ନିଜ ମାଆଙ୍କ ବିବାହ କରାଇଲା ପୁଅ, ସୋସିଆଲ ମିଡିଆରେ ୟୁଜର୍ସ କରୁଛନ୍ତି ପ୍ରଶଂସା

Published By : Prameya-News7 Bureau | December 30, 2024 IST

ନୂଆଦିଲ୍ଲୀ: ଆମ ସମାଜରେ ଏଭଳି ଅନେକ ମହିଳା ଅଛନ୍ତି ଯେଉଁମାନେ ପରିବାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥାନ୍ତି। ପରିବାରର ସୁଖ ହିଁ ହୋଇଥାଏ ସେମାନଙ୍କ ପାଇଁ ସର୍ବୋପରି । ନିଜ ସ୍ବାମୀ, ସନ୍ତାନଙ୍କ ମଙ୍ଗଳ ପାଇଁ ନିଜ ଇଚ୍ଛାକୁ ସେ ଜଳାଞ୍ଜଳି ଦେଇଥାନ୍ତି। ହେଲେ ସେହି ମହିଳାଙ୍କ ମନରେ କେଉଁଠି ନା’ କେଉଁଠି ରହିଥାଏ କିଛି ଆଶା, ଆକାଂକ୍ଷା। ଥାଏ ନିଜ ହିସାବରେ ଜୀବନ ଜୀଇଁବାର ଇଚ୍ଛା। ଏମିତିରେ ସେମାନେ ଆଶା କରିଥାନ୍ତି କେହି ଟିକେ ବୁଝନ୍ତା ସେ କ’ଣ ଚାହାନ୍ତି ? ବୋଧ ଏବେ ଜଣେ ପୁଅ ବୁଝିଛି ନିଜ ମାଆର ଇଚ୍ଛା। ସେଥିପାଇଁ ମାଆକୁ ଦେଇଛି ଦ୍ବିତୀୟ ଥର ପ୍ରେମ ତଥା ସ୍ବାଧୀନ ଜୀବନ ଜୀଇଁବାର ସୁଯୋଗ। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା।   

ମାଆ-ପୁଅ ସଂପର୍କର ଏହି ନୂଆ ଉଦାହରଣ ସୃଷ୍ଟି କରିଥିବା ଏହି ଘଟଣା ପଡ଼ୋଶୀ ପାକିସ୍ତାନର। ପାକିସ୍ତାନର ୧୮ ବର୍ଷୀୟ ଅବଦୁଲ ଅହଦ କରାଇଛନ୍ତି ନିଜ ମାଆଙ୍କର ବିବାହ । ଆଉ ଏ ତମାମ ଘଟଣା ସଂପର୍କରେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଅବଦୁଲ।  ତାଙ୍କର ଏଭଳି ପଦକ୍ଷେପ ବିଶ୍ବ ସମାଜକୁ ଏକ ବଡ଼ ବାର୍ତ୍ତା ଦେଇଥିବାବେଳେ ପୁରୁଷ ପ୍ରାଧାନ୍ୟ ସମାଜର ଆଖି ଖୋଲି ଦେଇଥିବା କୁହାଯାଉଛି ।  

ପୁଅ ଅବଦୁଲ କହିଛି ମାଆ ଦୀର୍ଘ ୧୮ ବର୍ଷ ଧରି ସବୁ ଦୁଃଖ କଷ୍ଟକୁ ସହି ତାକୁ ବଡ଼ କରିଥିଲେ । ୧୮ ବର୍ଷ ହେଲା ସେ ତା ମାଆ ପ୍ରାଥମିକତା ରହିଆସିଥିଲା । ଆଉ ଆଜି ମାଆର ଋଣ ସୁଝିବାକୁ ସମୟ ଆସିଛି। ତା’ ମାଆଙ୍କ ଜୀବନରେ ଅନ୍ୟ ଏକ ମଣିଷକୁ ପ୍ରାଥମିକତା ମିଳୁ ବୋଲି ଖୋଦ୍‌ ପୁଅ ସ୍ଥିର କରିଛି। ଆଉ କରିଛି ନିଜ ଜୀବନର ସବୁଠାରୁ ବଡ଼ ତ୍ୟାଗ। ସେପଟେ ଅବଦୁଲଙ୍କ ଏହି କାର୍ଯ୍ୟକୁ ସାରା ବିଶ୍ବ ଏବେ ସଲାମ କରୁଛି । ଏହି ହୃଦୟସ୍ପର୍ଶୀ କାହାଣୀ ଏବେ ସମସ୍ତଙ୍କୁ ହୃଦୟକୁ ଛୁଇଁଛି। 

ଅବଦୁଲଙ୍କ ଇନଷ୍ଟା ପୋଷ୍ଟକୁ ୧୦ ଲକ୍ଷରୁ ଅଧିକ ଭିୟୁ ମିଳିଥିବାବେଳେ ପ୍ରାୟ ୭୦ ହଜାର ଲାଇକ୍ ମିଳିସାରିଛି ।  ନିଜ ମାଆଙ୍କ ସହ ଅବଦୁଲଙ୍କ ପିଲା ବେଳର ଫଟୋ, ହସଖୁସିର ମୁହୁର୍ତ୍ତ ସବୁ ଇନଷ୍ଟା ପୋଷ୍ଟରେ ସେୟାର କରାଯାଇଛି ।  ଭିଡିଓରେ ମହିଳାଙ୍କ ବିବାହ ବେଳର ଫଟୋ ଏବଂ ନିକାହ ଦସ୍ତାବିଜ ମଧ୍ୟ ରହିଛି । 

ଅବଦୁଲ ଅହଦ କହିଛନ୍ତି, ‘ଆମକୁ ପାଳିବାକୁ ଏବଂ ବଡ଼ କରିବାକୁ ମା’ ନିଜ ଜୀବନରେ ୧୮ ବର୍ଷ ଦେଇଛନ୍ତି । ମୁଁ ମଧ୍ୟ ତାଙ୍କୁ ଏକ ଭଲ ଜୀବନ ଦେବାକୁ ଚେଷ୍ଟା କରିଛି, ଯେତିକି ମୁଁ କରିପାରିବି ।  ମୋତେ ଲାଗୁଛି ସେ ଏକ ଶାନ୍ତିପୂର୍ଣ୍ଣ ଜୀବନ ବିତାଇବାକୁ ହକ୍ଦାର । ମୋତେ ଲାଗୁଛି ମୁଁ ଠିକ୍ କାମ କରିଛି । ୧୮ ବର୍ଷ ପରେ ପ୍ରେମ ଏବଂ ନୂଆ ଜୀବନ ପାଇବା ଦିଗରେ ମାଙ୍କୁ ସମର୍ଥନ କରିଛି।’

ସେପଟେ ଅବଦୁଲଙ୍କ ଏଭଳି ପଦକ୍ଷେପକୁ ନେଇ ତାଙ୍କ ମା’ ଖୁସି ବ୍ୟକ୍ତ କରିଛନ୍ତି । ପିଲାମାନେ ତାଙ୍କର ସବୁ ବଡ଼ ସମର୍ଥକ ବୋଲି ସେ କହିଛନ୍ତି । ଏଭଳି ପିଲାଙ୍କୁ ପାଇ ନିଜକୁ ଭାଗ୍ୟବାନ ମନେ କରୁଥିବା ବେଳେ ଜୀବନ କେତେ ସୁନ୍ଦର ତାହା ଅନୁଭବ କରିପାରୁଛନ୍ତି ବୋଲି ମହିଳାଜଣଙ୍କ କହିଛନ୍ତି । ମାଙ୍କ ଜୀବନକୁ ସୁନ୍ଦର କରାଇବାକୁ ଯାଇ ସେ କରିଥିବା ତ୍ୟାଗ ପାଇଁ ଅବଦୁଲଙ୍କୁ ସୋସିଆଲ ମିଡିଆ ୟୁଜର ପ୍ରଶଂସାରେ ପୋତି ପକାଇଛନ୍ତି ।  

ଜଣେ ୟୁଜର ଲେଖିଛନ୍ତି, ଏହା କରିବାକୁ ସାହସ ଦରକାର, କିନ୍ତୁ ତୁମେ (ଅବଦୁଲ) କରିପାରିଛ । ଅନ୍ୟ ଜଣେ ଲେଖିଛନ୍ତି, ‘ସତରେ ତୁମେ ଜଣେ ଜେଣ୍ଟଲ ମ୍ୟାନ୍ ।’ ଜଣେ ମା’ର ତୁମେ ଭଲ ପୁଅ।  ଯିଏ ନିଜ ମା’ଙ୍କ ଖୁସି ପାଇଁ ଏତେ ଅଧିକ ଚିନ୍ତା କରିପାରୁଛି ବୋଲି ଆଉ ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.