ରଥଯାତ୍ରା ପାଇଁ ପୋଲିସର ସମୀକ୍ଷା, ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ, ରହିବେ ଡିଆଇଜି-ଏସପି ରାଙ୍କ୍‌ର ୧୯ ଅଧିକାରୀ

Published By : Prameya-News7 Bureau | July 01, 2024 IST

ଭୁବନେଶ୍ବର: ଚଳିତ ବର୍ଷ ରଥଯାତ୍ରା ପୋଲିସ ପାଇଁ ବଡ଼ ଆହ୍ବାନ ରହିଛି। ରଥଯାତ୍ରା ଦିନ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତି କାନ୍ତି ସହ ରାଷ୍ଟ୍ରପତିଙ୍କ ଗସ୍ତ ଥିବାରୁ ଶ୍ରୀକ୍ଷେତ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ସୋମବାର ପୁରୀ ଗସ୍ତରେ ଆସି ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ। 

ସେ ଆହୁରି କହିଛନ୍ତି, ରଥଯାତ୍ରାକୁ ଆଉ ମାତ୍ର ୫ ଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଥିବାରୁ ଶୃଙ୍ଖଳିତ ରଥଯାତ୍ରା ଆୟୋଜନ‌ ନେଇ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଜୁଲାଇ ୭ରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଥିବାରୁ ଏଥିପାଇଁ ଆଜି ଡିଜିପିଙ୍କ ଅଧ୍ୟକ୍ଷତାରେ ପୁରୀ ଏସପିଙ୍କ କାର୍ଯ୍ୟାଳୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଚଳିତ ବର୍ଷ ବିରଳ ରଥଯାତ୍ରା ହେବାକୁ ଯାଉଛି। ପୋଲିସ ବିଭାଗ ପାଇଁ ଏହା ଏକ ବଡ ଚାଲେଞ୍ଜ।

ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ପ୍ରବଳ ଭକ୍ତଙ୍କ ସମାଗମ ହେବ। ତେଣୁ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ଶେଷ କରିବା ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ। ରଥଯାତ୍ରା ପାଇଁ ପୋଲିସ ବିଭାଗ ପକ୍ଷରୁ ବଡ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରଥଯାତ୍ରାରେ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର ବ୍ଲାଙ୍କେଟ ସିକ୍ୟୁରିଟି ମଧ୍ୟରେ ରହିବ। ରଥଯାତ୍ରାରେ ରାଷ୍ଟ୍ରପତିଙ୍କ ଗସ୍ତ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ଭିଆଇପି ଓ ଭିଭିଆଇପି ମାନଙ୍କ ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। 

ସୁରକ୍ଷା ଦାୟିତ୍ବରେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ, ୪ ଅତିରିକ୍ତ ଡିଜି, ୬ ଜଣ ଆଇଜି ଓ ଡିଆଇଜି ରାଙ୍କ ଅଫିସର, ୧୯ ଜଣ କମାଣ୍ଡାଣ୍ଟ ଏବଂ ଏସପି ରାଙ୍କ ଅଫିସର, ୩୩ ଅତିରିକ୍ତ ଏସପି ଏବଂ ଡେପୁଟି କମାଣ୍ଡାଣ୍ଟ ଙ୍କ ସହ ୧୩୦ ଜଣ ଇନ୍ସପେକ୍ଟର ମୁତୟନ ହେବେ। ଡ୍ରୋନ୍ ସାହାଯ୍ୟରେ ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଡିଜିପି। ସେହିପରି ୩ ପ୍ଲାଟୁନ ସୁଇଫ୍ଟ ଆକ୍ସନ ଫୋର୍ସ ମଧ୍ୟ ମୁତୟନ ହେବେ। ରଥଯାତ୍ରା ଓ ପରଦିନ ଦୁଇଦିନ ଧରି ଏହି ସୁରକ୍ଷା ବ୍ୟବସ୍ଥା ରହିବ।‌ ତେବେ ମହାପ୍ରଭୁଙ୍କ ପହଣ୍ଡି, ରଥଟଣା, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ଭିଭିଆଇପିଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବୈଠକରେ ଗୁଇନ୍ଦା ନିର୍ଦ୍ଧେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି ଆଇନ ଶୃଂଖଳା ସଞ୍ଜୟ କୁମାର, ଦୟାଲ ଗଙ୍ଗୱାର, କନୱର ବିଶାଳ ସିଂଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.