କଟକ୦୬/୦୩: ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ବଡବାବୁ । ବିଡା ବିଡା ଟଙ୍କା ଓ ପୁଳା ପୁଳା ସୁନା ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଆଖି ଟେରା । ସମସ୍ତଙ୍କ ମୁହଁରେ ଗୋଟିଏ କଥା ବାପ୍ରେ ବାବୁଙ୍କ ଘରେ କି ସୁନା... ଗୁରୁବାର ସକାଳୁ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଡେପୁଟି ଟ୍ରାନ୍ସପୋର୍ଟ କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ପଶିଲା ଭିଜିଲାନ୍ସ । କଟକ ଅଫିସ ସହ ଭୁବନେଶ୍ବର,ନୟାଗଡ,ଖୋର୍ଦ୍ଧା, ପୁରୀ ଏକକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଛି ।
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୈତୃକ ଘର, ଭୁବନେଶ୍ବର ମୈତ୍ରୀ ବିବାର ସ୍ଥିତ ଘର, ମଳିପଡାରେ ଥିବା ସଂପର୍କୀୟଙ୍କ ଘର, ପୁରୀ ଟାଉନରେ ଥିବା ସଂପର୍କୀୟଙ୍କ ଘରେ ଛାପା ମାରିଛି ଭିଜିଲାନ୍ସ । ଚଢାଉ ସମୟରେ ନୟାଗଡ ଜିଲ୍ଲା ରଣପୁରରେ ଫାର୍ମ ହାଉସ, ମଳିପଡାରେ ସଂପର୍କୀୟଙ୍କ ନାଁରେ ଥିବା ପେଟ୍ରୋଲ ପମ୍ପ ଠାବ ହୋଇଛି । ସେହିପରି ଗୋବିନ୍ଦପ୍ରସାଦରେ ପ୍ରଦୀପଙ୍କ ନିର୍ମାଣାଧୀନ ୫ ମହଲା କୋଠା ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ । ବିଭିନ୍ନ ସ୍ଥାନରୁ ପୁଳା ପୁଳା ଟଙ୍କା ଓ ବିଡା ବିଡା ନୋଟ୍ ଜବତ ହୋଇଛି । ରେଡ୍ରେ ୨ ଅତିରିକ୍ତ ଏସ୍ପି ଓ ୧୩ ଡିଏସ୍ପି ସାମିଲ ହୋଇଛନ୍ତି । ଏବେ ସୁଦ୍ଧା ଜବତ ମୋଟ୍ ସଂପତ୍ତିର ଆକଳନ କରାଯାଇନି । ରେଡ୍ ସରିବା ପରେ ସ୍ପଷ୍ଟ ହେବ କେତେ ସଂପତ୍ତି ଠୁଳ କରିଛନ୍ତି ଏ ସରକାରୀ ବାବୁ ।