ଭୁବନେଶ୍ୱର ୩୧/୧୨: ଅଦିନିଆ ବର୍ଷାରେ ଚାଷୀଙ୍କ କ୍ଷୟକ୍ଷତି ବୁଝିବା ପାଇଁ ଆଜି ୪ ଜିଲ୍ଲା ଗସ୍ତ କରିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଫସଲହାନି ସ୍ଥିତିର ସମୀକ୍ଷା ପାଇଁ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲା ବୁଲି ଚାଷୀଙ୍କ ସହ କଥା ହେବେ ନବୀନ । ପୁରୀ ଜିଲ୍ଲାର ସତ୍ୟବାଦୀରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ । ଜଗତସିଂହପୁର ଜିଲ୍ଲା ବାହାରଣା ପଞ୍ଚାୟତର ରତିସିଂହା ଯାଇ ସେଠାରେ ଚାଷୀଙ୍କ ସହ ଆଲୋଚନା କରିବେ ।
କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଦୋସିଆ ଚାଷୀଙ୍କୁ ବି ଭେଟିବେ ନବୀନ । କଟକ ସାଲେପୁରରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବା ସହ ଫସଲ କ୍ଷୟକ୍ଷତି ନେଇ ଅଧିକାରୀଙ୍କ ସହ ଆଲୋଚନା କରିବେ ନବୀନ ପଟ୍ଟନାୟକ । ଗତକାଲି ନବୀନ ଗଞ୍ଜାମ ଜିଲ୍ଲାର ୫ଟି ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ । ଅଦିନିଆ ବର୍ଷାରେ ବ୍ୟାପକ କ୍ଷତି ହୋଇଛି । ତୁରନ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି ନବୀନ ।
ଅଦିନିଆ ବର୍ଷା ଉଜାଡି ଦେଇଛି ବର୍ଷକ ଆହାର । ପରିବାର କିଭଳି ଚଳାଇବ ସେ ନେଇ ଚିନ୍ତାରେ ପଡିଛି ଚାଷୀ କୁଳ । ତେବେ ଚାଷୀ କ୍ଷତିପୂରଣ ଦାବି କରିଥିବା ବେଳେ ପିପିଲିରେ ମଧ୍ୟ ଏକର ଏକର ଅମଳ ଧାନ ଗଜା ହୋଇଯାଇଛି । ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ଗସ୍ତରେ ଯାଉଛନ୍ତି । ଗସ୍ତରେ ଯାଇ ଚାଷୀଙ୍କ ବର୍ଷାରେ ହୋଇଥିବା କ୍ଷୟକ୍ଷତି ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି ।