ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଭାରତ ସରକାର ଡକାଇଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି। ବୈଠକ ସରିବା ପରେ ବିଭିନ୍ନ ନେତାଙ୍କ ଆଡ଼ୁ ପ୍ରତିକ୍ରିୟା ସାମ୍ନାକୁ ଆସୁଛି। ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଦଳମତ ନିର୍ବିଶେଷରେ ସମସ୍ତେ କଡ଼ା ନିନ୍ଦା କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ପହଲଗାମରେ ସୁରକ୍ଷାରେ ତ୍ରୁଟି ଥିବା କେନ୍ଦ୍ର ସରକାର ସ୍ୱୀକାର କରିଛନ୍ତି। ସର୍ବଦଳୀୟ ବୈଠକରେ, ସରକାର କହିଛନ୍ତି ଯେ ବିନା ଗୁଇନ୍ଦା ଅନୁମତିରେ ସ୍ଥାନୀୟ କର୍ତ୍ତୃପକ୍ଷମାନେ ପହଲଗାମରେ ବୈସାରଣ ଖୋଲିଥିଲେ। ଯାହାଫଳରେ ଏହି ଘଟଣା ଘଟିଛି।
ପଢନ୍ତୁ- ସର୍ବଦଳୀୟ ବୈଠକ ପରେ ସରକାରଙ୍କୁ ବିରୋଧୀଙ୍କ ସମର୍ଥନ: ରାହୁଲ କହିଲେ, ଆକ୍ସନ ନେଲେ ଆମେ ସପୋର୍ଟ କରିବୁ
ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେର ଖବର ଅନୁସାରେ, ଗୃହମନ୍ତ୍ରୀ ଅମିତ ଶାହ ସୁରକ୍ଷାରେ ତ୍ରୁଟି ହୋଇଥିବା ସ୍ୱାକାର କରିଛନ୍ତି। ଏନେଇ ସେ ବୈଠକରେ କହିଛନ୍ତି “ଯଦି କିଛି ଭୁଲ ହୋଇନଥାନ୍ତା, ତେବେ ଆମେ ଏଠାରେ କାହିଁକି ବସିଥାନ୍ତୁ? କୌଣସି ସ୍ଥାନରେ କିଛି ଭୁଲ ହୋଇଛି ଯାହା ଆମକୁ ଖୋଜିବାକୁ ପଡିବ।”
ଗୁରୁବାର ବସିଥିବା ସର୍ବଦଳୀୟ ବୈଠକରେ କେନ୍ଦ୍ର ସରକାର ବିରୋଧୀ ଦଳମାନଙ୍କୁ ପାହଲଗାମରେ ହୋଇଥିବା ଆତଙ୍କବାଦୀ ଘଟଣାର ସମସ୍ତ ସୂଚନା ଦେଇଥିଲେ। ଏହାପରେ ତାକୁ ନେଇ ଅନେକ ଆଲୋଚନା ହୋଇଥିଲା। ବୈଠକ ସମୟରେ ଅନେକ ବିରୋଧୀ ଦଳ ସୁରକ୍ଷା ପ୍ରୋଟୋକଲର ବିଫଳତା ନେଇ ପ୍ରଶ୍ନ ଉଠାଇଥିଲେ। "ସୁରକ୍ଷା ବାହିନୀ କେଉଁଠି ଥିଲା? କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ କେଉଁଠି ଥିଲା? ବୋଲି ଅନେକ ନେତା ପଚାରିଥିଲେ।
ଯାହାର ଜବାବରେ କେନ୍ଦ୍ର ସରକାର କହିଥିଲେ ଯେ ଅନନ୍ତନାଗ ଜିଲ୍ଲାର ପହଲଗାମ ନିକଟସ୍ଥ ବୈସାରନ ଅଞ୍ଚଳ ଖୋଲିବା ପୂର୍ବରୁ ସ୍ଥାନୀୟ କର୍ତ୍ତୃପକ୍ଷ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସୂଚନା ଦେଇନଥିଲେ। ଏହି ସ୍ଥାନ ପାରମ୍ପାରିକ ଭାବରେ ଜୁନ୍ ମାସରେ ଅମରନାଥ ଯାତ୍ରା ପର୍ଯ୍ୟନ୍ତ ପ୍ରତିବନ୍ଧିତ ରହିଥାଏ। ତେବେ ବିନା ସୂଚନା ସ୍ଥାନୀୟ କର୍ତ୍ତୃପକ୍ଷ ଏହାକୁ ଖୋଲି ଦେଇଥିଲେ ବୋଲି ସରକାର କହିଥିଲେ।
ଏହାପରେ ଆତଙ୍କବାଦୀ ଆକ୍ରମଣ ପରେ ବହୁ ବିଳମ୍ବରେ ସେନାର ପ୍ରତିକ୍ରିୟାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଯାଇଥିଲା। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ, ସରକାରୀ ଅଧିକାରୀମାନେ କହିଥିଲେ ଯେ ଏହି ସ୍ଥାନଟି ୪୫ ମିନିଟ୍ ଉଚ୍ଚ ପାଦଚଲା ରାସ୍ତା ଥିଲା ଏବଂ ଏପରି ଜରୁରୀକାଳୀନ ପରିସ୍ଥିତିକୁ ଶୀଘ୍ର ପରିଚାଳନା କରିବା ପାଇଁ କୌଣସି ଏସ୍ଓପି(ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଜର) ନାହିଁ।
ପଢନ୍ତୁ- ସୀମାରେ BSF ଜବାନଙ୍କୁ ଧରିନେଲେ ପାକିସ୍ତାନୀ ରେଞ୍ଜର୍ସ, ଆଖିରେ ପଟି ବାନ୍ଧି ଜାରି କଲେ ଫଟୋ
ଏହା ପୂର୍ବରୁ ଆପ୍ ସାଂସଦ ସଞ୍ଜୟ ସିଂହ ମଧ୍ୟ ସୁରକ୍ଷା ତ୍ରୁଟି ନେଇ ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ ଯେ ୨୨ ତାରିଖରେ ସୁରକ୍ଷା ଏଜେନ୍ସିଙ୍କୁ ନ ଜଣାଇକି ସେହି ସ୍ଥାନ ଖୋଲି ଦିଆଯାଇଥିଲା। ଗୋଟିଏ ସ୍ଥାନରେ ହଜାରେ ୨ ହଜାର ଲୋକ ଯାଉଛନ୍ତି ହେଲେ ପୁଲିସ ଜାଣିନି, ଗୁଇନ୍ଦା ଜାଣିନି କି ସେନା ଜାଣିନି। ଆତଙ୍କବାଦୀ ଆସୁଛନ୍ତି ଓ ମାରିକି ଚାଲିଯାଉଛନ୍ତି। ତେଣୁ ସୁରକ୍ଷାରେ ତ୍ରୁଟି ହୋଇଛି। ଏହାର ଉତ୍ତରଦାୟିତ୍ୱ ସ୍ଥିର କରି କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ସଞ୍ଜୟ ସିଂହ କହିଛନ୍ତି।
ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ଭାରତ ଏକାଠି ହୋଇ ଆତଙ୍କବାଦ ବିରୋଧରେ ଲଢ଼ିବ ବୋଲି ସମସ୍ତ ଦଳ ଏକମତ ହୋଇଛନ୍ତି। ଆତଙ୍କବାଦ ବିରୋଧରେ ଏହି ଲଢ଼େଇରେ ସମସ୍ତ ଦଳ ସରକାରଙ୍କ ସହିତ ଅଛନ୍ତି ବୋଲି କହିଛନ୍ତି। ସରକାର ଯେକୌଣସି ପଦକ୍ଷେପ ନେବେ, ଆମେ ତାହାକୁ ସମର୍ଥନ କରିବୁ ବୋଲି ବିରୋଧୀ ନେତା କହିଛନ୍ତି। ବୈଠକ ଏକ ସକାରାତ୍ମକ ଭାବନା ସହ ଶେଷ ହୋଇଥିଲା ବୋଲି ମନ୍ତ୍ରୀ କହିଛନ୍ତି।
ଅନ୍ୟପଟେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଜମ୍ମୁ-କାଶ୍ମୀରରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର ଜବାବରେ ସରକାର ଯେକୌଣସି କାର୍ଯ୍ୟାନୁଷ୍ଠାନ ନେବେ ବିରୋଧୀ ଦଳ ଏହାକୁ ପୂର୍ଣ୍ଣ ସମର୍ଥନ ଦେବ ବୋଲି ରାହୁଲ କହିଛନ୍ତି।
ବୈଠକରେ କିଏ ଯୋଗ ଦେଇଥିଲେ ?
ଆଜିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁପସ୍ଥିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏନେଇ ବିରୋଧୀ ଦଳର ନେତାମାନେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ମୋଦୀଙ୍କ ବ୍ୟତୀତ ଆଜିର ସର୍ବଦଳୀୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କ ସମେତ ପ୍ରମୁଖ ମନ୍ତ୍ରୀମାନେ ସରକାରଙ୍କ ପ୍ରତିନିଧିତ୍ୱ କରିଥିଲେ।
ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରମୁଖ ସଂସଦୀୟ ନେତାମାନେ - ରାଜ୍ୟସଭା ଗୃହ ନେତା ଜେପି ନଡ୍ଡା, ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଏକାଠି ହୋଇଥିଲେ। ଏହା ବାଦ ସୁପ୍ରିୟା ସୁଲେ (ଏନସିପି-ଏସପି), ପ୍ରଫୁଲ୍ଲ ପଟେଲ (ଏନସିପି), ଅସଦୁଦ୍ଦିନ ଓୱେସି (ଏଆଇଏମ୍ଆଇଏମ୍), ସସ୍ମିତ ପାତ୍ର (ବିଜେଡି), ଲାଭୁ ଶ୍ରୀକୃଷ୍ଣ ଦେବାରାୟାଲୁ (ଟିଡିପି), ଶ୍ରୀକାନ୍ତ ଶିନ୍ଦେ (ଶିବସେନା), ସଞ୍ଜୟ ସିଂ (ଏଏପି), ସୁଦୀପ ବାନ୍ଦୋପାଧ୍ୟାୟ (ଟିଏମସି), ପ୍ରେମଚାନ୍ଦ ଗୁପ୍ତା (ଆରଜେଡି), ଟି ଶିବ (ଡିଏମକେ), ଏବଂ ରାମ ଗୋପାଳ ଯାଦବ (ସପା) ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।