କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରୟାସ, ଚଣ୍ଡିଖୋଲରେ ହେବ କ୍ରୁଡ ଅଏଲ ଷ୍ଟୋରେଜ୍ ଫାସିଲିଟି, ISPRL ସହ ଚୁକ୍ତି ସ୍ଵାକ୍ଷରିତ

Published By : Prameya-News7 Bureau | April 09, 2025 IST

ଭୁବନେଶ୍ଵର: ଯାଜପୁର ଚଣ୍ଡିଖୋଲ ଠାରେ କ୍ରୁଡ ଅଏଲ ଷ୍ଟୋରେଜ୍ ଫାସିଲିଟି ପାଇଁ ଓଡ଼ିଶା ସରକାର ଏବଂ ଇଣ୍ଡିଆନ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ୍(ISPRL) ମଧ୍ୟରେ ୮ ହଜାର ୭୪୩ କୋଟି ଟଙ୍କାର ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବିଭାଗର ମନ୍ତ୍ରୀ ଥିବା ସମୟରେ ୭ ଡିସେମ୍ବର ୨୦୧୮ ମସିହାରେ ଚଣ୍ଡିଖୋଲ ଠାରେ ୪ ନିୟୁତ ମେଟିକ୍ ଟନ୍ କ୍ଷମତା ବିଶିଷ୍ଟ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ(ଏସ୍‌ପିଆର୍‌) ନିର୍ମାଣ ପ୍ରସଙ୍ଗରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି  ତୁରନ୍ତ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାରଙ୍କ ସହଯୋଗ କରିବାକୁ ହସ୍ତକ୍ଷେପ ଲୋଡିଥିଲେ ।  

ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୬ଟି ପ୍ରସଙ୍ଗରେ ସହଯୋଗ ପାଇଁ ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ । ପ୍ରକଳ୍ପକୁ ଇଡ଼୍‌କୋ ଦ୍ୱାରା ସିଙ୍ଗିଲ୍ ୱିଣ୍ଡେ ଅନୁମତି ପ୍ରଦାନ, ପ୍ରକଳ୍ପ ପାଇଁ ଆବଶ୍ୟକୀୟ ସରକାରୀ ମାଲିକାନାରେ ଥିବା ୬୦୦ ଏକର ଭୂମି ତୁରନ୍ତ ପ୍ରଦାନ କରିବା ପାଇଁ, ବିଜୁଳି ଓ ପାଣିର ବ୍ୟବହାର ପାଇଁ ଅନୁମତି, ରାଜ୍ୟ ଖଣି ଓ ଭୂତତ୍ୱ ନିର୍ଦ୍ଦେଶାଳୟର ଅନୁମତି, ପ୍ରସ୍ତାବିତ ଅଂଚଳରେ ପଥର ଖନନ କାମକୁ ବନ୍ଦ କରିବା, ପର୍ଯ୍ୟାବରଣ ଓ ପ୍ରଦୂଷଣ ବୋର୍ଡ଼ର ଅନୁମତି ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅନୁମତି ଲୋଡିଥିଲେ । 

ପ୍ରତିନିଧିମଣ୍ଡଳୀ ଓଡ଼ିଶା ମୁଖ୍ୟ ଶାସନ ସଚିବ ଓ ରାଜ୍ୟସରକାରଙ୍କ ଅନ୍ୟାନ୍ୟ ପ୍ରତିନିଧିଙ୍କୁ ଏହି ପ୍ରକଳ୍ପ ସଂକଳ୍ପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଅକ୍ଟୋବର ୦୯ ତାରିଖ ୨୦୧୮ରେ ମଧ୍ୟ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସଚିବ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମଧ୍ୟ ଲେଖିଥିଲେ । ତେବେ ରାଜ୍ୟରେ ବିଜେପି ସରକାର ହେବା ପରେ ଆଜି ଏ ନେଇ ଏମଓୟୁ ସ୍ୱକ୍ଷରିତ ହୋଇଛି। 

ବର୍ତ୍ତମାନ ୫.୩୩3 ଏମଏମଟି (ମିଲିୟନ ମେଟ୍ରିକ୍ ଟନ୍) କ୍ଷମତା ବିଶିଷ୍ଟ SPR ସହିତ ଆମେ ଭାରତର ୯.୫ ଦିନର ଅଶୋଧିତ ତୈଳ ଆବଶ୍ୟକତା ପୂରଣ କରିବାକୁ ସକ୍ଷମ । ଚଣ୍ଡିଖୋଲ ଠାରେ ୪ ଏମଏମଟି ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ପ୍ରତିଷ୍ଠା ହେଲେ ଦେଶର ଅଶୋଧିତ ତୈଳ ଆବଶ୍ୟକତା ଅତିରିକ୍ତ ୭ ଦିନ ବୃଦ୍ଧି ପାଇବ । ଫଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ କଳ୍ପନା ଅନୁସାରେ ଭାରତରେ ମୋଟ ପ୍ରାୟ ୧୭ ଦିନର କ୍ରୁଡ୍ ଅଏଲ୍ ଆବଶ୍ୟକତା ପୂରଣ କରିବ ।  

ଏହି ପ୍ରକଳ୍ପ ରାଜ୍ୟର ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ସହ ରଣନୈତିକ ସଂରକ୍ଷଣ ପାଇଁ ଓଡ଼ିଶାକୁ ବିଶ୍ୱ ମାନଚିତ୍ରରେ ସ୍ଥାନତ କରିବ । ଏହା କେବଳ ଓଡ଼ିଶା ନୁହେଁ, ଉତ୍ତର-ପୂର୍ବାଞ୍ଚଳ ରାଜ୍ୟମାନଙ୍କ ପାଇଁ ମଧ୍ୟ ଶକ୍ତି ସୁରକ୍ଷାରେ ଉନ୍ନତି ଆଣିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.