ନୂଆଦିଲ୍ଲୀ: ଏଡ୍ଟେକ୍ ସେକ୍ଟରରେ ଖରାପ ଦିନ ଚାଲିଛି । କୋଚିଂ ସେଣ୍ଟରର ହବ୍ କୁହାଯାଉଥିବା ସହର କୋଟାରୁ ବି ପିଲାମାନେ ନିଜ ଘରକୁ ଫେରିବାରେ ଲାଗିଛନ୍ତି । ଏହି ଶୃଙ୍ଖଳାରେ ଏବେ IIT-JEEର କୋଚିଂ ଦେଉଥଇବା ସଂସ୍ଥା FIITJEE ମଧ୍ୟ ବନ୍ଦ ହେବା ଦ୍ୱାରଦେଶରେ ପହଞ୍ଚିଛି । ଏହା ସେତେବେଳେ ଘଟୁଛି ଯେତେବେଳେ ଶିକ୍ଷକମାନେ ଦରମା ନମିଳିବା କାରଣରୁ ଇସ୍ତଫା ଦେଉଛନ୍ତି । ହଠାତ୍ କୋଚିଂ ସେଣ୍ଟର ବନ୍ଦ ହେବା ଦ୍ୱାରା ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ଅସୁବିଧାର ସାମନା କରିବାକୁ ପଡ଼ୁଛି । ଏବେ ସେମାନେ ଫି’ ଫେରାଇବା ପାଇଁ ଦାବି କରୁଛନ୍ତି । ଛାତ୍ରଛାତ୍ରୀ ଲଗାତାର FIITJEE ବାହାରେ ବିରୋଧ ପ୍ରଦର୍ଶନ କରୁଛନ୍ତି ।
ଅନେକ ବଡ଼ ଅନଲାଇନ୍ ଏବଂ ଅଫଲାଇନ୍ କୋଚିଂ ସେଣ୍ଟର ସଂକଟର ସାମନା କରୁଛନ୍ତି । କିଛି ତ ବନ୍ଦ ହୋଇସାରିଛି । FIITJEE ପୂର୍ବରୁ ବାୟଜୁସ, ଅନଏକାଡେମୀ ଏବଂ ବେଦାନ୍ତୁ ଏଭଳି ସଂକଟର ସାମନା କରୁଛନ୍ତି ।
Byju’s ବାୟଜୁସ୍ କିଛି ବର୍ଷ ହେଲା ସଂଘର୍ଷ କରୁଛି । ଶେଷରେ କମ୍ପାନିକୁ ଦେବାଳିଆ ଘୋଷଣା କରାଯାଇଛି । ୨୦୨୪ ଜାନୁଆରୀ ୨୫ରେ ଋଣଦାତା ବାୟଜୁସ୍ ବିପକ୍ଷରେ ବେଦାଳିଆ ପ୍ରକ୍ରିୟା ଆରମ୍ଭ କରିଥିଲେ । ୨୦୨୪ ଫେବ୍ରୁଆରୀ ୧ରେ ବାୟଜୁଜ୍ ୟୁଏସ୍ ଡିଭିଜନ ଡେଲାୱେୟରରେ ଚାପ୍ଟର ୧୧ ଇନ୍ସଲ୍ଭେନ୍ସି ପାଇଁ ଆବେଦନ କରିଥିଲା । ବାୟଜୁଜର ପେରେଣ୍ଟ କମ୍ପାନି Think & Learn ୨୦୨୧ରେ ଆକାଶ ଏଜୁକେସନ ସର୍ଭିସକୁ ୯୫୦ ମିଲିୟନ ଡାଲରରେ କିଣିଥିଲା । ଏହା ଭାରତୀୟ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ସବୁଠାରୁ ବଡ଼ ଅଧିଗ୍ରହଣ ଥିଲା ।
ଅନ୍ଏକାଡେମୀ
ଅନଏକାଡେମୀ ଏକ ଅନଲାଇନ୍ ଲର୍ନିଂ ପ୍ଲାଟଫର୍ମ । ୨୦୧୫ରେ ଏକ ୟୁଟ୍ୟୁବ୍ ଚ୍ୟାନେଲରୁ ଏହାର ଆରମ୍ଭ ହୋଇଥିଲା । ଏହାକୁ ଗୌରବ ମୁଞ୍ଜଲ ନିଜର କିଛି ସାଙ୍ଗଙ୍କ ସାହାଯ୍ୟରେ ଆରମ୍ଭ କରିଥିଲେ । ଏହାପରେ ହେମେଶ ସିଂହ ଏବଂ ରୋମନ ସାଇନିଙ୍କ ସହ କମ୍ପାନିର ସହସଂସ୍ଥାପକ ହେଲେ । ତେବେ ଅନଏକାଡେମୀ ବି ଏବେ ସଂଘର୍ଷ କରୁଛି । ଗୌରବ ମୁଞ୍ଜଲଙ୍କ ଏହି କମ୍ପାନି ଆର୍ଥିକ ବର୍ଷ ୨୦୨୪ରେ ୨୮୫ କୋଟି ଟଙ୍କା କ୍ଷତି ସହିଥିଲା । ଅନ୍ୟପଟେ ଏଫୱାଇ ୨୩ରେ ଏହି କ୍ଷତି ୧୫୯୨ କୋଟି ଟଙ୍କା ଥିଲା । କମ୍ପାନି ନିଜ ଖର୍ଚ୍ଚ କାଟ୍ କରିଛି । ଆର୍ଥିକ ବର୍ଷ ୨୦୨୪ରେ ଅନଏକାଡେମୀର କର୍ମଚାରୀଙ୍କ ଉପରେ ଖର୍ଚ୍ଚ ୬୯.୪୭ ପ୍ରତିଶତ ହ୍ରାସ କରି ୩୪୦ କୋଟି ଟଙ୍କା ରହିଛି । ଏହା ପୂର୍ବରୁ ୧୧୧୪ କୋଟି ଟଙ୍କା ଥିଲା । କମ୍ପାନି ଜୁଲାଇରେ ୨୫୦ କର୍ମଚାରୀଙ୍କୁ ଛଟେଇ କରିଥିଲା ଏବଂ ଅନ୍ୟ ଖର୍ଚ୍ଚ ମଧ୍ୟ ହ୍ରାସ କରିଥିଲା ।
FIITJEE
FIITJEE ସାରା ଦେଶରେ JEE ଏବଂ ନିଟ୍ ପରି ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତି କରାଇଥାଏ । ଜାନୁଆରୀ ୨୩ରୁ ଏହି କୋଚିଂ ସେଣ୍ଟର ଅନେକ ସହରରେ ବନ୍ଦ ହୋଇଯାଇଛି । FIITJEEର କାରବାର ଲାଗାତର ହ୍ରାସ ଦେଖିବାକୁ ମିଳିଥିଲା । ୨୦୨୩ରେ ଏହାର କରାବାର ୫୪୨ କୋଟି ଟଙ୍କା ଥିଲା । ୧୯୯୨ ମସିହାରେ ଦିଲ୍ଲୀରେ FIITJEE ଆରମ୍ଭ ହୋଇଥିଲା । ଏହାର ସାରା ଦେଶରେ ୭୨ଟି ସେଣ୍ଟର ରହିଛି ।