ନୂଆଦିଲ୍ଲୀ; ଲାଭ ବଦଳରେ କ୍ଷତି ହୋଇଗଲା । ଆଇସିସି ଚାମ୍ପିଅନ୍ସ ଟ୍ରଫି ଅୟୋଜନ କରି ଦେବାଳିଆ ପାକିସ୍ତାନ କ୍ରିକେଟ୍ ବୋର୍ଡ । କୋଟିଏ କି ଦୁଇ କୋଟି ନୁହେଁ, ଭାରତୀୟ ମୁଦ୍ରାରେ ପ୍ରାୟ ୮ ଶହ କୋଟି ଟଙ୍କାର କ୍ଷତି ହୋଇଛି । ପ୍ରଥମେ ପରାଜୟ ପରେ ଆର୍ଥିକ ବୋଝରେ ମାଟି କାମୁଡ଼ିଛି ପିସିବି ।
ଗତ ୯ ତାରିଖରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ ଖେଳା ଯାଇଥିଲା । ନ୍ୟୁଜିଲାଣ୍ଡକୁ ହରାଇ ଟିମ୍ ଇଣ୍ଡିଆ ଚାମ୍ପିଅନ ହୋଇଛି । ଦୁବାଇରୁ ବିସିସିଆଇକୁ ଟ୍ରଫି ଆସିଥିବା ବେଳେ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଲାଗିଛି ବଡ଼ ଝଟକା । ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରି କୋଟି କୋଟି ଟଙ୍କା ଆୟ ଆଶା ରଖିଥିଲା ପିସିବି । ହେଲେ ସବୁ ଆଶା ମଉଳି ଯାଇଛି, ଭାରି ପଡ଼ିଛି ଆୟୋଜନ । ଚାମ୍ପିଅନ୍ସ ଟ୍ରଫି ଆୟୋଜନରେ ପିସିବି ୮୫% କ୍ଷତି ସହିଥିବା ରିପୋର୍ଟରୁ ଜଣାପଡ଼ିଛି । ପାକ୍ ବୋର୍ଡ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ପାଇଁ ଭାରତୀୟ ମୁଦ୍ରାରେ ମୋଟ୍ ୮୫୧ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ବଦଳରେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ଆୟ କରିଛି ମାତ୍ର ୫୨ କୋଟି ଟଙ୍କା । ଫଳରେ ପାକ୍ ବୋର୍ଡକୁ ପାଖାପାଖି ୭୯୯ କୋଟି ଟଙ୍କା କ୍ଷତି ହୋଇଛି । ଏହାର ଭରଣା ପାଇଁ ଘରୋଇ ଖେଳାଳିମାନଙ୍କ ଦରମା କାଟ୍ କରାଯାଇଛି ।
ପିସିବି କେବଳ ଷ୍ଟାଡିୟମ ମରାମତି ଓ ନବୀକରଣ ବାବଦରେ ୧୮ ବିଲିୟନ ପାକିସ୍ତାନୀ ଟଙ୍କା ଖର୍ଚ୍ଚ କରିଥିଲା । ଭାରତୀୟ ମୁଦ୍ରାରେ ଏହା ୫୦୪ କୋଟି ଟଙ୍କା ହେବ । ଯାହା ଆୟୋଜନ ବଜେଟ୍ ଠାରୁ ୫୦% ଅଧିକ ରହିଥିଲା। ଏହା ବ୍ୟତୀତ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଆଉ ୪୦ ନିୟୁତ ଡଲାର ବା ଭାରତୀୟ ମୁଦ୍ରାରେ ୩୪୭ କୋଟି ଟଙ୍କା ଅଲଗା ଖର୍ଚ୍ଚ କରିଥିଲା । ଆୟୋଜନ ବାବଦରେ ପାକିସ୍ତାନକୁ ମିଳିଥିଲା ଭାରତୀୟ ମୁଦ୍ରାରେ ମାତ୍ର ୫୨ କୋଟି ଟଙ୍କା । ଏହା ବାଦ୍ ଟିକେଟ୍ ବିକ୍ରି ଓ ପ୍ରାୟୋଜନରୁ ପିସିବି କିଛି ଅର୍ଥ ପାଇଥିଲା ।
୨୦୧୭ରେ ଚାମ୍ପିଅନ ହୋଇଥିବା ପାକିସ୍ତାନ ଏଥର ଆୟୋଜକ ରହିଥିଲେ ହେଁ ଗୋଟିଏ ହେଲେ ମ୍ୟାଚ ଜିତି ନପାରି ମାତ୍ର ୫ ଦିନ ମଧ୍ୟରେ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା । ଲିଗ୍ ପର୍ଯ୍ୟାୟରୁ ଆଗକୁ ବଢ଼ି ପାରିନଥିଲା ପାକିସ୍ତାନ । ନ୍ୟୁଜିଲାଣ୍ଡ ଓ ଭାରତ ଠାରୁ ପରାଜିତ ହୋଇଥିବାବେଳେ ବାଂଲାଦେଶ ବିପକ୍ଷ ମ୍ୟାଚ୍କୁ ବର୍ଷା ଧୋଇ ନେଇଥିଲା । ମୋଟ ଉପରେ ଦେଖିବାକୁ ଗଲେ ପାକିସ୍ତାନ ଗୋଟିଏ ଘରୋଇ ମ୍ୟାଚ୍ ଖେଳିବା ବାବଦରେ ପ୍ରଚୁର ଟଙ୍କା ଖର୍ଚ୍ଚ କରିଛି । କାରଣ ବାଂଲାଦେଶ ବିପକ୍ଷ ମ୍ୟାଚ୍ ବାତିଲ ହୋଇଥିଲା ଓ ଭାରତ ବିପକ୍ଷ ମ୍ୟାଚ୍ ଦୁବାଇରେ ଆୟୋଜନ କରାଯାଇଥିଲା । କ୍ରୀଡ଼ାସୂଚୀ ଅନୁଯାୟୀ ପାକିସ୍ତାନରେ ୧୦ଟି ମ୍ୟାଚ୍ ଆୟୋଜନ ହେବାର ଥିଲା । ଏଥିରୁ ୩ଟି ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା ଓ ଫାଇନାଲ୍ ମ୍ୟାଚ୍ ଦୁବାଇକୁ ସ୍ଥାନାନ୍ତରିତ ହୋଇଥିଲା । କ୍ଷତିର ଭରଣା ପାଇଁ ଖେଳାଳିଙ୍କ ଦରମା କାଟିବାକୁ ବାଧ୍ୟ ହୋଇଛି ପାକ୍ ବୋର୍ଡ । ଘରୋଇ ଟି-ଟ୍ୱେଣ୍ଟି ଚାମ୍ପିଅନସିପ୍ରେ ଘରୋଇ ଖେଳାଳିଙ୍କ ଦରମା ୯୦% ଓ ରିଜର୍ଭ ଖେଳାଳିଙ୍କ ଦରମା ୮୭.୫% ହ୍ରାସ କରାଯାଇଛି । ଖାଲି ସେତିକି ନୁହେଁ, ସେମାନଙ୍କ ଯାତ୍ରା ଓ ହୋଟେଲରେ ରହିବା ଖର୍ଚ୍ଚ ମଧ୍ୟ କାଟ୍ କରାଯାଇଛି ।