ତାଙ୍କ କାର୍ଯ୍ୟକାରୀ ଆଦେଶରେ ଏଜେନ୍ସୀମାନଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାରେ ଜନ୍ମ ହୋଇଥିବା ପ୍ରବାସୀଙ୍କ ଶିଶୁଙ୍କୁ ନାଗରିକ ମାନ୍ୟତା ଦେବାକୁ ମନା କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଟ୍ରମ୍ପଙ୍କ ଆଦେଶ ଅନୁସାରେ ଦେଶରେ ୧୯ ଫେବୃଆରୀ ପରେ ଜନ୍ମ ହେବାକୁ ଥିବା ଶିଶୁ ଯେଉଁମାନଙ୍କ ମାତାପିତା ନାଗରିକ ଅଥବା ବୈଧ ସ୍ଥାୟୀ ନିବାସୀ ନୁହନ୍ତି, ନିର୍ବାସନ ଅଧିନରେ ଅଛନ୍ତି ଓ ସେମାନଙ୍କୁ ସାମାଜିକ ସୁରକ୍ଷା ନମ୍ବର, ବିଭିନ୍ନ ସରକାରୀ ଲାଭ ମିଳି ନାହିଁ ସେମାନଙ୍କ ପିଲା ବଡ଼ ହେବା ପରେ ତାକୁ ଆଇନତଃ କାମ କରିବାର କ୍ଷମତା ପ୍ରଦାନ କରା ଯାଉ ବୋଲି ନିର୍ଦ୍ଦେଶ ଦେଇଥିଲେ।