ଭୁବନେଶ୍ୱର: ବଦଳିବ ରାଜ୍ୟ ବିକାଶର ଚିତ୍ର। ବେକାରୀ ସଂଖ୍ୟା କମିବ, ନିଯୁକ୍ତି ବଢ଼ିବ। ହସ୍ପିଟାଲିଟି, ମାନୁଫାକଚରିଂ ଠାରୁ ଆରମ୍ଭ କରି ବାୟୋ ଏନର୍ଜି ଭଳି କ୍ଷେତ୍ରରେ ନିବେଶ ହେବ। ଏଥିପାଇଁ ଯୋଜନା ପ୍ରସ୍ତୁତ କରିସାରିଲେଣି ବଡ଼ ବଡ଼ କମ୍ପାନୀ। ସରକାରୀ ଅନୁମତି ବି ମିଳିସାରିଛି। ଖାଲି କାମ ଆରମ୍ଭ ହେଲେ ଦୌଡ଼ିବ ରାଜ୍ୟ ଅର୍ଥନୀତି। ପଢ଼ନ୍ତୁ ରିପୋର୍ଟ
ଓଡ଼ିଶାରେ ଶିଳ୍ପ ବିକାଶର ଗତି ବଢ଼ି ଚାଲିଛି। ହୋଟେଲ ଶିଳ୍ପ ଠାରୁ ଆରମ୍ଭ କରି, ଇଭି ପର୍ଯ୍ୟନ୍ତ ସବୁ ଆମ ରାଜ୍ୟରେ ଖୋଲିବ। ଆମ ରାଜ୍ୟରେ ୫ ଷ୍ଟାର୍ ହୋଟେଲ୍ ଠାରୁ ଆରମ୍ଭ କରି ଇଲେକ୍ଟ୍ରିକ ଗାଡ଼ି କାରଖାନା ହେବ। ରାଜ୍ୟ ସରକାର ଶିଳ୍ପ ବିକାଶ ପାଇଁ ଜୋର୍ସୋରରେ କାମ ଜାରି ରଖିଛନ୍ତି।
ଶୁକ୍ରବାର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସିଙ୍ଗଲ ୱିଣ୍ଡୋ ମଞ୍ଜୁରି କର୍ତ୍ତୃପକ୍ଷ (SLWCA) ବୈଠକରେ ୧୫ଟି ଶିଳ୍ପ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହାଦ୍ୱାରା ରାଜ୍ୟକୁ ୩ ହଜାର ୩୫୩.୧୫ କୋଟି ଟଙ୍କାର ନିବେଶ ଆସିବ ଏବଂ ୪ ହଜାର ୬୩୭ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଏହିସବୁ ପ୍ରକଳ୍ପ ମଧ୍ୟରେ ଓଡ଼ିଶା ଟେକ୍ସଟାଇଲ ମାନୁଫାକଚରିଂ ଖୋର୍ଦ୍ଧାରେ ବୟନ ବର୍ଜ୍ୟବସ୍ତୁରୁ ପ୍ରକ୍ରିୟାକୃତ ସୂତା ଉତ୍ପାଦନ କରିବ। ଏହି ୟୁନିଟରେ ୫୩୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆଇଟିସି କମ୍ପାନୀ ଭୁବନେଶ୍ୱରରେ ଥିବା ଏହାର ୫ ଷ୍ଟାର ହୋଟେଲ୍ ୱେଲ୍କମକୁ ସମ୍ପ୍ରସାରଣ କରିବ। ଏଥିରେ ୧୧୯ କୋଟି ଟଙ୍କା ନିବେଶ ସହ ଅତିରିକ୍ତ ୨୪୦ ନିଯୁକ୍ତି ସୃଷ୍ଟି ହେବ।
ଏସ୍ଜେ ଜେଆର୍ଜି ଭେଞ୍ଚର୍ସ ଏଲ୍ଏଲ୍ପି ୧୦୦ କୋଟି ଟଙ୍କା ନିବେଶ କରି ପୁରୀରେ ହୋଟେଲ ନିର୍ମାଣ କରିବ। ସେହିପରି ଲାଇଫ୍ ଗ୍ରୁପ ଅଫ୍ ହୋଟେଲ୍ସର କ୍ରାକର୍ସ ଇଣ୍ଡିଆ ଇନଫ୍ରାଷ୍ଟ୍ରକଚର କୋରାପୁଟରେ ୫୦ କୋଟି ନିବେଶରେ ୪ ଷ୍ଟାର ରିସର୍ଟ ସୁବିଧା କରିବ। ୨ ପ୍ରକଳ୍ପ ଦ୍ୱାରା ୩୮୦ ନିଯୁକ୍ତି ସୃଷ୍ଟି ହେବ।
ସେହିପରି ରିଲାଏନ୍ସ ବାୟୋ ଏନର୍ଜି କମ୍ପ୍ରେସଡ ବାୟୋ ଗ୍ୟାସ ଏବଂ ଫରମେଣ୍ଟେଡ ମାନ୍ୟୁର ପ୍ଲାଣ୍ଟ ଏବଂ ଅର୍ଗାନିକ ମାନ୍ୟୁର ପ୍ଲାଣ୍ଟ ପୁରୀରେ ସ୍ଥାପନ କରିବ। ୧୨୧ କୋଟି ଟଙ୍କା ଏହି ୟୁନିଟରେ ଖର୍ଚ୍ଚ ହେବ। କଟକରେ ବିକେ ଷ୍ଟିଲ ଇଣ୍ଡଷ୍ଟ୍ରିଜ ୭୫୦ କୋଟି ଟଙ୍କା ବିନିଯୋଗରେ ସ୍ପଞ୍ଜ ଆଇରନ, ବିଲେଟ, ଫେରୋ ଆଲୟ, ସିଣ୍ଟର ସହ ଏକ କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ବସାଇବ। ଏଠାରେ ୮୦୦ ଲୋକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଝାରସୁଗୁଡ଼ାରେ ଏଚ୍ଏମ୍ ପାୱାର ଆଣ୍ଡ୍ କେବଲ ଲିମିଟେଡ ୫.୭୨ କୋଟି ଟଙ୍କା ବିନିଯୋଗ କରି ଆଲୁମିନିୟମ କଣ୍ଡକ୍ଟର, ପାୱାର କେବଲ ଏବଂ ୱେୟାର ମାନୁଫାକଚରିଂ ୟୁନିଟ୍ ୫ ବସାଇବ। ନେକ୍ସ ଥର୍ମାଲ ଏସିଆ ଲିମିଟେଡ ଖୋର୍ଦ୍ଧାରେ ହିଟିଂ ଏଲିମେଣ୍ଟ କାରଖାନା ବସାଇବାକୁ ଯାଉଛି ।
ସେହିଭଳି ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ୧୫୪୨ କୋଟି ଟଙ୍କା ବିନିଯୋଗ କରିବେ କମ୍ପାନି। ଖୋର୍ଦ୍ଧାରେ ଭୁବନେଶ୍ୱରୀ ଫୁଡ୍ସ ଆଣ୍ଡ୍ ବେଭରେଜ ୟୁନିଟ ଆସିବ। ଏଥିରେ ୮୦୦ କୋଟି ଟଙ୍କା ନିବେଶ କରିବ କମ୍ପାନୀ। ସେହିଭଳି ଅବାନ ବେଭରେଜ, ୬୨୨ କୋଟି ଟଙ୍କା ନିବେଶରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ କରିବ। ଜିଓ ଫାଷ୍ଟ କଞ୍ଜ୍ୟୁମର ପ୍ରଡକ୍ଟସ ଓ ଆଭିରା ଡିଷ୍ଟିଲେରୀ ଭଳି କମ୍ପାନିଗୁଡ଼ିକ ମଧ୍ୟ ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ନିବେଶ କରିବାକୁ ଯୋଜନା କରିଛନ୍ତି। ଏସବୁ ନିବେଶ ଦ୍ୱାରା ୧୩୫୦ ନିଯୁକ୍ତି ସୃଷ୍ଟି ହେବ ବୋଲି ସୂଚନା ମିଳିଛି।
ଆହୁରି ମଧ୍ୟ ଇଫ୍ୟୁନେକ୍ସ ପ୍ରାଇଭେଟ ହେଲ୍ଥକେୟାର କଟକରେ ଇନଟ୍ରାଭେନସ ଫ୍ଲୁଇଡ ୟୁନିଟ୍ ସ୍ଥାପନ କରିବ । କଟକରେ ଅଲ୍ଟ୍ରାଟେକ ସିମେଣ୍ଟ ଏହାର ଉତ୍ପାଦନ ୟୁନିଟ କ୍ଷମତା ୩ରୁ ୬ ନିୟୁତ ଟନ୍କୁ ବୃଦ୍ଧି କରିବ । ଏଥିରେ କମ୍ପାନି ୩୭୨ କୋଟି ଟଙ୍କା ନିବେଶ କରିବ ଏବଂ ୫୮୧ ଲୋକଙ୍କୁ ନିଯୁକ୍ତି ସୃଷ୍ଟି ହେବ।
ଏହା ପୂର୍ବରୁ ସେପ୍ଟେମ୍ବରରେ ମଧ୍ୟ ରାଜ୍ୟ ସରକାର ୩୧ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିଲେ। ଏହି ମଞ୍ଜୁରୀ ଫଳରେ ରାଜ୍ୟରେ ଜାହାଜ ନିର୍ମାଣ କାରଖାନା ଠାରୁ ଆରମ୍ଭ କରି ବିଶ୍ୱର ସବୁଠାରୁ ବଡ଼ ଇଭି କାରଖାନା ନିର୍ମାଣ ହେବ। କେବଳ ସେତିକି ନୁହେଁ, ପାଞ୍ଚଟି ହୋଟେଲ୍ ଓ ରିସୋର୍ଟକୁ ମିଶାଇ ମୋଟ ୪୯୫୪.୨୬ କୋଟି ଟଙ୍କା ନିବେଶ ହେବ। ଏଥିରେ ପ୍ରାୟ ୩୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସରକାର ସୂଚନା ଦେଇଥିଲେ।
ଏହି ପ୍ରକଳ୍ପଗୁଡ଼ିକ ଭଦ୍ରକ, ଖୋର୍ଦ୍ଧା, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ଯାଜପୁର,କଟକ, ଜଗତସିଂହପୁର, ବାଲେଶ୍ୱର, ରାୟଗଡ଼ା, ଢେଙ୍କାନାଳ, ପୁରୀ, ପାରାଦୀପ, କୋରାପୁଟ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ସ୍ଥାପନ କରାଯିବ।
ପୁଣି ଜେଏସଡବ୍ଲୁ ଗ୍ରୁପ ମଧ୍ୟ ୪୦ ହଜାର କୋଟିର ଇଭି ଓ ବ୍ୟାଟେରୀ ପ୍ରୋଜେକ୍ଟ ଓଡ଼ିଶାରେ କରିବ। କମ୍ପାନି ଓଡ଼ିଶାରେ ୪୦ ହଜାର କୋଟି ଟଙ୍କା ନିବେଶରେ ଏକ ଇଲେକ୍ଟ୍ରିକ ଗାଡ଼ି ଓ ବ୍ୟାଟେରି ନିର୍ମାଣକା କାରଖାନା ବସାଇବ।
କମ୍ପାନି କଟକ ନରାଜ ଠାରେ ଇଲେକ୍ଟ୍ରିକ ଯାନ ଓ ଏହାର ଉପକରଣ ତିଆରି ପାଇଁ ପ୍ଲାଣ୍ଟ ବସାଇବାକୁ ଯୋଜନା ରଖିଥିବାବେଳେ, ପାରାଦ୍ୱୀପରେ କମ୍ପାନୀ ତମ୍ବା ଲିକ୍ବିଡ ପ୍ଲାଣ୍ଟ ସହ ଲିଥିୟମ ରିଫାଇନାରୀ ପ୍ଲାଣ୍ଟ ବସାଇବ। ମୋଟ ୪୦ ହଜାର କୋଟିରେ କମ୍ପାନୀ ୫୦ ଗିଗାୱଟ କ୍ଷମତାଯୁକ୍ତ ଇଭି ବ୍ୟାଟେରୀ ପ୍ଲାଣ୍ଟ, ଇଭି, ଲିଥିୟମ ରିଫାଇନାରୀ ଓ ତମ୍ବା ତରଳାଇବା ପ୍ଲାଣ୍ଟ ବସାଇବାକୁ ଯୋଜନା କରିଛି କମ୍ପାନୀ। ଏଥିରେ ୪ ହଜାର ନିଯୁକ୍ତି ସୃଷ୍ଟି ହେବ ବୋଲି କୁହାଯାଉଛି।