ଭୁବନେଶ୍ବର ୦୪/୦୩: ପୁଣି ଅଶାନ୍ତ ରାଜଧାନୀ । ଛାତି ଥରାଉଛି ରାତିର ତାତି । ରାଜରାସ୍ତାରେ ଚାଲୁଛି ଅସାମାଜିକ ଯୁବକଙ୍କ ରାଜୁତି । ରାତିରେ ବୁଲୁଛି ଖଣ୍ଡା । ଲୋକେ ଆତଙ୍କିତ ।
ଭୁବନେଶ୍ବର ସହିଦ ନଗର ସ୍ଥିତ ପଥରବନ୍ଧ ବସ୍ତିରେ ରାତି ତମାମ ୩ ଜଣ ଯୁବକ ଆତଙ୍କ ଖେଳାଇଛନ୍ତି । ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭୀତ କରିବା ସହ ନିଜର ପତିଆରା ଜାହିର କରିଛନ୍ତି । ଯାହାକୁ ପାରିଲେ ହାଣିଲେ ଆଉ ବାଡେଇଲେ । ବାଟରେ ଯାଉଥିବା ଲୋକ ବି ଏମାନଙ୍କ ଆକ୍ରମଣରୁ ବର୍ତ୍ତିନାହାନ୍ତି । ଶେଷରେ ଠିଆ ହୋଇଥିବା ଅଟୋକୁ ବାଡେଇ ଗୁଣ୍ଡ କରି ଦେଇଛନ୍ତି । ଯୁବକଙ୍କ ଖଣ୍ଡା ବୁଲାଇବା ଓ ମାର୍ପିଟ୍ର ଭିଜୁଆଲ ସାମ୍ନାକୁ ଆସିଛି ।
ରାତି ସାରା ଆତଙ୍କ ଖେଳାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ୩ ଯୁବକ । ଅସାମାଜିକ ଯୁବକଙ୍କ ଏପରି କାଣ୍ଡ ଦେଖି ଭୟଭୀତ ହୋଇଯାଇଛନ୍ତି ସ୍ଥାନୀୟ ଲୋକେ । ପୋଲିସରେ ଅଭିଯୋଗ ପରେ ୩ ଯୁବକଙ୍କୁ ଖୋଜୁଛି ସହିଦ ନଗର ଥାନା ପୋଲିସ । ବିଭିନ୍ନ ସ୍ଥାନରେ ରେଡ୍ କରାଯାଉଛି । ବସ୍ତିରୁ ୩ ଯୁବକଙ୍କୁ ତଡିପାର୍ କରିବାକୁ ଯୋଜନା କରିଛନ୍ତି ସ୍ଥାନୀୟ ଲୋକେ । ଏନେଇ ସ୍ଥାନୀୟ କର୍ପୋରେଟରଙ୍କ ସହ ଲୋକଙ୍କ ଆଲୋଚନା ହୋଇଛି ।
ରାଜଧାନୀ ଭୁବନେଶ୍ବରରେ ଅସାମାଜିକ ବ୍ୟକ୍ତିଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ରୋଡ୍ ରୋମିଓମାନେ ରାତି ହେଲେ ଉତ୍ପାତ ଆରମ୍ଭ କରିଦେଉଛନ୍ତି । ସେମାନଙ୍କୁ ଚେକ୍ ଦେବାକୁ ପୋଲିସ କଡା ଚେକିଂ,ବ୍ଲକିଂ ଓ ନାକାବନ୍ଦୀ କରୁଛି । କିନ୍ତୁ ରାତି ଅଧରେ ଦୁର୍ବୃତ୍ତ ଆତଙ୍କ ଖେଳାଇ ଚାଲିଛନ୍ତି ।