ଦଣ୍ଡନାଚ କରିବାକୁ ଯାଉଥିଲେ, ଅଧାରାସ୍ତାରେ ଓଲଟିଲା ଗାଡ଼ି

Published By : Prameya-News7 Bureau | April 07, 2025 IST

ଖଣ୍ଡପଡ଼ା ୦୭।୦୪ : ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌ । ନୟାଗଡ଼ ଫତେଗଡ଼ ଥାନା ମାଧପୁର ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି ପିକ୍‌ଅପ୍‌ ଭ୍ୟାନ୍‌ । ଯେଉଁଥିରେ ୧୭ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ଭାପୁର ବ୍ଲକ ମାଧପୁର ଗାଁରୁ ଦଣ୍ଡ ଠାକୁରଙ୍କ ଦଣ୍ଡନାଚ ପାଇଁ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ୧୦ଜଣିଆ ଦଳ ଚକଡ଼ା ଗାଁକୁ ଯାଉଥିଲେ । ଏହି ସମୟରେ କଣ୍ଟିଲୋ ମାଧପୁର ଗାଁ ଦେଇ ଯାଇଥିବା ୪୮ ନମ୍ବର ରାଜ୍ୟପଥର ପୋତାପୋଖରୀ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ଗାଡ଼ିରେ ବସିଥିବା ୨୦ରୁ ୧୭ ଜଣ ଆହତ ହୋଇଥିଲେ । ଅନ୍ଧାର ରାତିରେ ବିଲ ମଧ୍ୟକୁ ପଡିଯାଇ ଆହତ ଲୋକମାନେ ଚିତ୍କାର କରିଥିଲେ । ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ଲୋକେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଫତେଗଡ଼ ଏବଂ ଭାପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.