ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ଘଟଣାରେ ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ ଏକାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ଗୁରୁବାର ପାକିସ୍ତାନ ପାଇଁ ଭିସା ରଦ୍ଦ କରାଯାଇଛି। ଅଟାରୀ ବର୍ଡର ବନ୍ଦ କରାଯାଇଛି। ଏଥିସହିତ ଯେଉଁ ପାକିସ୍ତାନୀମାନେ ଭାରତରେ ଅଛନ୍ତି ସେମାନେ ତୁରନ୍ତ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପାକିସ୍ତାନରେ ଥିବା ଭାରତୀୟଙ୍କୁ ତୁରନ୍ତ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପଢନ୍ତୁ- ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା: ସୁରକ୍ଷାରେ ତ୍ରୁଟି ଥିବା ସ୍ୱୀକାର କଲେ କେନ୍ଦ୍ର ସରକାର !
ଦୁଇ ଦେଶ ମଧ୍ୟରେ ଦେଖା ଦେଇଥିବା ଉତ୍ତଜେନା ପରେ ଭାରତ-ପାକିସ୍ତାନ ସମ୍ପର୍କର ପ୍ରତୀକ ଅଟାରୀ-ୱାଘା ସୀମାରେ ଥିବା ପ୍ରତୀକାତ୍ମକ ଫାଟକଗୁଡ଼ିକ ଗୁରୁବାର ବନ୍ଦ ରହିଥିଲା। ତେବେ ଉଭୟ ପାର୍ଶ୍ୱରେ ପରସ୍ପର ଦେଶ ସେମାନଙ୍କର ରିଟ୍ରିଟ୍ ଉତ୍ସବ ପାଳନ କରିଥିଲା। ତେବେ ସରକାରଙ୍କ ନିର୍ଦ୍ଦେଶକ୍ରମେ ପାକିସ୍ତାନରୁ ଫେରି ଆସୁଥିବା ନାଗରିକମାନଙ୍କ ପାଇଁ ସୀମା ପାର ହୋଇ ଆସିବାକୁ ଅନୁମତି ଦିଆଯାଇଛି ବୋଲି ପଞ୍ଜାବ ପୋଲିସ ପ୍ରୋଟୋକଲ ଅଧିକାରୀ ଅରୁଣ ମହଲ ସୂଚନା ଦେଇଛନ୍ତି।
ମହଲ ଏଏନ୍ଆଇକୁ ଦେଇଥିବା ପ୍ରତିକ୍ରିୟାରେ ସେ କହିଛନ୍ତି “ଅଟାରୀ ସୀମାରୁ ମୋଟ ୨୮ ଜଣ ପାକିସ୍ତାନୀ ନାଗରିକ ଭାରତରୁ ଚାଲିଯାଇଛନ୍ତି। ସେହିପରି ୧୦୫ ଜଣ ଭାରତୀୟ ନାଗରିକ ପାକିସ୍ତାନରୁ ଫେରିଛନ୍ତି। ପର୍ଯ୍ୟଟକଙ୍କ ସଂଖ୍ୟା ଉପରେ ଏହାର ପ୍ରଭାବ ପଡ଼ିଛି।”
ପଢନ୍ତୁ- ‘ଆକ୍ରମଣ’ ଆରମ୍ଭ କଲା ବାୟୁସେନା, ଯୁଦ୍ଧାଭ୍ୟାସରେ ରାଫେଲ୍ ସହ ସୁଖୋଇ ବିମାନ ସାମିଲ
ଉତ୍ତେଜନା ପରେ ସୀମା ସୁରକ୍ଷା ବାହିନୀ (BSF) ଘୋଷଣା କରି କହିଛି ଯେ ଅଟାରୀ, ହୁସେନିୱାଲା ଏବଂ ସାଦକିରେ ଉତ୍ସବଗତ କାର୍ଯ୍ୟକଳାପକୁ ଏବେ ବନ୍ଦ କରାଯିବ। ପ୍ରମୁଖ ପରିବର୍ତ୍ତନଗୁଡ଼ିକ ମଧ୍ୟରେ, ଭାରତ ଏବଂ ପାକିସ୍ତାନୀ କମାଣ୍ଡରଙ୍କ ମଧ୍ୟରେ ପାରମ୍ପରିକ ଭାବେ ହାତ ମିଳାଇବା ପରମ୍ପରାକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଏବଂ ରିଟ୍ରିଟ୍ ସମାରୋହ ସମୟରେ ଫାଟକଗୁଡ଼ିକ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ରହିଛି।
ଏପ୍ରିଲ ୨୨ ତାରିଖରେ ଜାମ୍ମୁ-କାଶ୍ମୀର ବାଇସରନ ତୃଣଭୂମୀ ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ଜୀବନ ଯାଇଥିଲା। ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ରହିଥିଲେ। ଏହାପରେ ଭାରତ ପାକିସ୍ତାନ ବିରୋଧରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିନ୍ଧୁ ଜଳ ଚୁକ୍ତି ସ୍ଥଗତି ରଖିବା, ଭିସା କ୍ୟାନସଲ କରିବା, କୂଟନୈତିକ ସମ୍ପର୍କ ଛିନ୍ନ କରିବା ଭଳି ନିଷ୍ପତ୍ତି ନେଇଛି। ତା ସହିତ ପାକିସ୍ତାନୀ ହାଇକମିଶନର ଅଧିକାରୀମାନଙ୍କୁ ପର୍ସୋନା ନନ୍ ଗ୍ରାଟା(ଅନାବଶ୍ୟକ ବ୍ୟକ୍ତି) ଘୋଷଣା କରି ସପ୍ତାହେ ମଧ୍ୟରେ ସେମାନଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପଢନ୍ତୁ- ପହଲଗାମ ଘଟଣାକୁ କୌଣସି ପରିସ୍ଥିତିରେ ନ୍ୟାୟୋଚିତ କୁହାଯାଇ ପାରିବନି, ବିଶ୍ୱ ନିନ୍ଦା କରିବା ଦରାକର: ଭାରତ