ନୂଆଦିଲ୍ଲୀ: ପହଲଗାମ ଆକ୍ରମଣକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି । ଆତଙ୍କବାଦ ଉପରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇ ଅନେକ ବଡ଼ ନିଷ୍ପତ୍ତି ମଧ୍ୟ ଭାରତ ନେଇଛି । ଏହାରି ଭିତରେ ଭାରତୀୟ ବାୟୁସେନା ବଡ଼ ଯୁଦ୍ଧାଭ୍ୟାସ ଆରମ୍ଭ କରିଛି । ବାୟୁସେନା ଏହି ଯୁଦ୍ଧାଭ୍ୟାସର ନାଁ ‘ଆକ୍ରମଣ’ ରଖିଛି ।
ସୂତ୍ର ଅନୁସାରେ ଭାରତୀୟ ବାୟୁସେନା ମୈଦାନ ଓ ପାହାଡ଼ିଆ ଅଞ୍ଚଳ ସହ ବିଭିନ୍ନ ଅଞ୍ଚଳରେ ଅପରେସନ ପାଇଁ ଜଟିଳ ଅଭ୍ୟାସ କରୁଛି । ରାଫେଲ୍ ଯୁଦ୍ଧବିମାନ ଏହି ଅଭ୍ୟାସର ନେତୃତ୍ୱ ନେଉଛି । ଏହି ଯୁଦ୍ଧାଭ୍ୟାସ ଉପରେ ବାୟୁସେନା ମୁଖ୍ୟାଳୟ ନଜର ରଖିଛି । ଭାରତୀୟ ବାୟୁସେନାର ଟପ୍ ଗନ୍ ପାଇଲଟ୍ ଏହି ଅଭ୍ୟାସରେ ସାମିଲ ଅଛନ୍ତି ।
ଏହି ଯୁଦ୍ଧାଭ୍ୟାସରେ ପାଇଲଟ୍ ପାହାଡ଼ ଓ ଭୂମି ଉଭୟ ସ୍ଥାନରେ ଟାର୍ଗେଟଙ୍କୁ ନଷ୍ଟ କରୁଛନ୍ତି । ଯୁଦ୍ଧାଭ୍ୟାସ ପାଇଁ ପୂର୍ବ କ୍ଷେତ୍ରରୁ ଅନେକ ଲଢୁଆ ଓ ଟ୍ରାନ୍ସପୋର୍ଟ ବିମାନ ଅଣାଯାଇଛି । ଉଲ୍ଲେଖଯୋଗ୍ୟ ଯେ ୨୦୧୯ ଫେବ୍ରୁଆରୀରେ ପୁଲୱାମା ଆକ୍ରମଣ ପରେ ଏୟାରଷ୍ଟ୍ରାଇକରେ ଭାରତୀୟ ବାୟୁସେନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ୨୦୧୯ରେ ହୋଇଥିବା ଏୟାରଷ୍ଟ୍ରାଇକ୍ ପାଇଁ ଭାରତୀୟ ବାୟୁସେନା ମିରାଜ-୨୦୦୦ ଯୁଦ୍ଧ ବିମାନ ବ୍ୟବହାର କରିଥିଲା । ଏହାପରେ ଭାରତୀୟ ବାୟୁସେନା ରାଫେଲ ଯୁଦ୍ଧବିମାନକୁ ସାମିଲ କରି ନିଜ ଶକ୍ତିକୁ ଆହୁରି ବଢାଇଛି ।
Also Read: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା: ସୁରକ୍ଷାରେ ତ୍ରୁଟି ଥିବା ସ୍ୱୀକାର କଲେ କେନ୍ଦ୍ର ସରକାର !