ପହଲଗାମ ଆକ୍ରମଣରେ ‘ହୁଓ୍ବେଇ’ ଫୋନ୍ ବ୍ୟବହାର ! ଚୀନ୍ ସହିତ ରହିଛି ହମଲାର ପରୋକ୍ଷ ସଂଯୋଗ ?

Published By : Prameya-News7 Bureau | April 28, 2025 IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ବ୍ୟବହାର ହୋଇଥିଲା ଚାଇନା ଫୋନ୍ । ହୁଓ୍ବେଇ ସାଟେଲାଇଟ୍ ଫୋନ୍ ବ୍ୟବହାର ହୋଇଥିବା ନେଇ ଭାରତୀୟ ସୁରକ୍ଷା ଏଜେନ୍ସିକୁ ସୂଚନା ମିଳିଛି । ଏହି ସୁରକ୍ଷିତ ସାଟେଲାଇଟ୍ ଫୋନ୍ ଦ୍ବାରା ହମଲା ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । ପ୍ରାୟ ୨୨ କିଲୋମିଟର ଜଙ୍ଗଲ ରାସ୍ତା ଓ ତିନୋଟି ପାହାଡ଼ ଡେଇଁ ଆତଙ୍କବାଦୀମାନେ ବୈସରଣ ଭ୍ୟାଲିରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ କିଛି ସ୍ଥାନୀୟ ଲୋକ ସାହାଯ୍ୟ କରିଥିଲେ ।

ଇକୋନମିକ୍ ଟାଇମ୍ସ ରିପୋର୍ଟ ମୁତାବକ, ସର୍ଭିଲାନ୍ସ ସିଷ୍ଟମରୁ ହୁଓ୍ବେଇ ସାଟେଲାଇଟ୍ ଫୋନ୍ ଆକ୍ଟିଭେକ୍ଟ ହୋଇଥିବା ସୂଚନା ମିଳିଛି । ସୁରକ୍ଷା ଏଜେନ୍ସି ଏହାର ସମ୍ଭାବ୍ୟ କନେକ୍ସନକୁ ଯାଞ୍ଚ କରୁଛି । ଚୀନ୍ ମୋବାଇଲ୍ କମ୍ପାନି ହୁଓ୍ବେଇ ଉପରେ ଭାରତରେ ପ୍ରତିବନ୍ଧକ ଲାଗିଛି ।  ହୁଓ୍ବେଇର ବିଲ୍ଟ-ଇନ୍ ସାଟେଲାଇଟ୍ କମ୍ୟୁନିକେସନ୍ ଫିଚର ସହିତ ସ୍ମାର୍ଟ ଫୋନ୍ ତିଆରି କରୁଛି । ଯେଉଁଥିରେ ୬୦-ପ୍ରୋ, ପି-୬୦ ସିରିଜ୍ ଓ ନୋଭା-୧୧ ଅଲ୍ଟ୍ରା ମଧ୍ୟ ସାମିଲ୍ ରହିଛି । ଏହି ଡିଭାଇସ୍ ସ୍ବତନ୍ତ୍ର ଭାବେ ଚୀନର ତିୟାନଟାନଗ୍ନ-1 ସାଟେଲାଇଟ୍ ନେଟଓ୍ବାର୍କ ସହିତ ସଂଯୁକ୍ତ କରିବା ପାଇଁ ଡିଜାଇନ୍ କରାଯାଇଛି ।

ଏହି ସବୁ ଫିଚର ଫୋନରେ ସାଟେଲାଇଟ୍ ଆଣ୍ଟିନା ଓ ସ୍ପେଶାଲାଇଜ୍ ଚିପ୍ ଖଞ୍ଜା ଯାଇଛି । ଯାହାକୁ ବାହାର ପାର୍ଶ୍ବରୁ ସ୍ବତନ୍ତ୍ର ଭାବେ ସଂଯୋଗ କରାଯାଇପାରିବ । ଏହି ସେବା ପାଇଁ ଚୀନ୍ ଟେଲିକମ୍ କମ୍ପାନିର ସିମକାର୍ଡ ଓ ସବସ୍କ୍ରିପସନ ପ୍ଲାନ୍ ଜରୁରୀ । ଏହାକୁ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର ପାଇଁ ଡିଜାଇନ୍ କରାଯାଇଛି ।    

ଏହାଛଡ଼ା ପହଲଗାଓଁ ଆତଙ୍କବାଦୀ ହମଲାକୁ ନେଇ ବଡ଼ ଖୁଲାସା କରିଛି ଏନଆଇଏ । ସୀମା ପାର୍ କରି ପଡ଼ୋଶୀ ଦେଶକୁ ଆସିଥିବା ଆତଙ୍କବାଦୀଙ୍କୁ ୧୦ଜଣ ସ୍ଥାନୀୟ ବାସିନ୍ଦା ସହଯୋଗ କରିଥିଲେ । ୨୨ ତାରିଖ ହମଲା ଦିନ ଏମାନେ ରିଅଲ୍ ଟାଇମରେ ଆତଙ୍କୀଙ୍କ ସହ ଯୋଗାଯୋଗରେ ଥିଲେ । ଏମାନେ କଥାବର୍ତ୍ତା ନହୋଇ ସାଂକେତିକ ଆପ୍ ବ୍ୟବହାର କରି ବାର୍ତ୍ତା ବିନିମୟ କରୁଥିଲେ । ଏମାନଙ୍କୁ କାଶ୍ମୀର ଓଭରଗ୍ରାଉଣ୍ଡ ୱାର୍କର-ଓଜିଡବ୍ଲ୍ୟୁ ବୋଲି କୁହାଯାଉଛି । ଏହି ୧୦ଜଣ ସିଧାସଳଖ ଆତଙ୍କବାଦୀଙ୍କ ବୈରସଣ ଘାଟି ସମ୍ପର୍କରେ ସୂଚନା ଦେଇଥିଲେ । ଏନେଇ ତଦନ୍ତରୁ ଖୁଲାସା କରିଛି ଏନଆଇଏ । ଆତଙ୍କବାଦୀ ଆକ୍ରମଣରେ ୨୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ଜଣ ଆହତ ହୋଇଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.