କଟକ ୧୮/୦୩: ବଦଳିବ ପୂର୍ବ ସରକାରଙ୍କ ମେଟ୍ରୋ ରେଳ ପ୍ରକଳ୍ପ DPR । ତ୍ରିଶୁଳିଆ ନୁହେଁ ବରଂ କଟକ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ପୂର୍ବ ସରକାର ଯେଉଁ ମେଟ୍ରୋର ପରିକଳ୍ପନା କରିଥିଲେ ତ୍ରିଶୁଳିଆ ପର୍ଯ୍ୟନ୍ତ, ତାହାର କାର୍ଯ୍ୟକ୍ଷମ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।
ଟେକ୍ନିକାଲ ଲୋକଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ଏବଂ ଏହି କମିଟି ସର୍ଭେ ମଧ୍ୟ କରିଛି । ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ । କେଉଁଠୁ କେଉଁ ପର୍ଯ୍ୟନ୍ତ ଗଲେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ସେ ନେଇ କମିଟି ତର୍ଜମା କରୁଛି । ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ନେଇ ଖୁବ ଶୀଘ୍ର ହେବ ନୂଆ DPR । ମେଟ୍ରୋ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପ ବଦ୍ଧ । ପୂର୍ବ DPR କୁ ନେଇ ତର୍ଜମା କରୁଛି ଉଚ୍ଚ ସ୍ତରୀୟ କମିଟି। ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତା ତିନିଥାକିଆ ହେବ ।
ମନ୍ତ୍ରୀ କହିଛନ୍ତି ଯେ, ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ପୂର୍ବରୁ ମେଟ୍ରୋ ଯିବା ନେଇ ପ୍ଲାନ କରାଯାଇଥିଲା । ହେଲେ ଲୋକେ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇ କ'ଣ କରିବେ ? କଟକ ପର୍ଯ୍ୟନ୍ତ ଯିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ସେହିଭଳି ଅନ୍ୟାନ୍ୟ ସ୍ଥାନକୁ ମଧ୍ୟ ଯିବାର ଆବଶ୍ୟକତା ରହିଛି । କମିଟି ଅନୁଧ୍ୟାନ କରୁଛି ଏବଂ ଏହାର ପରିଧିକୁ ବିସ୍ତୃତ କରାଯିବ ଏବଂ ଏହି ପ୍ରକଳ୍ପକୁ ବାତିଲ କରାଯିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଇଏ ଲୋକଙ୍କ ସରକାର । ଲୋକଙ୍କର ଯାହା ଆବଶ୍ୟକତା ତାହା କରାଯିବ ।
also read...
ପରିବର୍ତ୍ତନ ହୋଇପାରେ ମେଟ୍ରୋ ପ୍ରକଳ୍ପ DPR, ପୁରୀ ପର୍ଯ୍ୟନ୍ତ ଗଡ଼ିବା ନେଇ ଚାଲିଛି ଅନୁଧ୍ୟାନ
ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୬ ହଜାର ୨୫୫ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି । ଏହି ପ୍ରକଳ୍ପ ୨୦୨୭ ସୁଦ୍ଧା ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ତେବେ ଏହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ପ୍ରାୟ ୨୬ କିଲୋମିଟର ଏହି ମେଟ୍ରୋ ରେଳ ଚଳାଚଳ କରିବ ।
ଏହା ମଧ୍ୟରେ ୨୦ଟି ମେଟ୍ରୋ ରେଳ ଷ୍ଟେସନ ରହିବ । ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ପରାମର୍ଶଦାତା ଭାବରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ନେଇ ସୂଚନା ମିଳିଛି । ଏହା ସହ ତ୍ରିଶୁଳିଆରୁ ନନ୍ଦନକାନନ ରାସ୍ତା ପାର୍ଶ୍ବରେ ଥିବା ବଡ଼ ବଡ଼ ଗଛକୁ ମଧ୍ୟ କଟାଯାଇ ରାସ୍ତାକୁ ଚଉଡା କରାଯାଉଛି ।