ପୋପ୍ ଫ୍ରାନସିସ୍ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | February 14, 2025 IST

ରୋମ ୧୪।୨: ପୋପ ଫ୍ରାନସିସ୍  ଶୁକ୍ରବାର ଅସୁସ୍ଥ ହୋଇପଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭେଟିକାନ ଏହି ସୂଚନା ଦେଇଛି।  ସେ ବ୍ରୋଙ୍କାଇଟିସ୍ ରେ ଆକ୍ରାନ୍ତ ହୋଇଛନ୍ତି। ପୋପ ଏବେ ଚିକିତ୍ସାଧୀନ ଥିବାରୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ କୌଣସି ସାର୍ବଜନିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ ନାହିଁ। ୮୮ ବର୍ଷ ବୟଷ୍କ ପୋପ ଫ୍ରାନସିସ୍ ଙ୍କୁ ସକାଳେ ଏକ କାର୍ଯ୍ୟକ୍ରମରେ କଥା କହିବାକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। 

ଭେଟିକାନ ଏକ ବୟାନରେ କହିଛି ଯେ ପୋପ ଫ୍ରାନସିସ୍ ଙ୍କୁ କିଛି ଆବଶ୍ୟକୀୟ ଚିକିତ୍ସକୀୟ ପରୀକ୍ଷଣ ପରେ ବ୍ରୋଙ୍କାଇଟିସ ପାଇଁ ଚିକିତ୍ସା ନିମନ୍ତେ ‘ପୋଲିକ୍ଲିନିକୋ ଏଗୋଷ୍ଟିନୋ ଜେମେଲୀ’ରେ ଭର୍ତ୍ତି କରାଯାଇଛି। ତାଙ୍କ ଚିକିତ୍ସା ଏବେବି ହସ୍ପିଟାଲ ପରିବେଶରେ ଚାଲିଛି। ଭେଟିକାନ ଅନୁସାରେ ପୋପ ଗତ ୧ ସପ୍ତାହରୁ ଅଧିକ କାଳ ହେଲା ବ୍ରୋଙ୍କାଇଟିସ୍ ରେ ଆକ୍ରାନ୍ତ ହୋଇଛନ୍ତି। ଏଣୁ ପୋପ ଆଗାମୀ ରବିବାର ସେଣ୍ଟ ପିଟର୍ସ ବାସିଲିକାରେ ହେବାକୁ ଥିବା ସାମୂହିକ ପ୍ରାର୍ଥନାରେ ଅଂଶଗ୍ରହଣ କରିପାରିବେ ନାହିଁ। 

ପୋପ ଅସୁସ୍ଥ ହେବା କାରଣରୁ ଶନିବାର ସାର୍ବଜନିକ ଦର୍ଶନ ଓ ସୋମବାର ରୋମ ର ପ୍ରଶିଦ୍ଧ ସିନେସିଟା ଫିଲ୍ମ ଷ୍ଟୁଡିଓ ଗସ୍ତ ବାତିଲ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଫ୍ରାନ୍ସିସ୍ ୨୦୧୩ ମସିହାରୁ ପୋପ୍ ଅଛନ୍ତି। ଚଳିତମାସ ପ୍ରାରମ୍ଭରେ ଫ୍ରାନ୍ସିସ୍ ସାପ୍ତାହିକ ଦର୍ଶନ କାଳରେ ତୀର୍ଥ ଯାତ୍ରୀଙ୍କୁ କହିଥିଲେ ଯେ ସେ ଭୀଷଣ ସର୍ଦ୍ଦିରେ ଆକ୍ରାନ୍ତ ହୋଇଛନ୍ତି। ତେବେ ପରେ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ବ୍ରୋଙ୍କାଇଟିସ୍ ବୋଲି କୁହାଯାଇଛି। 

ଉଲ୍ଲେଖଯୋଗ୍ୟ ଯେ ଯୁବାବସ୍ଥାରେ ପୋପ୍ ଫ୍ରାନ୍ସିସ ଫୁଶଫୁଶ ସ୍ୱଥରେ ଆକ୍ରାନ୍ତ ହୋଇଥିଲେ। ଏହି କାରଣରୁ ତାଙ୍କ ଫୁଶଫୁଶର ଗୋଟିଏ ଅଂଶକୁ କାଢି ଦିଆଯାଇଥିଲା। ନିକଟରେ ତାଙ୍କ ପ୍ରତି ଫୁଶଫୁଶ ସଂକ୍ରମଣର ଭୟଥିବା କୁହାଯାଇଥିଲା। କୁହାଯାଉଛି ପୋପ ନିକଟରେ ତାଙ୍କ ଭେଟିକାନ ନିବାସରେ ଦୁଇ ଥର ପଡିଯାଇଥିଲେ। ଗତ ଡିସେମ୍ବରରେ ତାଙ୍କ ଥୋଡିରେ ଆଘାତ ଲାଗିଥିଲା। ଜାନୁୟାରୀରେ ପଡିଯିବା ଯୋଗୁ ତାଙ୍କ ହାତରେ ଆଘାତ ଲାଗିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.