ପଞ୍ଚୁକର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି, ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା

Published By : Prameya-News7 Bureau | November 12, 2024 IST

ପୁରୀ: ମହଧାର୍ମିକ କାର୍ତ୍ତିକ ମାସର ଶ୍ରେଷ୍ଠ ପାଞ୍ଚଦିନ ପଞ୍ଚୁକ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ପଞ୍ଚୁକର ଆଜି ପ୍ରଥମ ଦିନରେ ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରୁଛନ୍ତି। ପଞ୍ଚୁକ ନୀତି ଶୃଙ୍ଖଳିତ ପାଇଁ ସମସ୍ତ ସେବାୟତଙ୍କ ସହ ଆଲୋଚନା ହୋଇଛି। ନୀତିରେ ସାମାନ୍ୟ ବିଳମ୍ବ ରହୁଛି। ନୀତି କିଭଳି ତ୍ଵରିତ ହୋଇପାରିବ ସେନେଇ ବିଶେଷ ଦୃଷ୍ଟି ଦିଆଯିବ। 

ନୀତି ଚାଲୁଥିବା ସମୟରେ ମାଇକ ଯୋଗେ ଭକ୍ତମାନଙ୍କୁ ସୂଚନା ଦିଆଯାଉଛି। ମରିଚିକୋଟ ଛକରୁ ହୋଇଥିବା ବ୍ୟାରିକେଡ଼ରେ ଆସେସ୍ କଣ୍ଟ୍ରୋଲ ସିଷ୍ଟମ ମାଧ୍ୟମରେ ଭିଡ଼ ପରିଚାଳନା କରାଯାଉଛି। ସେହିପରି ବ୍ୟାରିକେଡରେ ସେଡ଼ ବ୍ୟବସ୍ଥା ସହ ପାନୀୟ ଜଳ ଓ ବସିବା ପାଇଁ ବ୍ୟବସ୍ଥା ହୋଇଛି। 

ଏଥର ପଞ୍ଚୁକ ୫ ଦିନ ପରିବର୍ତ୍ତେ ୪ ଦିନ ପଡ଼ୁଥିବାରୁ ଭିଡ ଆହୁରି ବଢିବାର ସମ୍ଭାବନା ରହିଛି। ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତ ଶ୍ରଦ୍ଧାଳୁମାନେ କେବଳ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି। ଅନ୍ୟ ତିନି ଦ୍ୱାର ଅର୍ଥାତ ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି। ଚୂନରା ସେବକଙ୍କ ଦ୍ୱାରା ଅପରାହ୍ନ ୩.୩୦ ରୁ ୪ ଟା ମଧ୍ୟରେ ଧ୍ୱଜା ବନ୍ଧାଯାଉଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଛି। ୧୩ରେ ବାଙ୍କଚୂଡ଼ା ବେଶ, ୧୪ରେ ଡାଳିକିଆ ବା ତ୍ରିବିକ୍ରମ ବେଶ ଏବଂ ୧୫ ତାରିଖ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବା ସୁନାବେଶ ଅନୁଷ୍ଠିତ ହେବ। 

ଚଳିତ ବର୍ଷ ତିଥିରେ କ୍ଷୟ ପଡୁଥିବାରୁ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବ ନାହିଁ। ଶ୍ରୀମନ୍ଦିର ଭିତରେ ମଧ୍ୟ ଭକ୍ତଙ୍କ ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି। କାର୍ତ୍ତିକ ପୂର୍ଣ୍ଣମୀରେ ମଧ୍ୟ ବ୍ୟବସ୍ଥାକୁ ଆହୁରି ଶୃଙ୍ଖଳିତ କରାଯିବ।  ତେବେ କାର୍ତ୍ତିକ ମାସ ପରେ ନୂତନ ଦର୍ଶନ ବ୍ୟବସ୍ଥା ହେବ। ଏନେଇ ରୂପରେଖ ପ୍ରସ୍ତୁତ କରାଯାଉଛି। ତେବେ ଆଗକୁ ନୂତନ ପରିଚାଳନା କମିଟି ଆସିବା ପରେ ନୂତନ ଦର୍ଶନ ବ୍ୟବସ୍ଥା ସହ ନୂତନ ବର୍ଷ ଭିଡ଼ ପାଇଁ ନୀତି ନିର୍ଦ୍ଧାରିତ ହେବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.