Indian Navy: ପାକିସ୍ତାନକୁ ଜଳ, ସ୍ଥଳ ଓ ଆକାଶରେ ଘେରିବାକୁ ପ୍ରସ୍ତୁତି, INS ‘ସୁରଟ’ରୁ ସଫଳ ମିସାଇଲ୍ ପରୀକ୍ଷଣ

Published By : Prameya-News7 Bureau | April 24, 2025 IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆକ୍ସନ ମୁଡ୍‌ରେ କେନ୍ଦ୍ର ସରକାର। ପଡ଼ୋଶୀ ଦେଶକୁ ହାତରେ ନମାରି ଭାତରେ ମାରିବାକୁ ଯୋଜନା ଚାଲିଛି । ଏନେଇ ସରକାର ସିନ୍ଧୁ ନଦୀ ଜଳସନ୍ଧିକୁ ରଦ୍ଦ କରିଦେଇଛନ୍ତି । ଫଳରେ ଭାରତରୁ ପାକିସ୍ତାନ ଯାଉଥିବା ନଦୀଗୁଡ଼ିକର ପାଣିକୁ ଅଟକାଇ ଦିଆଯିବ । ଏହାଦ୍ବାରା ପଡ଼ୋଶୀ ଦେଶ ବିଶେଷ ଭାବେ ପ୍ରଭାବିତ ହେବ । ଅନ୍ୟପଟେ ଆତଙ୍କୀ ଅଲଆଉଟ୍ ଅଭିଯାନ ମଧ୍ୟ ଆରମ୍ଭ ହୋଇଯାଇଛି । ଏହାରି ଭିତରେ ଭାରତୀୟ ନୌସେନା ବଡ଼ ଉପଲବ୍ଧୀ ହାସଲ କରିଛି । ସ୍ବଦେଶୀ ଯୁଦ୍ଧପୋତ ଆଇଏନଏସ ‘ସୁରଟ’ରୁ ସଫଳ ମିସାଇଲ୍ ପରୀକ୍ଷଣ ହୋଇଛି ।

ବଢ଼ିଲା ନୌସେନାର ଶକ୍ତି:

ଭାରତୀୟ ନୋସେନାକୁ ମିଳିଥିବା ସ୍ବଦେଶୀ ଯୁଦ୍ଧପୋତ ଆଇଏନଏସ ସୁରଟ ଆରବ ସାଗରରେ ଶକ୍ତି ପ୍ରଦର୍ଶନ କରିଛି । ମହାସମୁଦ୍ରରେ ସଫଳତାର ସହିତ ମିସାଇଲ୍ ପରୀକ୍ଷଣ ହୋଇଛି । ସଠିକ୍ ଭାବେ ଟାର୍ଗେଟକୁ ହିଟ୍ କରିଛି ବିଧ୍ବଂସକାରୀ କ୍ଷେପଣାସ୍ତ୍ର । ଏହି ଉପଲବ୍ଧୀ ନୌସେନାକୁ ଆହୁରି ଶକ୍ତିଶାଳୀ କରୁଛି । ଗୋଟିଏ ପଟେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ବେଳେ ଅନ୍ୟପଟେ ଆଇଏନଏସ ସୁରଟରୁ ସଫଳ ମିସାଇଲ୍ ପରୀକ୍ଷଣ ମହତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।

ଆରବ ସାଗରରୁ ମିସାଇଲ୍ ପରୀକ୍ଷଣ କାହିଁକି ଗୁରୁତ୍ବପୂର୍ଣ୍ଣ

ମହାସମୁଦ୍ରରେ ଆଇଏନଏସ୍ ‘ସୁରଟ’ରୁ ବିଧ୍ବଂସକାରୀ ମିସାଇଲ୍ ପରୀକ୍ଷଣ ହୋଇଛି । ଆରବସାଗରରେ ଏହି ପରୀକ୍ଷଣ ବିଶେଷ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । କାରଣ ପାକିସ୍ତାନ ମଧ୍ୟ ଏହି ଅଞ୍ଚଳରେ ମିସାଇଲ୍ ପରୀକ୍ଷଣ କରିଥାଏ । ସୂଚନା ଅନୁଯାୟୀ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାରଙ୍କ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସିନ୍ଧୁ ନଦୀ ଜଳଚୁକ୍ତି ରଦ୍ଦ କରାଯାଇଛି । ଭାରତରେ ଥିବା ପାକିସ୍ତାନୀଙ୍କୁ ଶୀଘ୍ର ଦେଶ ଛାଡ଼ିବାକୁ କୁହାଯାଇଛି । ସେପଟେ ପାକିସ୍ତାନ ସିନ୍ଧୁ ନଦୀ ଜଳଚୁକ୍ତି ରଦ୍ଦକୁ ଜଳଯୁଦ୍ଧ ବୋଲି କହିଛି । ଏହାସହିତ ଆରବ ସାଗରରେ ମିସାଇଲ୍ ପରୀକ୍ଷଣ ପାଇଁ ବିଜ୍ଞପ୍ତୀ ଜାରି କରିଛି ।   

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.