ଭୁବନେଶ୍ୱର,୧୩/୦୨: ଆଜିଠୁ ସପ୍ତଦଶ ବିଧାନସଭାର ବଜେଟ ଅଧିବେଶନ । ପ୍ରଥମ ଦିନରେ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍ପତି ଅଭିଭାଷଣ ରଖିବେ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆସନ୍ତା ୧୭ରେ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଦୁଇଟି ପର୍ଯ୍ୟାୟରେ ମୋଟ ୨୮ଟି କାର୍ଯ୍ୟ ଦିବସ ରହିଛି ଏହି ଅଧିବେଶନରେ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ୧୩ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ଦୁଇଟି ପର୍ଯ୍ୟାୟରେ ମୋଟ ୨୮ଟି କାର୍ଯ୍ୟ ଦିବସ ଅଛି । ମୋହନ ସରକାରଙ୍କ ଏହା ହେବ ବିଧାନସଭାର ତୃତୀୟ ଅଧିବେଶନ ।
ଏଥର ବଜେଟରେ ମୋହନ ସରକାର କ’ଣ ନୂଆ କାର୍ଯ୍ୟକ୍ରମ ଓ ଘୋଷଣା କରିବେ, ତାହା ଉପରେ ସଭିଙ୍କ ନଜର ରହିଛି । ବଜେଟ ଅଧିବେଶନ ପାଇଁ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୁଧବାର ବିଧାନସଭା ପରିସରରେ ସର୍ବଦଳୀୟ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଓ ବିଧାନସଭା ସଚିବ ସତ୍ୟବ୍ରତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
ବିଧାନସଭାର କାର୍ଯ୍ୟବିଧି ଯେଉଁଭଳି ସ୍ୱାଭାବିକ ଭାବେ ଚାଲିବ, ସେଥିପାଇଁ ବାଚସ୍ପତି ସଭିଙ୍କ ସହଯୋଗ ଲୋଡ଼ିଥିଲେ ।
ବୈଠକ ପରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି, ବିଧାନସଭା ସୁରୁଖୁରୁରେ ଚାଲିବା ନେଇ ଆଲୋଚନା ହୋଇଛି । ସବୁଠାରୁ ବଡ଼ କଥା ହେଲା, ଏହି ଅଧିବେଶନରୁ ଓଡ଼ିଶା ବିଧାନସଭା କାଗଜ ଶୂନ୍ୟ (ପେପରଲେସ୍) ହୋଇ କାର୍ଯ୍ୟ କରିବ । ଏହାର ଶୁଭାରମ୍ଭ ହୋଇଛି ।
ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ମଲ୍ଲିକ କହିଛନ୍ତି, ଚିରାଚରିତ ବ୍ୟବସ୍ଥା ଅନୁସାରେ ବିଧାନସଭା ଚାଲିବ । କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ କାଡାମ କହିଛନ୍ତି, ପୂର୍ବ ବିଧି ବ୍ୟବସ୍ଥା ଅନୁସାରେ ଗୃହ କାର୍ଯ୍ୟ ଚାଲିବ । ନିୟମାନୁସାରେ ଶୂନ୍ୟକାଳରେ ପ୍ରଥମେ ଗୃହର ନେତା ମୁଖ୍ୟମନ୍ତ୍ରୀଙ୍କ ପରେ ବିରୋଧୀ ଦଳ ନେତା ଏବଂ ଏହା ପରେ କଂଗ୍ରେସ ବିଧାୟକ ଦଳ ନେତାଙ୍କୁ କହିବା ପାଇଁ ସୁଯୋଗ ଦିଆଯିବା ଉଚିତ। ଏହା ହିଁ ବିଧି ରହିଛି । ଏହି ବ୍ୟବସ୍ଥା ଯେଭଳି କାର୍ଯ୍ୟ କରିବ, ସେ ନେଇ ବୈଠକରେ ଆମେ ଗୁରୁତ୍ୱ ଦେଇଛୁ ।
ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବା କାର୍ଯ୍ୟକ୍ରମ ରହିଛି ।
ଫେବ୍ରୁଆରୀ ୧୪ ଓ ୧୫ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଜାରି ରହିବ । ୧୭ରେ ବଜେଟ ଉପସ୍ଥାପନ ଏବଂ ୨୦ ଓ ୨୧ ତାରିଖରେ ସାଧାରଣ ବଜେଟ ଉପରେ ଆଲୋଚନା ହେବ । ଆସନ୍ତା ୨୨ରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ ନାହିଁ । ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ରୁ ଆରମ୍ଭ ହେବ । ସେଦିନ ବିଭିନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ ହେବ । ମାର୍ଚ୍ଚ ୧୦ରୁ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ ।
ଦୋଳ ପୂର୍ଣ୍ଣିମା ଓ ହୋଲି ପାଇଁ ମାର୍ଚ୍ଚ ୧୪, ୧୫ ଛୁଟି ରହିବ । ୨୮ ତାରିଖରେ ଶେଷ ଖର୍ଚ୍ଚ ଦାବି ଆଲୋଚନା ହେବ । ମାର୍ଚ୍ଚ ୨୯ରେ ବ୍ୟୟମଞ୍ଜୁରି ବିଲ୍ ଆଗତ ହେବ । ମାର୍ଚ୍ଚ ୩୦ ରବିବାର, ୩୧ ଇଦ୍ ଉଲ୍ ଫିତର ଏବଂ ଏପ୍ରିଲ ୧ ଉତ୍କଳ ଦିବସ ଛୁଟି ରହିଛି । ତା’ପରେ ଏପ୍ରିଲ ୨ରୁ ୫ ତାରିଖ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ରହିଛି । ବିଧାନସଭା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
also read..
ନବ ଦାସ ହତ୍ୟା ମାମଲା: ୧୯ ତାରିଖ ସୁଦ୍ଧା ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ