ମେଟ୍ରା ପ୍ରକଳ୍ପ DPR ବଦଳେଇବା ପ୍ରସଙ୍ଗ, କଟାକ୍ଷ କଲେ ମେୟର

Published By : Prameya-News7 Bureau | March 18, 2025 IST

ଭୁବନେଶ୍ୱର ୧୮/୦୩: ଭୁବନେଶ୍ୱରରୁ ମେଟ୍ରୋ ପ୍ରକଳ୍ପ DPR ବଦଳେଇବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ୍ । ସେ କହିଛନ୍ତି DPR ବଦଳେଇବାର କାରଣ କଣ ମୁଁ ଜାଣିପାରୁନି । ନବୀନ ବାବୁ ୨୦୨୭ ସୁଦ୍ଧା ଭୁବନେଶ୍ୱରରେ ମେଟ୍ରୋ ଚଳାଇବା ପାଇଁ ସ୍ୱପ୍ନ ଦେଖିଥିଲେ । ଏବେ ମେଟ୍ରୋ ପ୍ରକଳ୍ପ ସମ୍ଭବ ହେଲା ଭଳି ଲାଗୁନି ବୋଲି କଟାକ୍ଷ କରିଛନ୍ତି ଭୁବନେଶ୍ୱରରେ ମେୟର ।

ସରକାର ବଦଳାଇବେ ମେଟ୍ରୋ DPR, ତ୍ରିଶୁଳିଆ ନୁହେଁ କଟକ ଯାଏଁ ଗଡିବ ମେଟ୍ରୋ

ରାଜ୍ୟ ସରକାରଙ୍କ ବିବୃତି ଜଣାପଡୁଛି ମେଟ୍ରୋ ସପକ୍ଷରେ ସେ ନାହାନ୍ତି । କମ୍ ଲୋକ ସଂଖ୍ୟା ଥିଲେ ବି ଜନମଙ୍ଗଳ ଦୃଷ୍ଟିରୁ ରାଜ୍ୟ ପାଣ୍ଠିରୁ ନବୀନ ବାବୁ ମେଟ୍ରୋ ପାଇଁ ବ୍ୟବସ୍ଥା କରିଥିଲେ । ହେଲେ ଏମାନଙ୍କ ହାବଭାବ ଦେଖି ଜଣାପଡୁନି ଯେ, ଏମାନେ କରିବା ମୁଡ୍‌ରେ ନାହାଁନ୍ତି। ଯଦି କରିବେ କେବେ କରିବେ ସରକାର ଜଣାନ୍ତୁ ବୋଲି କହିଛନ୍ତି ମେୟର । 

ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ,  ପୂର୍ବ ସରକାରଙ୍କ ମେଟ୍ରୋ ରେଳ ପ୍ରକଳ୍ପ DPR ବଦଳିବ। ବର୍ତ୍ତମାନ ପୂର୍ବ DPRର ତର୍ଜମା ଚାଲିଛି ଏବଂ ମେଟ୍ରୋ ପ୍ରକଳ୍ପ ନେଇ ଖୁବ ଶୀଘ୍ର ନୂଆ DPR ପ୍ରସ୍ତୁତ ହେବ।   ଯେମିତି ଉପଯୋଗୀ ହେବେ ସେମିତି ପ୍ରସ୍ତୁତ ହେବ।   ଭିଡ଼ କମାଇବା ପାଇଁ  ତିନି  ଥାକିଆ ହେବା ଏବଂ କଟକକୁ ମେଟ୍ରୋରେ ସଂଯୋଗ କରାଯିବ। ଏକ୍ସପେର୍ଟ କମିଟି  ଖୁବ୍ ଶୀଘ୍ର  ତଦନ୍ତ ସାରି ରିପୋର୍ଟ ପ୍ରଦାନ କରିବେ ଏବଂ ତ୍ରିଶୁଳିଆ ନୁହେଁ କଟକ ପର୍ଯ୍ୟନ୍ତ ମେଟ୍ରୋ ଗଡିବ। 

ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ,  ମେଟ୍ରୋ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପ ବଦ୍ଧ। ପୂର୍ବ DPR କୁ ନେଇ ତର୍ଜମା କରୁଛି ଉଚ୍ଚ ସ୍ତରୀୟ କମିଟି। ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତା ତିନି ଥାକିଆ ହେବ। ସବା ଉପରେ ମେଟ୍ରୋ ଯିବ। ତଳେ ଗାଡ଼ି ଯିବ। ମେଟ୍ରୋ ପ୍ରକଳ୍ପ ପାଇଁ ଆଜି ଯାଏଁ ୩୯୩ କୋଟି ଖର୍ଚ୍ଚ କରି ସାରିଲେଣି ସରକାର।  ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ଼କୁ ଫି ଏବଂ ବିବିଧ ଖର୍ଚ୍ଚ ବାବଦକୁ ଏହି ଟଙ୍କା ଦେଇଛନ୍ତି ରାଜ୍ୟ ସରକାର।  

ସେପଟେ କଂଗ୍ରେସ ବିଧାୟକ ସୋଫିଆ ଫିର୍ଦ୍ଦୋସ କହିଛନ୍ତି, ମେଟ୍ରୋ ପ୍ରକଳ୍ପ ପାଇଁ ହଜାର କୋଟି ଟଙ୍କା ରଖାଯାଇଥିଲା। ହେଲେ ଏବେ ସୁଦ୍ଧା ବିଶେଷ କିଛି ଖର୍ଚ୍ଚ ହୋଇନାହିଁ। କିନ୍ତୁ ଯୋଜନା ଅନୁସାରେ ଗୋଟିଏ ବର୍ଷ ଡେରି ହୋଇଗଲାଣି। ଶୀଘ୍ର କାମ ଆରମ୍ଭ କରି ମେଟ୍ରୋ ରୁଟ୍ ଆଗକୁ ବଢ଼ାଯାଉ। କଟକ ଏସସିବି ଯାଏ ମେଟ୍ରୋ ଆସିବା ଦରକାର। ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, କାଳେ ନବୀନ ପଟ୍ଟନାୟକ ବାଃ ବାଃ ନେଇଯିବେ ସେଥିପାଇଁ ବିଜେପି ଡରୁଛି। ଆଗ ପ୍ରୋଜେକ୍ଟ ପୂରା କର, ତା’ପରେ ତ୍ରିଶୁଳିଆ ଯାଏଁ ମେଟ୍ରୋ ଗଡାଇବ । ମତେ ଲାଗୁଛି ମେଟ୍ରୋ ଆଶା ଆଶାରେ ରହିଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.