୧୦୭ ଲକ୍ଷ୍ୟ ହାସଲ ପାଇଁ ନାକେଦମ ହେଲା ପାକିସ୍ତାନ, ବିଜୟ ସହ ଟି-୨୦ ବିଶ୍ଵ କପରୁ ନେଲା ବିଦାୟ

Published By : Prameya-News7 Bureau | June 16, 2024 IST

abp live

ଫ୍ଲୋରିଡ଼ା: ଟି-୨୦ ବିଶ୍ଵକପ୍ ୨୦୨୪ରୁ ବାଦ୍ ପଡ଼ିଥିବା ପାକିସ୍ତାନ ନିଜର ଶେଷ ଲିଗ୍ ମ୍ୟାଚ୍‌କୁ ବହୁ କଷ୍ଟରେ ଜିତି ପାରିଛି। ୧୦୭ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ସଫଳ ହୋଇଥିଲେ ହେଁ ଦଳ ୭ ଓ୍ଵିକେଟ୍ ହରାଇଛି। ଅଧିନାୟକ ବାବର ଆଜମ ୩୨ ରନର ଅପରାଜିତ ଇନିଂସ ଖେଳି ଦଳକୁ ଜିତାଇଛନ୍ତି। ଶାହୀନ ଆଫ୍ରିଦି ୫ ବଲରୁ ୧୩ ରନର ଉପଯୋଗୀ ବ୍ୟାଟିଂ କରିଛନ୍ତି। ବିଜୟ ସହ ପାକିସ୍ତାନ ଲିଗ୍ ପର୍ଯ୍ୟାୟରୁ ବିଦାୟ ନେଇଛି। ପ୍ରଥମେ ବ୍ୟାଟିଂ କରିଥିବା ଆୟରଲାଣ୍ଡ ୯ ଓ୍ଵିକେଟ୍ ହରାଇ ୧୦୬ ରନ କରିଥିଲା। ଡେଲାନି ୩୧ ରନ ଓ ଜୋସୁଆ ଲିଟିଲ ୨୨ ରନର ଅପରାଜିତ ଇନିଂସ ଖେଳିଥିଲେ। ବୋଲିଂରେ ପାକିସ୍ତାନ ପକ୍ଷରୁ ଇମାଦ ଓ୍ଵାସିମ ମାତ୍ର ୮ ରନ ଦେଇ ୩ଟି ଓ ଶାହୀନ ଆଫ୍ରିଦି ୨୨ ରନ ଦେଇ ୩ଟି ସଫଳତା ହାସଲ କରିଛନ୍ତି। 

୧୦୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ପାକିସ୍ତାନକୁ ନାକେଦମ ହେବାକୁ ପଡ଼ିଛି। ସାଇମ ଆୟୁବ ଓ ମହମ୍ମଦ ରିଜଓ୍ଵାନ ପ୍ରତ୍ୟେକ ୧୭ ରନ ଲେଖାଏଁ କରି ପାଭିଲିୟନ ଫେରିଥିଲେ। ଅଧିନାୟକ ବାବର ଆଜମ ଗୋଟିଏ ମୋଟେ ଇନିଂସ ସମ୍ଭାଳିଥିଲେ ହେଁ ଅନ୍ୟପଟେ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ଫସିଥିଲା ପାକିସ୍ତାନ। ଫଖର ଜମାନ(୫), ଉସ୍ମାନ ଖାଁ(୨), ଶାଦବ ଖାଁ(୦) ଏବଂ ଇମାଦ ଓ୍ଵାସିମ(୪) ବହୁତ ନିରାଶ କରିଥିଲେ। ୬୨ ରନରେ ୬ ଓ୍ଵିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା ପାକିସ୍ତାନ। ଲାଗୁଥିଲା ପୁଣି ଏକ ବିପର୍ଯ୍ୟୟ ଘଟିବ। ତେବେ  ଆବାସ ଆଫ୍ରିଦି(୧୭)ଙ୍କ ସହ ମିଶି ବାବର ଆଜମ ସପ୍ତମ ଓ୍ଵିକେଟ୍ ପାଇଁ ବହୁମୂଲ୍ୟ ୩୫ ରନ ଯୋଡ଼ିଥିଲେ। ଆବାସ ଆଉଟ୍ ହେବାରୁ ମ୍ୟାଚ୍ ରୋମାଞ୍ଚକର ମୋଡ ନେଇଥିଲା।  ଶାହୀନ ଆଫ୍ରିଦି କ୍ରିଜକୁ ୨ ବଡ଼ ଛକା ମାରି ଦଳକୁ ଜିତାଇଥିଲେ। ଅଧିନାୟକ ବାବର ଆଜମ ୩୨ ରନର ଅପରାଜିତ ଇନିଂସ ଖେଳି ଥିବା ବେଳେ ଶାହୀନ ଆଫ୍ରିଦି ୫ ବଲରୁ ୧୩ ରନର ବିସ୍ଫୋରକ ବ୍ୟାଟିଂ କରିଛନ୍ତି।

ଆୟରଲାଣ୍ଡ ପକ୍ଷରୁ ବୋଲିଂରେ ବାରି  ମ୍ୟାକର୍ଥି ୧୫ ରନ ଦେଇ ୩ଟି ଓ୍ଵିକେଟ୍ ହାସଲ କରିଛନ୍ତି। କର୍ଟିସ ଚାମ୍ପର ୨୪ ରନ ଦେଇ ୨ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।  

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.