ପାକ୍ ସୋସିଆଲ ମିଡିଆରେ ପହଲଗାମ ଟ୍ରେଣ୍ଡ୍, ଗୁଗୁଲରେ କରାଯାଉଛି ଏହି ସବୁ ସର୍ଚ୍ଚ

Published By : Prameya-News7 Bureau | April 24, 2025 IST

ମୁମ୍ଵାଇ ୨୪।୦୪; ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ  ଲୋକଙ୍କ କ୍ରୋଧ ସ୍ପଷ୍ଟ ଦେଖିବାକୁ ମିଳିଛି। ଅଧିକାଂଶ ଲୋକ ପାକିସ୍ତାନ ଓ ତା’ର ଆତଙ୍କବାଦୀ ସଙ୍ଗଠନଗୁଡ଼ିକୁ ଖୁବ୍‌ ଗାଳି କରୁଛନ୍ତି । ଏଥର  ଆତଙ୍କବାଦୀଙ୍କୁ କଡ଼ା ଜବାବ ମିଳୁ ବୋଲି ଦେଶବାସୀ ସରକାରଙ୍କୁ  ଅନୁରୋଧ କରୁଛନ୍ତି, ଯାହା ଦ୍ୱାରା ସେମାନେ ଭବିଷ୍ୟତରେ କେବେ ଏଭଳି  ସାହସ କରିବେ ନାହିଁ । ଏହି ଆକ୍ରମଣକୁ ନେଇ ପାକିସ୍ତାନରୁ ଔପଚାରିକ  ପ୍ରତିକ୍ରିୟା ବି ସାମ୍ନାକୁ ଆସିଛି । 

ପାକିସ୍ତାନର ରକ୍ଷା ମନ୍ତ୍ରୀ ଖ୍ୱାଜା ଆସିକ ବୟାନ  ଦେଇ କହିଛନ୍ତି, ପହଲଗାମ ଆତଙ୍କୀ ହମ୍‌ଲାରେ ପାକିସ୍ତାନର କୌଣସି  ସମ୍ପର୍କ ନାହିଁ । ପାକିସ୍ତାନ ସବୁ ପ୍ରକାର ଆତଙ୍କବାଦକୁ ନିନ୍ଦା କରୁଛି ବୋଲି  ମଧ୍ୟ ସେ କହିଛନ୍ତି । ଅନ୍ୟପକ୍ଷେ, ଭାରତରେ ପାକିସ୍ତାନର ପୂର୍ବ ଉଚ୍ଚାୟୁକ୍ତ ଅବଦୁଲ ବାସିତ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସରେ ଲେଖିଛନ୍ତି, ମୋର  ପୂରା ବିଶ୍ୱାସ ଯେ ପାକିସ୍ତାନ ଭାରତର ଯେକୌଣସି ଆକ୍ରମଣକୁ ବିଫଳ  କରିବା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ । ମୋର କୌଣସି ସନ୍ଦେହ ନାହିଁ ଯେ ଏ  ଥର ପାକିସ୍ତାନର ଜବାବ ମୁହଁତୋଡ଼ ହେବ।  ଏହି ଆକ୍ରମଣର ପ୍ରଭାବ ପାକ୍‌ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।  ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସରେ ପହଲଗାମ୍‌ ଟେରୋରିଷ୍ଟ୍‌ ଆଟାକ୍‌  ହାଶ୍‌ଟ୍ୟାଗ୍‌ ଟ୍ରେଣ୍ଡ୍‌ କରୁଛି । ଏଥିସହ ମୋଦି ହାଶ୍‌ଟ୍ୟାଗ୍‌ ମଧ୍ୟ ଟ୍ରେଣ୍ଡ୍‌ରେ।  

ପାକିସ୍ତାନରେ ଏକ୍ସ ପ୍ଲାଟ୍‌ଫର୍ମରେ ଅନେକ ହାଶ୍‌ଟ୍ୟାଗ୍‌ ଓ କିୱାର୍ଡ ଚର୍ଚ୍ଚାରେ   ଅଛି । ଏଥିସହ କାଶ୍ମୀର, ମୋଦି, ପୁଲୱାମା ଓ ଜମ୍ମୁ ଭଳି କିୱାର୍ଡ ମଧ୍ୟ ଟ୍ରେଣ୍ଡ୍‌  କରୁଛି । ପାକିସ୍ତାନରେ ଲୋକେ ଗୁଗଲ୍‌ରେ ଆକ୍ରମଣ ସମ୍ବନ୍ଧୀୟ କିୱାର୍ଡ  ଯଥା- ପହଲଗାମ ଓ ପହଲଗାମ୍‌ ଆଟାକ୍‌କୁ ସର୍ଚ୍ଚ କରୁଛନ୍ତି । ଏଥିରୁ ପଡ଼ୋଶୀ   ଦେଶରେ ଆକ୍ରମଣକୁ ନେଇ ହଲ୍‌ଚଲ ଓ ଚିନ୍ତା ସ୍ପଷ୍ଟ ବାରି ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.