ଭୁବନେଶ୍ବର ୨ /୧୨: ଥମୁନି ଆଳୁ ଟେନ୍ସନ୍ । ଘରେ ବାହାରେ,ବଜାର ହାଟ ସବୁଠି ଆଳୁ ଚର୍ଚ୍ଚା । ଦର ବୃଦ୍ଧି ପ୍ରତିବାଦରେ ସରଗରମ ବିଧାନସଭା ଶୁନ୍ୟକାଳ । ଆଳୁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଆଳୁକୁ ନେଇ ସରକାର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ ରବିବାର କହିଲେ ମୁଁ ୩୦ ଟଙ୍କାରେ ଆଳୁ କିଣିଲି ସେ କେଉଁ ଦୋକାନରୁ କିଣିଲେ ଯେ ସୋମବାର କିଲୋ ୬୦ ଟଙ୍କା ହୋଇଗଲା । ମନ୍ତ୍ରୀ କେତେବେଳେ କହୁଛନ୍ତି ଆଳୁ ଟ୍ରେନରେ ଆସୁଛି । ଡବଲ ଇଞ୍ଜିନ ସରକାର ହୋଇ କାହିଁକି ଇଞ୍ଜିନ ଟାଣିପାରୁନାହିଁ ବୋଲି କଟାକ୍ଷ କରିଛନ୍ତି । ସରକାର କେବଳ ନାନାବାୟା କଥା କହୁଛନ୍ତି । କଣ ପଦକ୍ଷେପ ନେଇଛନ୍ତି ଜଣାନ୍ତୁ । ଆଳୁ ଦର ନିୟନ୍ତ୍ରଣ ପାଇଁ କାହାକୁ ଚିଠି ଲେଖିଛନ୍ତି ? ସ୍ପଷ୍ଟୀକରଣ ଦିଅନ୍ତୁ ସରକାର । ଉତ୍ତରପ୍ରଦେଶରୁ ଆସୁଥିବା ଆଳୁରେ ୫୦ କେଜିରୁ ୧୦ କେଜିରେ ପଚା ବାହାରୁଛି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ।
କଂଗ୍ରେସ ମଧ୍ୟ ଆଳୁ ପ୍ରସଙ୍ଗରେ ସରକାରଙ୍କୁ ଘେରିଛି । ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ସରକାର ଆସିବା ପରେ ଆଳୁ ସହ ସବୁ ଦରଦାମ ବଢିଛି । ଆଳୁ ଆସୁଛି ଆସୁଛି ବୋଲି କହୁଛନ୍ତି ହେଲେ ୪ ମାସ ହେବ ଆଳୁ ଆସିପାରୁନି । ଖାଉଟି ହନ୍ତସନ୍ତ ହେଉଛନ୍ତି । ବିଭାଗୀୟ ମନ୍ତ୍ରୀ ଯେଉଁ ଶସ୍ତା ମନ୍ତବ୍ୟ ଦେଉଛନ୍ତି ସେଥିରୁ କ୍ଷାନ୍ତ ରୁହନ୍ତୁ ବୋଲି କହିଛନ୍ତି ରାମଚନ୍ଦ୍ର କାଡାମ ।