୨୦୨୪ ଲୋକସଭା ନିର୍ବାଚନ ଲଢିବେ ଏସ୍.ଜୟଶଙ୍କର ଓ ନିର୍ମଳା ସୀତାରମଣ, ପ୍ରଥମଥର ଭୋଟ ପାଇଁ ଯିବେ ଜନତାଙ୍କ ପାଖକୁ

Published By : Prameya-News7 Bureau | February 27, 2024 IST

ହୁବଲୀ ୨୭।୨:  ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଦେଶରେ ରାଜନୀତି ଏବେ ଉଷ୍ମ ହେବାରେ ଲାଗିଛି। ନିର୍ବାଚନ ନିମନ୍ତେ ସବୁ ରାଜନୈତିକ ଦଳ ଏବେଠୁ ପ୍ରସ୍ତୁତିରେ ଲାଗି ପଡିଲେଣି। କେଉଁ  ପାର୍ଟି ଏବେ ପ୍ରାର୍ଥୀ ଚୟନ କରୁଛି ତ କେଉଁ  ପାର୍ଟି ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛି। ଏଥିରେ କେତେକ ପାର୍ଟି ପ୍ରାର୍ଥୀ ତାଲିକା ଜାରି କରିବା ଆରମ୍ଭ କରିସାରିଲେଣି। ତେବେ କ୍ଷମତାସୀନ ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକାକୁ ସାରା ଦେଶ ଏବେ ଅପେକ୍ଷା କରି ରହିଛି।

କୁହାଯାଉଛି ଆଗାମୀ ନିର୍ବାଚନରେ ପାର୍ଟି ଅନେକ ସାଂସଦଙ୍କ ଟିକେଟ୍ କାଟି ପାରେ ଓ ନୂଆ ମୁହଁଙ୍କ ଉପରେ ବାଜି ଲଗାଇପାରେ। ଏଥି ମଧ୍ୟରେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଯେଉଁଥିରେ ଏସ୍. ଜୟଶଙ୍କର ଓ ନିର୍ମଳା ସୀତାରମଣଙ୍କୁ ପାର୍ଟି ସିଧାଶଳଖ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ କରିପାରେ ବୋଲି କୁହାଯାଉଛି। କର୍ଣ୍ଣାଟକର ହୁବଲୀରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗଣମାଧ୍ୟମ ସହ ଆଲୋଚନାରେ ନିର୍ମଳା ସୀତାରମଣ ଓ ଏସ୍.ଜୟଶଙ୍କର ନିର୍ବାଚନ ଲଢିବେ ବୋଲି କହିଛନ୍ତି।

ତେବେ ସେମାନେ କର୍ଣ୍ଣାଟକ ଅଥବା ଅନ୍ୟ କୌଣସି ରାଜ୍ୟରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବେ ତାହା ସ୍ପଷ୍ଟ ହୋଇ ନାହିଁ। ତେବେ ଯାହା ଖବର ମିଳୁଛି ଜୟଶଙ୍କର ଓ ସୀତାରମଣ ବେଙ୍ଗାଲୁରୁରୁ ନିର୍ବାଚନ ଲଢି ପାରନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ବାଙ୍ଗାଲୁରୁରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା। ପାର୍ଟି ଏଠାକାର ସମସ୍ତ ୩ଟି ଜାକ ଲୋକସଭା ଆସନରେ ବିଜୟୀ ହୋଇଥିଲା। ଏଥିରୁ ମନେ କରାଯାଉଛି ପାର୍ଟି ଗତ ପ୍ରଦର୍ଶନକୁ ଏଠାରେ ପୁଣି ଦୋହରାଇବାକୁ ଚାହୁଁଛି। ଏହି କାରଣରୁ ପାର୍ଟି ନିଜର ଦୁଇ ବଡ଼ ନେତାଙ୍କୁ ନିର୍ବାଚନ ମୈଦାନକୁ ଓହ୍ଲାଇପାରେ।

ଉଲ୍ଲେଖଯୋଗ୍ୟ ଯେ ନିର୍ମଳା ସୀତାରମଣ ଓ ଏସ୍. ଜୟଶଙ୍କର ଉଭୟ ବିଜେପିର ଶକ୍ତିଶାଳୀ ନେତାରୂପେ ଗଣ୍ୟ ହୁଅନ୍ତି। ଉଭୟ ବର୍ତ୍ତମାନ କର୍ଣ୍ଣାଟକ ଓ ଗୁଜରାଟରୁ ରାଜ୍ୟସଭା ସଦସ୍ୟ ଅଛନ୍ତି। ତେବେ ସବୁଠୁ ଯାହା ଖାସ କଥା ତାହା ହେଉଛି ଉଭୟ ନେତା ଏ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ନିର୍ବାଚନ ରାଜନୀତି କରି ନାହାନ୍ତି। ଏଥିରେ ବିଜେପି ପ୍ରଥମ ଥର ସେମାନଙ୍କୁ ନିର୍ବାଚନ ରଣାଙ୍ଗନରେ ଅବତରଣ କରିବାକୁ ଯାଉଥିବା ବେଳେ ସେମାନଙ୍କୁ ଭୋଟ ପାଇଁ ଜନତାଙ୍କ ପାଖକୁ ଯିବାକୁ ପଡିବ।  

ଉଲ୍ଲେଖଯୋଗ୍ୟ ଯେ ନିର୍ମଳା ସୀତାରମଣ ୨୦୦୮ ମସିହାରେ ବିଜେପିରେ ଯୋଗ ଦେଇଥିଲେ। ଅର୍ଥମନ୍ତ୍ରାଳୟ ଦାୟିତ୍ୱ ଗ୍ରହଣ ପୂର୍ବରୁ ସେ ୨୦୧୭-୨୦୧୯ ପର୍ଯ୍ୟନ୍ତ ଦେଶର ପ୍ରତିରକ୍ଷା ମନ୍ତ୍ରାଳୟ ଦାୟିତ୍ୱରେ ଥିଲେ। ପ୍ରତିରକ୍ଷା ମନ୍ତ୍ରୀ ହେବାରେ ସୀତାରମଣ ଦେଶର ଦ୍ୱିତୀୟ ମହିଳା ଥିଲେ। ସେହିପରି ଏସ.ଜୟଶଙ୍କରଙ୍କୁ ୨୦୧୫ ମସିହାରେ ବୈଦେଶିକ ଶଚିବ ନିଯୁକ୍ତ କରାଯାଇଥିଲା। ସେ ରାଜନୀତିକୁ ଆସିବା ପୂର୍ବରୁ ଡିପ୍ଲୋମାଟ ଥିଲେ। ୨୦୧୯ରେ ତାଙ୍କୁ ବୈଦେଶିକ ମନ୍ତ୍ରାଳୟ ଦାୟିତ୍ୱ ଅର୍ପଣ କରାଯାଇଥିଲା। ତେବେ ନିର୍ବାଚନ ରାଜନୀତିରେ ଏସ. ଜୟଶଙ୍କର ମଧ୍ୟ ନିର୍ମଳାଙ୍କ ଭଳି ନୂଆ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.