ଡେରାଡୁନ ୨।୧୧: ଦେବ ଭୂମିର ପ୍ରାକୃତିକ ସୌନ୍ଧର୍ଯ୍ୟ ଏବେ ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରୁଛି। ଗତ ମେ ୧୦ ତାରିଖରୁ ଆରମ୍ଭ ହୋଇଥିବା ବିଶ୍ୱବିକ୍ଷାତ ଚାରଧାମ ଯାତ୍ରା ଏବେ ଅନ୍ତିମ ପର୍ଯ୍ୟାୟକୁ ପହଞ୍ଚି ଯାଇଛି। ଏଣୁ ଯାତ୍ରା ସରିବା ପୂର୍ବରୁ ତୀର୍ଥ ଯାତ୍ରୀଙ୍କ ଭିଡ ବଢିବାରେ ଲାଗିଛି। ଦର୍ଶନାର୍ଥୀ ସମୟ ଅପଚୟ ନ କରି ଦେବାଧିଦେବ ବାବା କେଦାର ଓ ବଦ୍ରୀ ବିଶାଳଙ୍କ ଦର୍ଶନ କରିବାକୁ ଛୁଟୁଛନ୍ତି। ଚଳିତବର୍ଷ ଏ ପର୍ଯ୍ୟନ୍ତ ୧୭୭ ଦିନ ଯାତ୍ରା ମଧ୍ୟରେ ୪୬ ଲକ୍ଷ ୯୮୦ଜଣ ତୀର୍ଥ ଯାତ୍ରୀ ଚାରଧାମ ଯାତ୍ରାକୁ ପହଞ୍ଚିଛନ୍ତି।
ଚଳିତବର୍ଷର ଚାରଧାମ ଯାତ୍ରା ଏବେ ଶେଷ ପର୍ଯ୍ୟାୟରେ । ଆଗାମୀ ଦିନମାନଙ୍କରେ ସବୁ ଧାମ ୬ ମାସ ପର୍ଯ୍ୟନ୍ତ ବନ୍ଦ ହୋଇଯିବ। ଏଣୁ ହରିଦ୍ୱାରରୁ ଆରମ୍ଭ କରି ଉଚ୍ଚ ହିମାଳୟ ପର୍ଯ୍ୟନ୍ତ ଧର୍ମର ପଥ ଏବେ ତୀର୍ଥ ଯାତ୍ରୀରେ ପରିପୁର୍ଣ୍ଣ। ଚାରଧାମ ଯାତ୍ରା ଉତ୍ତରାଖଣ୍ଡର ଆର୍ଥିକ ଜୀବନ ରେଖା। ଉତ୍ତରାଖଣ୍ଡର ଚାରଧାମ ଯାତ୍ରାକୁ ନେଇ ଦେଶ ଦୁନିଆର ଅଗାଧ ଆସ୍ଥା ଓ ବିଶ୍ୱାସ ରହିଛି। ଏହି ଯାତ୍ରା ନିମନ୍ତେ ଭକ୍ତ ସବୁ ପ୍ରକାର କଷ୍ଟ ସହିବାକୁ ପ୍ରସ୍ତୁତ। ଗତ ଜୁଲାଇ ୩୧ ରାତିରେ ହୋଇଥିବା ବିପର୍ଯ୍ୟୟ ଏହାର ପ୍ରମାଣ। ତେବେ ଆସ୍ଥା ପଥରେ ପ୍ରାକୃତିକ ବିପର୍ଯ୍ୟୟ ଭକ୍ତଙ୍କ ପାଦକୁ ଅଟକାଇ ପାରିନଥିଲା।
ଚଳିତବର୍ଷ ଏ ପର୍ଯ୍ୟନ୍ତ ୪୬ଲକ୍ଷ ୯୮୦ ତୀର୍ଥ ଯାତ୍ରୀ ସୁରକ୍ଷିତ ଧାର୍ମିକ ଯାତ୍ରା କରି ଚାରିଧାମରେ ମଥାନତ କରିଛନ୍ତି। ଏଥିରୁ କେବଳ କେଦାରନାଥ ଧାମରେ ଏ ପର୍ଯ୍ୟନ୍ତ ୧୬ଲକ୍ଷ ୧୦ ହଜାର ୯୩୦ ଜଣ ତୀର୍ଥ ଯାତ୍ରୀ ବାବା କେଦାରଙ୍କ ଦର୍ଶନ ଓ ପୂଜନ କରିଛନ୍ତି। ସେହିପରି ବଦ୍ରୀନାଥ ଧାମରେ ୧୨ଲକ୍ଷ ୭୪ ହଜାର ୪୭୨ ଶ୍ରଦ୍ଧାଳୁ ପହଞ୍ଚିଥିବା ବେଳେ ଗଙ୍ଗୋତ୍ରୀ ଧାମକୁ ୮ଲକ୍ଷ ୧୧ହଜାର ୫୪୨ ଓ ଯମୁନେତ୍ରୀ ଧାମକୁ ଏପର୍ଯ୍ୟନ୍ତ ୭ଲକ୍ଷ ୧୦ ହଜାର ୨୧୦ ଜଣ ଯାତ୍ରୀ ଏପର୍ଯ୍ୟନ୍ତ ପହଞ୍ଚି ଛନ୍ତି।
ଚଳିତବର୍ଷ ଗଙ୍ଗୋତ୍ରୀ ଧାମର କବାଟ ବନ୍ଦ ହୋଇ ସାରିଥିବା ବେଳେ ନଭେମ୍ବର ୩ ତାରିଖରେ କେଦାରନାଥ ଓ ଯମୁନେତ୍ରୀ ଧାମର କବାଟ ବନ୍ଦ ହେବ। ଏଥିରେ କେଦାରନାଥ ଧାମ କବାଟ ୩ ନଭେମ୍ବର ପୂର୍ବାହ୍ନ ୮ଟା ୩୦ ମିନିଟରେ ବନ୍ଦ ହେବାକୁ ଥିବା ବେଳେ ଯମୁନେତ୍ରୀ ଧାମର କବାଟ ମଧ୍ୟାହ୍ନ ୧୨ଟା ୩ ମିନିଟରେ ବନ୍ଦ ହେବ। ଏହା ପୂର୍ବରୁ ଅନ୍ନକୁଟ ଗୋବର୍ଦ୍ଧନ ପୂଜା ଦିନ ଶନିବାର ଗଙ୍ଗୋତ୍ରୀ ଧାମର କବାଟ ଅଭିଜିତ ମୂହୁର୍ତ୍ତରେ ବନ୍ଦ କରାଯାଇଛି।
ତେବେ ବଦ୍ରୀନାଥ ଧାମ କବାଟ ବିଳମ୍ବରେ ବନ୍ଦ ହେବ। ନଭେମ୍ବର ୧୭ ତାରିଖରେ ବଦ୍ରିବିଶାଳଙ୍କ କବାଟ ପଡିବ। ବଦ୍ରି-କେଦାର ମନ୍ଦିର କମିଟି (ବିକେଟିସି)ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟ କହିଛନ୍ତି ଯେ ୧୭ ନଭେମ୍ବର ମିଥୁନ ଲଗ୍ନରେ ରାତି ୯ଟା ବାଜି ୭ ମିନିଟରେ ପୁରା ବିଧି ବିଧାନରେ ଭଗବାନ ବଦ୍ରୀ ବିଶାଳଙ୍କ ମନ୍ଦିରର କବାଟ ପଡିବ। ଏଥି ପାଇଁ ପ୍ରକ୍ରିୟା ନଭେମ୍ବର ୧୩ ତାରିଖରୁ ଆରମ୍ଭ ହେବ।