ଭୁବନେଶ୍ୱର: ବରିଷ୍ଠ ନେତା ଭକ୍ତଚରଣ ଦାସ ରାଜ୍ୟ କଂଗ୍ରେସର ସଭାପତି ହେବା ପରଠୁ କଂଗ୍ରେସ ଶିବିର ସକ୍ରିୟ ହୋଇ ଉଠିଛି। ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ରାଜଧାନୀକୁ ଦୋହଲରାଇ ଦେଇଥିବା ରାଜ୍ୟ କଂଗ୍ରେସ ନିଜର ସାଂଗଠିନ ମଜବୁତ କରିବା ଦିଗରେ ଆଗକୁ ବଢିଛି। ମଙ୍ଗଳବାର ପିସିସିର ରାଜନୈତିକ ବ୍ୟାପାର କମିଟି ଗଠନ କରାଯାଇଛି । ଏଥିରେ ସଭାପତି, ରାଜ୍ୟ ପ୍ରଭାରୀଙ୍କ ସମେତ ୨୫ ଜଣ ସଦସ୍ୟ ରହିଛନ୍ତି । ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଏହାକୁ ଅନୁମୋଦନ ଦେଇଛନ୍ତି ।
ପିସିସି ରାଜନୈତିକ ବ୍ୟାପାର କମିଟିରେ ରାଜ୍ୟ କଂଗ୍ରେସର ବହୁ ବରିଷ୍ଠ ଏବଂ ଅଭିଜ୍ଞ ନେତାଙ୍କୁ ସାମିଲ କରାଯାଇଛି ।ଏଥିରେ ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲୁ ମୁଖ୍ୟ ଦାୟିତ୍ୱରେ ଥିବାବେଳେ ଭକ୍ତ ଚରଣ ଦାସ, ସାଂସଦ ସପ୍ତଗିରି ଉଲ୍ଲାକା, ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ୪ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଶ୍ରୀକାନ୍ତ ଜେନା, ନାଗେନ୍ଦ୍ର ପ୍ରଧାନ, ଜଗନ୍ନାଥ ପଟ୍ଟନାୟକ, ଅମର ଚନ୍ଦ୍ର ପ୍ରଧାନ, ସୁଶୀଲ ତିରିଆ, ଏପି ସେଠୀ, ରାମ ଚନ୍ଦ୍ର ଖୁଣ୍ଟିଆ, ଶରତ ରାଉତ, ଆସଫ୍ ଅଲ୍ଲି ଖାନ, ତାରା ପ୍ରସାଦ ବାହିନୀ ପତି, ରମେଶ ଜେନା, ସି ଏସ୍ ରାଜନ ଏକ୍କା, ଦେବାଶିଷ ପଟ୍ଟନାୟକ, ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକିମ, ବିଶ୍ୱରଞ୍ଜନ ମହାନ୍ତି ଏବଂ ସସ୍ମିତା ବେହେରା ।
ସୂଚନାଯୋଗ୍ୟ, ରାଜ୍ୟରେ ବିଜେପି ସରକାର ବିରୋଧରେ କଂଗ୍ରେସ ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତି ଆପଣେଇଛି। ନାରୀ ନିର୍ଯାତନା ପ୍ରସଙ୍ଗରେ ବିଧାନସଭା ଘେରାଉ ବେଳେ ଗାନ୍ଧୀ ମାର୍ଗରେ ହିଂସାତ୍ମକ ଆନ୍ଦୋଳନ ଦେଖିବାକୁ ମିଳିଥିଲା। ଫଳରେ କଂଗ୍ରେସର ବିଧାୟକ, ନେତା ସମେତ ୫ ହଜାର କର୍ମୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି ପୋଲିସ କମିଶନର।