ନୂଆଦିଲ୍ଲୀ ୨୪।୪: ଜମ୍ମୁ-କାଶ୍ମୀର ପହଲଗାମ ଗୁଳିକାଣ୍ଡ ଘଟଣାର ତୃତୀୟ ଦିନ ଗୁରୁବାର ବାନ୍ଦିପୋରାରୁ ସୁରକ୍ଷା କର୍ମୀ ୩ ଜଣ ଲସ୍କର ସହଯୋଗୀଙ୍କୁ ଗିରଫ କରିଛନ୍ତି। ସେପଟେ ଘଟଣାକୁ ନେଇ ସାରା ଦେଶରେ ସୁରକ୍ଷା କଡ଼ାକଡ଼ି କରାଯାଇଥିବା ବେଳେ ଗୁଜରାଟ ଉପକୂଳ ସୁରକ୍ଷା ମଧ୍ୟ ବଢାଇ ଦିଆଯାଇଛି। ସ୍ଥାନୀୟ ଅଧିକାରୀ ଗୁରୁବାର ଏହି ସୂଚନା ଦେଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଉପକୂଳ ସହ ରାଜ୍ୟର ପ୍ରମୁଖ ଧାର୍ମିକ ସ୍ଥଳ ସୁରକ୍ଷା ମଧ୍ୟ କଡ଼ାକଡ଼ି ହୋଇଛି।
ରାଜକୋଟ ରେଞ୍ଜ ଆଇଜି ଅଶୋକ କୁମାର ଯାଦବ କହିଛନ୍ତି ଯେ ପାକିସ୍ତାନର ନିକଟତା କାରଣରୁ ଗୁଜରାଟ ପୋଲିସକୁ ସତର୍କ କରାଯାଇଛି। ପଡୋଶୀ ଦେଶ ସହିତ ଗୁଜରାଟ ସମୁଦ୍ର ଓ ଭୂ-ଭାଗରେ ସୀମା ନିର୍ଦ୍ଧାରଣ କରୁଛି। ରାଜକୋଟ ରେଞ୍ଜ ଅନ୍ତର୍ଗତ ୫ଟି ଜିଲ୍ଲାରୁ ୩ଟି ଜାମନଗର, ମୋରବୀ ଓ ଦେବଭୂମି ଦ୍ୱାରକା ସମୁଦ୍ରକୁ ଲାଗି ରହିଛି। ଏଣୁ ଉପକୂଳ ସୁରକ୍ଷା ବଢାଇ ଦିଆଯିବା ସହିତ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏଥିରେ ଏସଓଜି ଏବେ ଉପକୂଳରେ ପାଟ୍ରୋଲିଂ ଆରମ୍ଭ କରିଦେଇଛନ୍ତି।
ଏହି କ୍ରମରେ ଗୁଜରାଟର ପ୍ରମୁଖ ଧାର୍ମିକ ସ୍ଥଳ ଯେପରି ସୋମନାଥ ମନ୍ଦିର, ଦ୍ୱାରକାଧୀଶ ମନ୍ଦିର ଓ ଅମ୍ବାଜୀ ମନ୍ଦିରର ସୁରକ୍ଷା ବଢାଯାଇଛି। ଏହି ସବୁ ମନ୍ଦିରକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥାନ୍ତି। ଅନ୍ୟପଟେ ଜମ୍ମୁ-କାଶ୍ମୀରରେ ଗୁରୁବାର ବାନ୍ଦିପୋରାର ଏକ ଚେକ୍ ପଏଣ୍ଟରେ ପାକିସ୍ତାନ ସ୍ଥିତ ନିଷିଦ୍ଧ ଆତଙ୍କବାଦ ସଙ୍ଗଠନ ଲସ୍କର-ଏ-ତୌୟବା (ଏଲଇଟି) ସହ ସମ୍ପର୍କିତ ୩ ଜଣଙ୍କୁ ଗିରଫ କରାଯାଇଛି। ଗରୁରାହଜିନ ଅଞ୍ଚଳରେ ତଲାସୀ ଅଭିଯାନ ବେଳେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ସହଏହି ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ଜବତ ଅସ୍ତ୍ରଶସ୍ତ୍ରରେ ଗୋଟିଏ ଚୀନ ନିର୍ମିତ ପିସ୍ତଲ ଥିବା ବେଳେ ୨ଟି ମ୍ୟାଗଜିନ ଓ କେତେକ ହ୍ୟାଣ୍ଡଗ୍ରାନେଡ ମିଳିଛି।