କେନ୍ଦ୍ରାପଡ଼ା: ନା ମୁଁ ଭଲ ପୁଅ ହେଇପାରିଲି, ନା ଭଲ ଭାଇ, ନା ଭଲ ମାମୁ, ନା ଭଲ ଦାଦା, ନା ଭଲ ସାଙ୍ଗ... ସମସ୍ତଙ୍କ ବିଶ୍ବାସ ଆଉ ମନକୁ ଆଘାତ ଦେଇଛି ... ଜୀବନରେ ଗୋଟେ ଭୁଲ ଯୋଗୁ ଜୀବନ ହାରିବାକୁ ବାଧ୍ୟ ହେଲି, ଯେତେ ସୁଧାରିବାକୁ ଚାହିଁଲେ ବି ସୁଧାରିପାରିଲିନି ... ମୋ ଭୁଲ ପାଇଁ ମୁଁ ଶାସ୍ତି ପାଇବା ଦରକାର ... କଲର ଟ୍ରେଡିଂ ଗେମ୍ପଲିଂ ଆପ୍ରେ ସବୁ ପଇସା ହରେଇ ବସିଲି ଆଉ ୨୦-୨୫ ଲକ୍ଷର ଲୋନ୍ ବି କରିଦେଇଥିଲି, ଏଥିରୁ ଓଭରକମ୍ କରିବା ପାଇଁ... କିନ୍ତୁ ସଫଳ ହୋଇପାରିଲାନି, ଏତେ ବଡ ଭୁଲ ମୋ ଦ୍ବାରା କେମିତି ହେଇଗଲା ସବୁ ଜାଣି ବି ଜାଣି ହେଲାନି...
ଏତେ ସବୁ ଲୋନ୍ ଆମାଉଣ୍ଟର ପ୍ରେସର ସହିଲା ଭଳି ମୋ ପାଖରେ ସେ ସାହସ ନାହିଁ ନା ଭରସା ... ଶେଷ ନିଶ୍ବାସ ଯାଏଁ ବହୁତ ଚେଷ୍ଟା କଲି , ଆଉ ଲେଟ୍ କରିଥିଲେ ଆହୁରି ଅଧିକା ଲୋନ କଷ୍ଟ ପାଇଥାନ୍ତେ ମୋ ପାଇଁ ,ଯାହା ମୁଁ ସହିପାରିନଥାନ୍ତି. ଯେତେ ବି ଲୋନ ଅଛି ସବୁ ପର୍ସନାଲ ଲୋନ୍, କୌଣସି ମଡଗେଜ୍ ଲୋନ୍ ନାହିଁ କି କେହି ଗ୍ୟାରେଣ୍ଟର ନାହାନ୍ତି ... କୋଉ ସାଙ୍ଗସାଥୀଙ୍କ ପାଖରୁ ଧାର ବି କରିନି.. କାହାର କିଛି ଅସୁବିଧା ହେବନି, ଲୋନ ମ୍ୟାଟରରେ ...ମୁଁ ଗଲା ପରେ ଏତିକି ଭରସା ଦେଇକି ଯାଉଛି...
ଯେଉଁ ସମୟରେ ବାପା ବୋଉଙ୍କ ସେବା କରିବା କଥା ସେ ସମୟରେ ତାଙ୍କ ମାନଙ୍କୁ ଆଘାତ ଦେଇ ଛାଡି ଚାଲି ଯାଉଛି ...ବହୁତ ଭାଗ୍ୟବାନ ଥିଲି ଏମିତି ବାପା ଆଉ ବୋଉଙ୍କୁ ପାଇଥିଲି.. କିନ୍ତୁ ସେ ସୁଖରୁ ବଞ୍ଚିତ ହେବାକୁ ପଡିଲା...
ଶୁଣିଲେ ତ...ୟେ ଥିଲା କେନ୍ଦ୍ରାପଡା ଲଙ୍କାପଡାର ଅଚ୍ୟୁତାନନ୍ଦ ସାହୁଙ୍କ ଜୀବନ ହାରିବା ପୂର୍ବରୁ ଘରଲୋକଙ୍କୁ ଶେଷ ମେସେଜ ।ଅନଲାଇନ ଟ୍ରେଡିଂର ଭୟଙ୍କର ପରିଣତି । ମଙ୍ଗଳବାର ସକାଳୁ ଝାରସୁଗୁଡା ରେଳ ଷ୍ଟେସନ ନିକଟରୁ ତାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ ।ଟ୍ରେଡିଂ ଆପ୍ରେ ଟଙ୍କା ହାରିବା ପରେ ଟ୍ରେନ ଟ୍ରାକରେ ସବୁଦିନ ପାଇଁ ଶୋଇଯାଇଛନ୍ତି ଅଚ୍ୟୁତାନନ୍ଦ । ତାଙ୍କ ମୃତଦେହ ନିକଟରୁ ପୋଲିସ ଏକ ମୋବାଇଲ ପାଇଥିଲା। ଜୀବନ ହାରିବା ପୂର୍ବରୁ ସେ ମୋବାଇଲରେ ନିଜ ମୃତ୍ୟୁର କାରଣ ନେଇ ମେସେଜ ଛାଡିଛନ୍ତି ।ଯାହା ପୋଲିସର ହସ୍ତଗତ ହୋଇଛି। ସେଥିରୁ ଅଚ୍ୟୁତାନନ୍ଦ ଜୀବନ ହାରିବାର ସ୍ପଷ୍ଟ କାରଣ ମିଳିପାରିଛି । ସେ ଟ୍ରେଡିଂ ଆପ୍ରେ ୨୦ରୁ ୨୫ ଲକ୍ଷ ଟଙ୍କା ହରାଇଦେଇଥିଲେ । ଲୋନ୍ କରି ସେ ଟଙ୍କା ଲଗାଇଥିଲେ ।
ଟଙ୍କା ହାରିଯିବା ପରେ ସେ କେମିତି ତାକୁ ଭରଣା କରିବେ ସେହି ଚିନ୍ତାରେ ସବୁବେଳେ ମାନସିକ ଚାପରେ ରହୁଥିଲେ । ଧିରେ ଧିରେ ଏକୁଟିଆପଣ ତାଙ୍କୁ ଘାରିଲା । ରୁଣ ବୋଝକୁ ନେଇ ଏତେ ବିଚଳିତ ହୋଇଯାଇଥିଲେ ଯେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ । ଝାରସୁଗୁଡା ଜିଆରପି ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି ।
ସୋମବାର ଅପରାହ୍ନ ୪ଟାରେ ହୋଟେଲରେ ଡ୍ୟୁଟି ସାରି ବାହାରି ଯାଇଥିଲେ ଅଚ୍ୟୁତାନନ୍ଦ । କିଛି ସମୟ ପରେ ଘରକୁ ଲମ୍ବା ମେସେଜ ପଠାଇଥିଲେ । ରାତି ୯ଟାରେ ମେସେଜ ପାଇଁ ତୁରନ୍ତ ପରିବାର ଲୋକେ ହୋଟେଲ ମ୍ୟାନେଜରଙ୍କୁ ଫୋନ କରି ଜଣାଇଥିଲେ ।ବିଳମ୍ବିତ ରାତିରେ ଝାରସୁଗୁଡା ପୋଲିସ ଫୋନ ଟ୍ରାକ କରି ଘଟଣାସ୍ଥଳରେ ପହଞ୍ଚିଥିଲା । ହେଲେ ସେତେବେଳକୁ ସବୁ ସରିଯାଇଥିଲା । ଅଚ୍ୟୁତାନନ୍ଦଙ୍କ କ୍ଷତବିକ୍ଷତ ମୃତଦେହ ରେଳଧାରଣାରେ ପଡିଥିଲା । ପୋଲିସ ପାଖରୁ ମୃତଦେହ ନେଇ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସାରି ଫେରିଛନ୍ତି ପରିବାର ଲୋକ ।
ଝାରସୁଗୁଡାର ଏକ ଘରୋଇ ହୋଟେଲ ମାଇକ୍ରୋ କଣ୍ଟିନେଣ୍ଟାଲରେ ଦୀର୍ଘ ୬ ବର୍ଷ ଧରି ମୁଖ୍ୟ କ୍ୟାସିୟର କାମ କରୁଥିଲେ ଅଚ୍ୟୁତାନନ୍ଦ । ସେ ବେଶ ମେଳାପି ଥିଲେ । ଡ୍ୟୁଟିରେ ମଧ୍ୟ କେବେ ଖିଲାପ କରୁନଥିଲେ । ଅଚ୍ୟୁତାନନ୍ଦଙ୍କ ସଂପର୍କରେ କଣ କହୁଛନ୍ତି ହୋଟେଲ ମ୍ୟାନେଜର ।
ସବୁଠୁ ଦୁଃଖର କଥା ହେଉଛି ଆସନ୍ତା ୧୭ରେ ଅଚ୍ୟୁତାନନ୍ଦଙ୍କ ବାହାଘର ସ୍ଥିର ହୋଇଥିଲା । ବାହା ହୋଇ ନୂଆ ଜୀବନ ଆରମ୍ଭ କରିଥାନ୍ତେ । ହେଲେ ତା ପୂର୍ବରୁ ତାଙ୍କ ଜୀବନ ହାରିବାର ନିଷ୍ପତ୍ତି ସମସ୍ତଙ୍କୁ ବିଚଳିତ କରିଛି।
ଅଧିକ ଟଙ୍କା ପାଇବା ଆଶାରେ ଅନଲାଇନ ଟ୍ରେଡିଂକୁ ଆପଣାଉଛନ୍ତି ଯୁବପିଢି । କିଛି ଲୋକଙ୍କୁ ଲାଗୁଛି ଘରେ ବସି ଟଙ୍କା ରୋଜଗାର କରିବାର ୟେ ହେଉଛି ସହଜ ଉପାୟ । ହେଲେ ଏଥିରେ କେତେ ଭୟଙ୍କର ବିପଦ ରହିଛି ତାହା କେହି ଭାବୁନାହାନ୍ତି । ବାରମ୍ବାର ଏପରି ଘଟଣା ଘଟୁଥିଲେ ମଧ୍ୟ କେହି ଚେତୁନାହାନ୍ତି ।