ସର୍ବଦଳୀୟ ବୈଠକ; ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ମିଟିଂ ଜାରି, ରାହୁଲ ଗାନ୍ଧିଙ୍କ ସମେତ ବହୁ ନେତା ସାମିଲ୍

Published By : Prameya-News7 Bureau | April 24, 2025 IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି । ଦିଲ୍ଲୀ ସ୍ଥିତ ସଂସଦ ଭବନରେ ଏହି ଅଲ୍ ପାର୍ଟି ମିଟିଂ ହେଉଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ଅଧ୍ୟକ୍ଷତା କରୁଛନ୍ତି । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ୍ ଶାହ, ଏଆଇସିସି ସଭାପତି ତଥା ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡଗେ, ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏବଂ ଅନ୍ୟ ରାଜନୈତିକ ପାର୍ଟିଗୁଡ଼ିକର ସଦସ୍ୟମାନେ ଉପସ୍ଥିତ ରହିଛନ୍ତି । ସର୍ବଦଳୀୟ ବୈଠକ ଆରମ୍ଭରୁ ମୃତକଙ୍କ ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଛି । ଏଥିରେ ଆତଙ୍କବାଦୀ ଆକ୍ରମଣକୁ ନେଇ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି ।


ଏପ୍ରିଲ ୨୨ ତାରିଖରେ ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ସାରା ଦେଶକୁ ଦୋହଲାଇ ଦେଇଛି । 'ମିନି ସ୍ୱିଜରଲ୍ୟାଣ୍ଡ' ଭାବେ ଜଣାଶୁଣା 'ବୈସାରନ' ଉପତ୍ୟକାରେ ଆତଙ୍କବାଦୀମାନେ ଅଚାନକ ହମଲା କରିଥିଲେ । ଏଥିରେ ୨୬ଜଣ ପର୍ଯ୍ୟଟକଙ୍କ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଲସ୍କର-ଏ-ତୈବାର ସହଯୋଗୀ ସଂଗଠନ, ରେଜିଷ୍ଟାନ୍ସ ଫ୍ରଣ୍ଟ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି । 

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ବୁଧବାର ପାକିସ୍ତାନ ସହିତ କୂଟନୈତିକ ସମ୍ପର୍କକୁ ବ୍ୟାପକ ଭାବରେ ହ୍ରାସ କରିବା, ୧୯୬୦ ସିନ୍ଧୁ ଜଳ ଚୁକ୍ତିନାମାକୁ ରଦ୍ଦ କରିବା ସହିତ ଅଟାରୀ ଚେକ୍ ପୋଷ୍ଟକୁ ବନ୍ଦ କରିବା ଭଳି ଅନେକ ନିଷ୍ପତ୍ତି ନେଇ ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇଛି । ଏହାଛଡ଼ା ଆଜିର ସର୍ବଦଳୀୟ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇପାରେ ବୋଲି କୁହାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.