ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ହେଉ କିମ୍ବା ସ୍ୱାଧୀନତା ଦିବସ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିଧାନରେ ସାଂସ୍କୃତିକ ଝଲକ ନିଶ୍ଚୟ ଦେଖିବାକୁ ମିଳେ। ଏହି ଦୁଇଟି ଦିନରେ ଆକର୍ଷଣୀୟ ଏବଂ ରଙ୍ଗୀନ ପଗଡ଼ି ପିନ୍ଧିବାର ତାଙ୍କର ପରମ୍ପରାକୁ ସେ ବଜାୟ ରଖିଛନ୍ତି।
ରବିବାର ୭୬ ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ଉଜ୍ଜ୍ୱଳ ଲାଲ୍ ଓ ହଳଦୀ ରଙ୍ଗ ମିଶା ପଗଡ଼ି ପିନ୍ଧି ପରେଡ୍ ଉତ୍ସବରେ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମରେ ଯେମିତି ଏହି ପଗଡ଼ି ଝଲକିବ ସେଥିପାଇଁ ପ୍ରଧାନମନ୍ତ୍ରୀ ଏହି ପଗଡ଼ି ବାଛିଚନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ପଗଡ଼ି ସହିତ ଧଳା କୁର୍ତ୍ତା-ପାଇଜାମା ଏବଂ ପକେଟ ସ୍କୋୟାର ଥିବା କଫି ରଙ୍ଗର ବନ୍ଧଗଳା ଜ୍ୟାକେଟ୍ ପିନ୍ଧିଛନ୍ତି।
ଗଣତନ୍ତ୍ର ଦିବସ ପାଳନ ଅବସରରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ସାଂସ୍କୃତିକ ବେଶରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଜାତୀୟ ଯୁଦ୍ଧ ସ୍ମାରକୀରେ ପହଞ୍ଚିଥିଲେ। ଏହାପରେ ତାଙ୍କ ପଗଡ଼ିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଶ୍ରଦ୍ଧାଞ୍ଜଳି ଦେବା ପରେ, ସେ ବାର୍ଷିକ ଗଣତନ୍ତ୍ର ଦିବସ ପରେଡ୍ ପାଇଁ କାର୍ତ୍ତବ୍ୟ ପଥକୁ ଯାଇଥିଲେ।
ଗଣତନ୍ତ୍ର ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ। ହେଲେ ତା ପୂର୍ବରୁ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି “ଆଜି ଆମେ ଆମର ଗୌରବମୟ ଗଣତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛେ। ଏହି ଅବସରରେ, ଆମେ ସେହି ସମସ୍ତ ମହାନ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ଯେଉଁମାନେ ଆମର ସମ୍ବିଧାନ ତିଆରି କରିଥିଲେ ଏବଂ ଆମର ବିକାଶ ଯାତ୍ରା ଗଣତନ୍ତ୍ର, ମର୍ଯ୍ୟାଦା ଏବଂ ଏକତା ଉପରେ ଆଧାରିତ ହେବ ବୋଲି ନିଶ୍ଚିତ କରିଥିଲେ।ଆମେ ଆଶା କରିବା ଯେ ଆଶା ଯେ ଏହି ଜାତୀୟ ଉତ୍ସବ ଆମ ସମ୍ବିଧାନର ମୂଲ୍ୟବୋଧକୁ ସଂରକ୍ଷଣ କରିବ ଏବଂ ଏକ ଶକ୍ତିଶାଳୀ ଏବଂ ସମୃଦ୍ଧ ଭାରତ ଗଠନ ଦିଗରେ ଆମର ପ୍ରୟାସକୁ ଆହୁରି ମଜବୁତ କରିବ।”
୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ନରେନ୍ଦ୍ର ମୋଦୀ ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସରେ ଏଭଳି ରଙ୍ଗୀନ ପଗଡ଼ି ପିନ୍ଦି ଆସୁଛନ୍ତି। ୨୦୨୪ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ, ପ୍ରଧାନମନ୍ତ୍ରୀ ଭାରତର ବିବିଧତାକୁ ପ୍ରଦର୍ଶିତ କରୁଥିବା 'ବନ୍ଧନୀ' ପଗଡ଼ି ପିନ୍ଧିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ୭୪ତମ ଗଣତନ୍ତ୍ର ଦିବସ ପୂର୍ତ୍ତି ପାଳନ ଦିବସରେ ରାଜସ୍ଥାନୀ ବନ୍ଧନୀ ପଗଡି ପିନ୍ଧିଥିଲେ।