ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଗୁରୁବାର ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଆଜି ସଂଧ୍ୟାରେ ଏହି ମିଟିଂ ବସିବ । ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଅଧ୍ୟକ୍ଷତା କରିବାକୁ କଂଗ୍ରେସ ପାର୍ଟି ଦାବି କରିଛି । ତେବେ ଏହି ବୈଠକ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଓ ବିଦେଶମନ୍ତ୍ରୀ ଡ. ଏସ ଜୟଶଙ୍କର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି । ସର୍ବଦଳୀୟ ମିଟିଂ ପୂର୍ବରୁ ଶାହ ଓ ଜୟଶଙ୍କରଙ୍କ ସାକ୍ଷାତ ବହୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।
ସୂଚନା ଅନୁଯାୟୀ, ଗୃହମନ୍ତ୍ରୀ ଅମିତ୍ ଶାହ ଓ ବିଦେଶ ମନ୍ତ୍ରୀ ଡ.ଏସ ଜୟଶଙ୍କର ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ଭେଟ କରି ପହଲଗାମ ଆତଙ୍କବାଦୀ ହମଲା ବାବଦରେ ଆଲୋଚନା କରିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା ସୁରକ୍ଷା ବୈଠକରେ କ୍ୟାବିନେଟ୍ ସମିତି ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏଥିରେ ସିନ୍ଧୁ ନଦୀ ଜଳ ବୁଝାମଣା ଚୁକ୍ତିକୁ ତତ୍କାଳ ରଦ୍ଦ କରିଦିଆଯାଇଛି । ସେହିପରି ଅଟାରୀ ଓ ଓ୍ବାଘା ବର୍ଡରକୁ ସିଲ୍ କରାଯାଇଛି । ଏହାଛଡ଼ା ଭାରତରେ ରହୁଥିବା ପାକିସ୍ତାନୀ ନାଗରିକଙ୍କୁ ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାକିସ୍ତାନ ଡିପ୍ଲୋମାଟଙ୍କୁ ଶୀଘ୍ର ଭାରତ ଛାଡ଼ିବାକୁ ଆଦେଶ ମଧ୍ୟ ଦିଆଯାଇଛି । ଅନ୍ୟପଟେ ଭାରତୀୟ ସେନାକୁ ଆଲର୍ଟରେ ରହିବାକୁ କୁହାଯାଇଛି ।
ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ଜଣଙ୍କ ମୃତ୍ୟୁ:
ଏପ୍ରିଲରେ ୨୨ ତାରିଖରେ ଜମ୍ମୁ-କାଶ୍ମୀରର ପହଲଗାମକୁ ଦେଶର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଛୁଟି ମନାଇବାକୁ ଯାଇଥିଲେ । ଉପତ୍ୟକା ସୌନ୍ଦର୍ଯ୍ୟକୁ ପରିବାର ସହିତ ଉପଭୋଗ କରୁଥିବା ବେଳେ ଅଚାନକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ପର୍ଯ୍ୟଟକଙ୍କୁ ନାଁ ଓ ଧର୍ମ ପଚାରି ଅତର୍କିତ ଗୁଳିମାଡ଼ କରିଥିଲେ । ଏଥିରେ ୨୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଏହାକୁ ନେଇ କେନ୍ଦ୍ର ସରକାର ଏବେ ଆକ୍ସନ ମୁଡରେ ଆସିଛନ୍ତି । ଭାରତୀୟ ସେନା ଅତଙ୍କୀଙ୍କ ସ୍କେଚ୍ ଜାରି କରି ସର୍ଚ୍ଚ ଅପରେସନ ଚଳାଇଛି ।