‘ସ୍ବର୍ଣ୍ଣିମ ଭାରତ, ବିରାଶତ ଓ ବିକାଶ’; ଫର୍‌ ଫର୍ ହୋଇ ଉଡ଼ିଲା ତ୍ରିରଙ୍ଗା, ବିଶ୍ବ ଦେଖୁଛି ଭାରତର ଶୌର୍ଯ୍ୟ, ଶକ୍ତି ଓ ସଂସ୍କୃତି

Published By : Prameya-News7 Bureau | January 26, 2025 IST

ନୂଆଦିଲ୍ଲୀ: ୭୬ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀରୁ ପୁରପଲ୍ଲୀ, ସବୁଠି ଉତ୍ସବର ମାହୋଲ । ଫର୍ ଫର୍ ହୋଇ ଉଡ଼ୁଛି ତ୍ରିରଙ୍ଗା । ପବନରେ ଭାସି ଆସୁଛି ଦେଶ ପ୍ରେମର ବାସ୍ନା । ଶୁଭୁଛି ‘ବନ୍ଦେ ମାତରାମ୍’ ଧ୍ବନି । ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହା ସହିତ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ମହାମହିମ । ସାଧାରଣତନ୍ତ୍ର ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ୍ ହୋଇଛନ୍ତି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଓ୍ବୋ ସୁବିଆଣ୍ଟୋ । 


ଆଜି ନୂଆଦିଲ୍ଲୀର କର୍ତ୍ତବ୍ୟପଥ ଆକର୍ଷଣର କେନ୍ଦ୍ରବିନ୍ଦୁ ପଲଟିଛି । ସାଧାରଣତନ୍ତ୍ର ଦିବସ ଅବସରରେ ଭବ୍ୟ ପରେଡ୍ ଆୟୋଜନ ହୋଇଛି । ଏଥିରେ ୯୦ ମିନିଟର କାର୍ଯ୍ୟକ୍ରମ ରହିବ । ସାରା ବିଶ୍ବ ଦେଖୁଛି ସର୍ବବୃହତ୍ତ ଗଣତାନ୍ତ୍ରିକ ରାଷ୍ଟ୍ରର ଶୌର୍ଯ୍ୟ, ଶକ୍ତି ଏବଂ ସଂସ୍କୃତି । ଜାତୀୟ ପତାକା ଉତ୍ତୋଳନ ପରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନି ସେନାର ଅଭିବାଦନ ଗ୍ରହଣ କରିଛନ୍ତି । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସର ଥିମ ରହିଛି ‘ସ୍ବର୍ଣ୍ଣିମ ଭାରତ, ବିରାଶତ ଓ ବିକାଶ’ । ପରେଡରେ ୧୬ ରାଜ୍ୟ ଓ ୧୦ ମନ୍ତ୍ରାଳୟର ୩୧ଟି ପ୍ରଜ୍ଞାପନ ମେଢ଼ ନିଜର କଳା ପ୍ରଦର୍ଶନ କରୁଛନ୍ତି । 


ସେପଟେ ଆକାଶର ଛାତି ଚିରି ଶକ୍ତି ପ୍ରଦର୍ଶନ କରିଛୁ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ । ସେହିପରି କର୍ତ୍ତବ୍ୟପଥରେ ସେନା ଟ୍ୟାଙ୍କ, 

ବ୍ରହ୍ମୋସ ମିସାଇଲ୍, ଯୁଦ୍ଧ ବିମାନ ରାଫେଲ୍, ସୁଖୋଇ ନିଜର ପରାକ୍ରମ ଦେଖାଉଛନ୍ତି । ଚଳିତ ବର୍ଷ ପରେଡରେ ଗର୍ବ ଏବଂ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ସ୍ବାଦେଶୀ କ୍ବିକ୍ ଆକ୍ସନ ଫୋର୍ସ ଭେହିକିଲ୍ ନନ୍ଦିଘୋଷ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥା ନାଁରେ ଏହି ସେନା ଗାଡ଼ିର ନାଁ ରଖାଯାଇଛି । ଏହି କଣ୍ଟିଜେନ୍ସି ଦାୟିତ୍ବ ତୁଲାଉଛନ୍ତି ମେଜର ରାଧିକା ସେନ୍ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.