ଭୁବନେଶ୍ବର ୯।୬: ଭୁବନେଶ୍ବରରେ ରୋଡ୍ ଶୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୧୨ ତାରିଖ ବୁଧବାର ସଂଧ୍ୟାରେ ମୋଦି ରୋଡ୍ ଶୋ’ କରିବେ । ୧୨ ତାରିଖରେ ଶପଥ ନେବେ ଓଡ଼ିଶାର ପ୍ରଥମ ପଦ୍ମ ସରକାର । ରାଜ୍ୟ ଶାସନ ଭାର ଧରିବେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ । ସେହିଦିନ ଭୁବନେଶ୍ବରରେ ପୁଣି ହେବ ମୋଦିଙ୍କ ରୋଡ୍ ଶୋ’। ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପୂର୍ବରୁ ମୋଦି ବିଶାଳ ରୋଡ୍ ଶୋ’ କରିବେ । ଜୟଦେବ ବିହାରରୁ ଜନତା ମଇଦାନ ଯାଏଁ ଏହି ରୋଡ୍ ଶୋ’ରେ ପ୍ରଧାନମନ୍ତ୍ରୀ ଯିବେ । ରାଜ୍ୟବାସୀ ବିଜେପିକୁ ବହୁମତ ଦେଇ ସରକାରକୁ ଆଣିଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇବେ ମୋଦି । ଏଥିପାଇଁ ସବୁ ପ୍ରକାର ଆୟୋଜନ କରାଯାଇଛି । ଉତ୍ସବକୁ ଓ ମୋଦିଙ୍କ କାର୍ଯ୍ୟକ୍ରମକୁ ଗ୍ରାଣ୍ଡ ସକ୍ସେସ କରିବା ଲାଗି ଭୁବନେଶ୍ବର ଆସିଥିବା ସ୍ବତନ୍ତ୍ର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭୁବନେଶ୍ବର କାର୍ଯ୍ୟକର୍ତ୍ତାଙ୍କ ସହ ବିଚାର ବିମର୍ଶ କରିଛନ୍ତି । ୧୦ ତାରିଖରେ ରାଜ୍ୟରେ ବିଜେପି ସରକାର ଶପଥ ନେବ ବୋଲି ନିର୍ବାଚନ ପ୍ରଚାର ବେଳେ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ହେଲେ ୯ ତାରିଖରେ ମୋଦି 3.0 ଶପଥ । ଏହାପରେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଯିବେ । ତେଣୁ ସେ ଫେରିବା ପରେ ୧୨ରୁ ଶପଥ ସମାରୋହ ହେବ ବୋଲି ସ୍ଥିର ହୋଇଛି ।
ତେବେ କିଏ ହେବେ ରାଜ୍ୟ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ତାହା ୧୧ ତାରିଖରେ ଜଣାପଡିବ । ଶପଥ ଉତ୍ସବର ଦିନକ ପୂର୍ବରୁ ୧୧ ତାରିଖରେ ବସିବ ବିଜେପିର ନବ ନିର୍ବାଚିତ ବିଧାୟକ ଦଳ ବୈଠକ । ବୈଠକରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ ବିଜେପି ସଂସଦୀୟ ବୋର୍ଡ ବୈଠକର ନିଷ୍ପତ୍ତି ଶୁଣାଯିବ । ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁରେ ବିଧାୟକ ଦଳ ନେତା ଭାବେ ସହମତି ଆସିବା ପରେ ଘୋଷଣା ହେବ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ । ସେପଟେ ବାଚସ୍ପତି, ଶାସକ ଦଳର ମୁଖ୍ୟ ସଚେତକ ସହ କିଏ କ୍ୟାବିନେଟ୍ ମନ୍ତ୍ରୀ ଓ କିଏ ରାଷ୍ଟ୍ରମନ୍ତ୍ରୀ ହେବେ ସେନେଇ ଚାଲିଛି ଅଙ୍କକଷା। ସେଥିପାଇଁ ବିଧାୟକ ମାନଙ୍କ ପ୍ରୋଫାଇଲ ରାଜ୍ୟ କାର୍ଯ୍ୟାଳୟରେ ତର୍ଜମା ହେଉଥିବା କୁହାଯାଉଛି । ବିଧାୟକ ମାନଙ୍କ କହିବା କଥା ଓଡି଼ଶାର ଅସ୍ମିତା ଓ ଓଡି଼ଆଙ୍କ ଭାବାବେଗ ସହ ଜଡିତ ଥିବା ଜଣେ ଦକ୍ଷ ଓଡିଆ ହିଁ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ।
You Can Read :
ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଲେ ଭି.କେ. ପାଣ୍ଡିଆନ୍, ବିଜେଡିର ପରାଜୟ ପାଇଁ ମାଗିଲେ କ୍ଷମା