ସେନାକୁ ମିଳିବ ୧୫୬ ପ୍ରଚଣ୍ଡ ହେଲିକପ୍ଟର, ସବୁଠୁ ବଡ଼ ପ୍ରତିରକ୍ଷା ବୁଝାମଣାକୁ ମଞ୍ଜୁରି

Published By : Prameya-News7 Bureau | March 28, 2025 IST

ନୂଆଦିଲ୍ଲୀ: ୧୫୬ ମେଡ୍ ଇଣ୍ଡିଆ ଏଲ୍‌ସିଏଚ୍ ପ୍ରଚଣ୍ଡ ହେଲିକପ୍ଟର କିଣିବା ପାଇଁ ଆଜି ଯାଏ ସବୁଠାରୁ ବଡ଼ ପ୍ରତିରକ୍ଷା ଚୁକ୍ତିକୁ ମଞ୍ଜୁରି ମିଳିଛି । ପ୍ରତିରକ୍ଷା ମାମଲାର କ୍ୟାବିନେଟ୍ ସମିତିର ଆଜିର ଏହି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଚଳିତ ଆର୍ଥିକ ବର୍ଷରେ ୨.୦୯ ଲକ୍ଷ କୋଟି ଟଙ୍କାରୁ ଅଧିକ ଚୁକ୍ତି ଉପରେ ହସ୍ତାକ୍ଷର କରିଛି । ପ୍ରତିରକ୍ଷା ଅଧିକାରୀ ଏହି ସୂଚନା ଦେଇ କହିଛନ୍ତି ଯେ ଏହା ହିନ୍ଦୁସ୍ତାନ ଏୟରୋନଟିକ୍ସ ଲିମିଟେଡ୍ (ଏଚଏଏଲ୍) ପାଇଁ ଆଜି ଯାଏର ସବୁଠୁ ବଡ଼ ଅର୍ଡର । ହେଲିକପ୍ଟର କର୍ଣ୍ଣାଟକର ବେଙ୍ଗାଲୁରୁ ଓ ତୁମକୁର ସ୍ଥିତ ଏହାର ପ୍ଲାଣ୍ଟରେ ନିର୍ମାଣ କରାଯିବ ।

ଉଲ୍ଲେଖଯୋଗ୍ୟ ଯେ ଭାରତ ନିଜର ସୈନ୍ୟ ଶକ୍ତିକୁ ଅଧିକ ମଜଭୁତ କରିବା ମାର୍ଗରେ ପଦକ୍ଷେପ ନେଉଛି । ଏହି ଚୁକ୍ତି ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହନ ଦେବା ଓ ସ୍ଥଳ ଏବଂ ବାୟୁ ସେନାର ଶକ୍ତି ବଢାଇବାରେ ଗୁରୁତ୍ୱପୂର୍ଣ୍ଣ ହେବ ।

ପ୍ରଚଣ୍ଡ ଦୁନିଆର ଏକମାତ୍ର ଆଟାକ୍ ହେଲିକପ୍ଟର, ଯିଏ ୧୬୪୦୦ ଫୁଟ୍ ଉଚ୍ଚରେ ବି ଉଡ଼ିପାରେ । ପ୍ରଚଣ୍ଡକୁ ମୁଖ୍ୟତଃ ସିଆଚିନ୍, ଲଦାଖ ଓ ଅରୁଣାଚଳ ପ୍ରଦେଶର ଉଚ୍ଚ ଅଞ୍ଚଳରେ ମୁତୟନ ପାଇଁ ଡିଜାଇନ୍ କରାଯାଇଛି । ଉଚ୍ଚ ଅଞ୍ଚଳରେ ମୁତୟନ ପାଇଁ ଏହା ଆଦର୍ଶ । ଆକାଶରୁ ଭୂପୃଷ୍ଠ ଓ ଆକାଶରୁ ଆକାଶରେ ଆକ୍ରମଣ କରିବାରେ ଏହା ସକ୍ଷମ । ମିସାଇଲରେ ଭର୍ତ୍ତି, ଶତ୍ରୁଙ୍କ ବାୟୁ ସୁରକ୍ଷାକୁ ମଧ୍ୟ ନଷ୍ଟ କରିପାରେ ।

ପ୍ରଚଣ୍ଡ ଅନେକ ପ୍ରକାର ଏୟାର-ଟୁ-ଗ୍ରାଉଣ୍ଡ ଓ ଏୟାର-ଟୁ-ଏୟାର ମିସାଇଲ୍ ମାଡ଼ କରିବାରେ ସକ୍ଷମ ଅଟେ । ସେନାରେ ପ୍ରଚଣ୍ଡ ହେଲିକପ୍ଟର ସାମିଲ ହେବା ଦ୍ୱାରା ଭାରତୀୟ ବାୟୁ ସେନାର ଯୁଦ୍ଧ ହେଲିକପ୍ଟରରେ ବିବଧତା ଆସିବ । ଏହି ହେଲିକପ୍ଟରର ନିର୍ମାଣ ମେକ୍ ଇନ୍ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତ ଅଧିନରେ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.