ନୂଆଦିଲ୍ଲୀ: ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଚର୍ଚ୍ଚା ଉପରେ ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ସାରା ଦୁନିଆରରେ ଗଣତାନ୍ତ୍ରିକ ଭାବନାର ସଂରକ୍ଷକ ଚେହେରା ନେଇ ବୁଲୁଥିଲେ, କିନ୍ତୁ ଭିତରେ କେତେ ବଡ଼ ଏକଛତ୍ରବାଦୀ ଥିଲେ ତାର ଅନେକ ଉଦାହରଣ ରହିଥିବା ପ୍ରଧାନମନ୍ତ୍ରୀଙ୍କ ଭାଷଣର ଗୋଟିଏ ଅଂଶରୁ ସନ୍ଦେଶ ମିଳିଛି । ନିଜ ସମ୍ୱୋଧନରେ ସେ କଂଗ୍ରେସ ପାର୍ଟି ଏବଂ ଗାନ୍ଧୀ ପରିବାର ଉପରେ କଡ଼ା ହମଲା କରିଛନ୍ତି । ପିଏମ୍ ମୋଦୀ କହିଛନ୍ତି ଯେ ଶାହି ପରିବାର (ଗାନ୍ଧୀ ପରିବାର)ର ଅହଂକାର ଏହି ଦେଶକୁ ଜେଲ୍ରେ ପରିଣତ କରିଥିଲା ଏବଂ ନିର୍ବାଚିତ ପ୍ରତିନିଧି, ମାନ୍ୟଗଣ ନେତାଙ୍କୁ ଶିକୁଳିରେ ବାନ୍ଧି ଦିଆଯାଇଥିଲା ।
ଏମର୍ଜେନ୍ସିକୁ ମନେ ପକାଇ ବର୍ଷିଲେ ପିଏମ୍ ମୋଦୀ
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, 'ମୁଁ ଏମର୍ଜେନ୍ସିର ସେହି ଦିନକୁ କେବେ ଭୁଲିପାରିବ ନାହିଁ ଏବଂ ଆଜି ବି ସେହି ସବୁ ଫଟୋ ରହିଛି । ଏମାନେ ଲୋକତନ୍ତ୍ରର କଥା କହୁଛନ୍ତି, ମଣିଷର ମର୍ଯ୍ୟାଦା କଥା କହୁଛନ୍ତି ଏବଂ ବଡ଼ ବଡ଼ ଭାଷଣ ଦେବାରେ ବିଶ୍ୱାସ ରଖନ୍ତି ।' ଏତିକି କହିବା ସହ ପ୍ରଧାନମନ୍ତ୍ରୀଙ୍କ ଚେହେରା ରାଗରେ ବଦଳି ଯାଇଥିଲା । ପିଏମ୍ କହିଥିଲେ, 'ଏମର୍ଜେନ୍ସିରେ ଜର୍ଜ ଫର୍ନାଡିସଙ୍କ ସମେତ ଦେଶର ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ହତାକଡ଼ି ପକାଯାଇଥିଲା, ଶିକୁଳିରେ ବାନ୍ଧି ଦିଆଯାଇଥିଲା । ସଂଦସର ସଦସ୍ୟ, ଦେଶର ଗଣମାନ୍ୟ ନେତା, ସମସ୍ତଙ୍କୁ ହାତକଡ଼ି ଏବଂ ଶିକୁଳିରେ ବନ୍ଧା ଯାଇଥିଲା । ଏମାନଙ୍କ ମୁହଁରେ ସମ୍ୱିଧାନ ଶବ୍ଦ ଶୋଭା ହେଉ ନାହିଁ ।'
ପିଏମ୍ ମୋଦୀ କହିଛନ୍ତି, 'କ୍ଷମତା ସୁଖ ଲାଗି ଶାହି ପରିବାର ପାଇଁ ଏହି ଦେଶର ଲକ୍ଷ ଲକ୍ଷ ପରିବାରକୁ ଧ୍ୱଂସ କରିଦିଆଗଲା । ସାରା ଦେଶକୁ ଜେଲରେ ପରିଣତ କରାଯାଇଥିଲା । ଦୀର୍ଘ ଦିନ ଯାଏ ସଂଘର୍ଷ ଚାଲିଲା । ନିଜକୁ ସର୍ବେସର୍ବା ଭାବୁଥିବା ଲୋକେ ଜନତା ଜନାର୍ଦ୍ଦନଙ୍କ ଶକ୍ତିକୁ ସ୍ୱୀକାର କରିବାକୁ ପଡ଼ିଲା, ମୁଣ୍ଡ ନୁଆଁଇବାକୁ ପଡ଼ିଲା । ଜନତାଙ୍କ ସାମର୍ଥ୍ୟରୁ ଏମର୍ଜେନ୍ସି ହଟିଲା । ଏହା ଥିଲା ଭାରତର ଲୋକଙ୍କ ରକ୍ତରେ ଥିବା ଗଣତନ୍ତ୍ରର ପରିଣାମ ।' ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, 'ସମ୍ୱିଧାନ ନିର୍ମାତାଙ୍କ ସମ୍ମାନ କରିବାର ଥିଲା, ସେମାନଙ୍କ ପ୍ରତିଟି କଥାରୁ ପ୍ରେରଣା ନେବାର ଥିଲା । କିନ୍ତୁ କଂଗ୍ରେସ, ସ୍ୱାଧୀନତା ପରେ ହିଁ ସମ୍ୱିଧାନ ନିର୍ମାତାଙ୍କ ଭାବନାକୁ ଧଜ୍ଜିଆ ଉଡ଼ାଇ ଦେଇଥିଲା ।'
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, 'ଆପଣ କଳ୍ପନା କରିପାରିବେ କି ଯେତେବେଳେ ଦେଶରେ କୌଣସି ସରକାର ନଥିଲା, ନିର୍ବାଚନ ହେବା ଯାଏ କାମଚଳା ପ୍ରଶାସନ ଥିଲା, ସେହି ବ୍ୟବସ୍ଥାରେ ଯିଏ ବସିଥିଲେ (ଜବାହାରଲାଲ ନେହରୁ) ସେ ଆରମ୍ଭରୁ ହିଁ ସମ୍ୱିଧାନରେ ସଂଶୋଧନ କଲେ । ନିର୍ବାଚିତ ସରକାର କରିଥିଲେ ବୁଝା ପଡ଼ିଥାନ୍ତା । କିନ୍ତୁ ଏମାନେ ସେତିକି ବି ଅପେକ୍ଷା କଲେ ନାହିଁ । ବାକ୍ ସ୍ୱାଧୀନତାକୁ ଦଳିଚକଟି ଦେଲେ । ଖବରକାଗଜ ଉପରେ, ପ୍ରେସ୍ ଉପରେ ଲଗାମ ଲଗାଇଲେ ଏବଂ ଡେମୋକ୍ରାଟ୍-ଡେମୋକ୍ରାଟର ଟ୍ୟାଗ୍ ଲଗାଇ ସାରା ଦୁନିଆ ବୁଲିଲେ । ଦେଶ ଲୋକତନ୍ତ୍ରର ପ୍ରମୁଖ ସ୍ତମ୍ଭକୁ ଦଳିଦିଆଗଲା ।'
ପ୍ରଧାନମନ୍ତ୍ରୀଙ୍କ ଭାଷଣର ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ
ଦେଶର ପ୍ରଥମ ସରକାର ଥିଲା, ନେହରୁ ଜୀ ପ୍ରଧାନମନ୍ତ୍ରୀ ଥିଲେ ଏବଂ ମୁମ୍ୱାଇରେ ଶ୍ରମିକଙ୍କ ଆନ୍ଦୋଳନ ହୋଇଥିଲା । ସେଥିରେ ପ୍ରସିଦ୍ଧ ଗୀତକାର ମଜରୁହ ସୁଲତାନପୁରୀ 'କମନୱେଲ୍ଥର' ଦାସ କବିତା ଗାଇ ଥିଲେ । କବିତା ଗାନ କରିବା ଅପରାଧରେ ନେହରୁ ଜୀ ଦେଶର ଜଣେ ମହାନ କବିଙ୍କୁ ଜେଲରେ ଭର୍ତ୍ତି କରିଦେଲେ ।
ପ୍ରସିଦ୍ଧ ଅଭିନେତା ବଲରାଜ ସାହନୀ ଏକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ, ଆନ୍ଦୋଳନକାରୀଙ୍କ ସହ ସାମିଲ ହେବା କାରଣରୁ ତାଙ୍କୁ ଜେଲରେ ବନ୍ଦୀ କରାଗଲା ।
ଲତା ମଙ୍ଗେସକରଙ୍କ ଭାଇ ହୃଦୟନାଥ ମାଙ୍ଗେସକର ଜୀ ବୀର ସାବରକରଙ୍କ ଉପରେ ଏକ କବିତାକୁ କଣ୍ଠ ଦେଇ ଆକାଶବାଣୀରେ ପ୍ରସ୍ତୁତ କରିବା ପାଇଁ ଯୋଜନା କରିଥିଲେ । କେବଳ ଏହି କାରଣରୁ ତାଙ୍କୁ ଆକାଶବାଣୀରୁ ସବୁ ଦିନ ପାଇଁ ବାହାର କରାଗଲା ।
ଏମର୍ଜେନ୍ସି ବେଳେ ଲୋକପ୍ରିୟ ଅଭିନେତା ଦେବାନନ୍ଦଙ୍କୁ ଅନୁରୋଧ କରାଯାଇଥିଲା ଯେ ସେ ଏମର୍ଜେନ୍ସିଙ୍କୁ ସମର୍ଥନ ଦେବେ । ସେ ସାହସ ଦେଖାଇଥିଲେ ଏବଂ ସମର୍ଥନ ଦେବାକୁ ମନା କରିଦେଇଥିଲେ । ଯାହାପରେ ଦେବାନନ୍ଦଙ୍କ ସବୁ ଫିଲ୍ମକୁ ଦୂରଦର୍ଶନରେ ପ୍ରତିବନ୍ଧକ ଲଗାଗଲା ।
କିଶୋର କୁମାର କଂଗ୍ରେସ ପାଇଁ ଗୀତ ଗାଇବାକୁ ମନା କରିଥିଲେ । ଏହି ଅପରାଧ ପାଇଁ ଆକାଶବାଣୀରେ କିଶୋର କୁମାରୀଙ୍କ ସବୁ ଗୀତ ଉପରେ ବ୍ୟାନ୍ ଲଗାଗଲା ।