ନେପାଳରେ ହିଂସାତ୍ମକ ବିକ୍ଷୋଭ, ରାଜା ଜ୍ଞାନେନ୍ଦ୍ରଙ୍କୁ କ୍ଷମତା ହସ୍ତାନ୍ତର ଦାବି

Published By : Prameya-News7 Bureau | March 29, 2025 IST

ନୂଆଦିଲ୍ଲୀ ୨୯/୦୩: ନେପାଳରେ ରାଜତନ୍ତ୍ର ଦାବିରେ ଶୁକ୍ରବାର ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ନେପାଳକୁ ହିନ୍ଦୁ ରାଷ୍ଟ୍ର ଘୋଷଣା ଦାବି କରୁଥିବା ବିକ୍ଷୋଭକାରୀ କାଠମାଣ୍ଡୁର ତିନକୁନେର ଏକ କୋଠାରେ ଭଙ୍ଗାରୁଜା କରିବା ସହ ସେଠାରେ ନିଆଁ ଲଗାଇଦେଇଛନ୍ତି । ଏଥିସହ ଏକ ଟିଭି ଷ୍ଟେସନ ଓ ଏକାଧିକ ଯାନବାହନ ବି ଜାଳି ଦେଇଛନ୍ତି । ପୁଲିସ ଉପରେ ପଥର ଫିଙ୍ଗିଛନ୍ତି । ଜବାବରେ ପୁଲିସ ବିକ୍ଷୋଭକାରୀଙ୍କ ଉପରେ ରବର ଗୁଳି ଏବଂ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିଥିଲା । 

ଘଟଣାରେ ୧୨ରୁ ଅଧିକ ପୁଲିସ ଆହତ ହୋଇଛନ୍ତି । ସ୍ଥିତି ନିୟନ୍ତ୍ରଣ ପାଇଁ ସେନାକୁ ଡକାଇବାକୁ ପଡ଼ିଛି । ରାଜଧାନୀ କାଠମାଣ୍ଡୁରେ କର୍ଫ୍ୟୁ ଜାରି କରାଯାଇଛି । ପୁଲିସ ବହୁସଂଖ୍ୟାରେ ବିକ୍ଷୋଭକାରୀଙ୍କୁ ଉଠାଇନେଇଛି । ଆନ୍ଦୋଳନରେ ୪୦ରୁ ଅଧିକ ନେପାଳୀ ସଙ୍ଗଠନ ସାମିଲ ହୋଇଛନ୍ତି । ପ୍ରଦର୍ଶନକାରୀମାନେ ‘ରାଜା ଆସନ୍ତୁ, ଦେଶ ବଞ୍ଚାନ୍ତୁ’, ‘ଭ୍ରଷ୍ଟ ସରକାର ମୁର୍ଦ୍ଦାବାଦ’, ‘ରାଜତନ୍ତ୍ର ଫେରୁ’ ଆଦି ନାରା ଦେଇଛନ୍ତି । ସେମାନେ ସରକାରଙ୍କୁ ଏଥିପାଇଁ ଏକ ସପ୍ତାହ ସମୟ ଦେଇଛନ୍ତି । 

ଦାବି ପୂରଣ ନ ହେଲେ ବିକ୍ଷୋଭ ଆହୁରି ଉଗ୍ର ହେବ ବୋଲି ଚେତାବନୀ ଦେଇଛନ୍ତି । ନେପାଳରେ ୨୦୦୮ରେ ସଂସଦ ଦ୍ୱାରା ରାଜତନ୍ତ୍ରକୁ ଶେଷ  କରାଯାଇ ଏହାକୁ ଏକ ଧର୍ମନିରନେକ୍ଷ, ସଂଘୀୟ, ଗଣତାନ୍ତ୍ରିକ ଦେଶ ଘୋଷଣା କରାଯାଇଥିଲା । କିନ୍ତୁ ନେପାଳର ପୂର୍ବତନ ରାଜା ଜ୍ଞାନେନ୍ଦ୍ର ଶାହ ଫେବ୍ରୁଆରୀ ୧୯ରେ ପ୍ରଜାତନ୍ତ୍ର ଦିବସ ଅବସରରେ ଲୋକଙ୍କୁ ସମର୍ଥନ ମାଗିଥିଲେ । ଏହା ପରେ ହିଁ ଦେଶରେ ‘ରାଜାଙ୍କୁ ଆଣ, ଦେଶ ବଞ୍ଚାଅ’ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚାଲିଥିଲା । 

ରାଜନୈତିକ ବିଶେଷଜ୍ଞଙ୍କ ମୁତାବକ, ନେପାଳରେ ରାଜତନ୍ତ୍ର ଫେରାଇ ଆଣିବା ଦାବି ପଛର ମୁଖ୍ୟ କାରଣ ଦୁର୍ନୀତି ଏବଂ ଆର୍ôଥକ ସଙ୍କଟ । ଏଥିଯୋଗୁ ଦେଶବାସୀଙ୍କ ମଧ୍ୟରେ ନିରାଶା ବଢ଼ୁଛି । ୨୦୦୮ ପରେ ୧୩ ସରକାର ବଦଳିଥିଲେ ବି ଦେଶରେ ରଜନୈତିକ ଅସ୍ଥିରତା ଜାରି ରହିଛି । ଅନ୍ୟପକ୍ଷରେ ୨୦୦୧ ଜୁନ୍‌ ୧ରେ ହୋଇଥିବା ନାରାୟଣହିତି ହତ୍ୟାକାଣ୍ଡରେ ନିଜ ପରିବାର ସଦସ୍ୟଙ୍କୁ ହତ୍ୟା କରିଥିବା ଅଭିଯୋଗ ରାଜା ଜ୍ଞାନେନ୍ଦ୍ରଙ୍କ ଶାହଙ୍କ ବିରୋଧରେ ରହିଛି । 

ଏହି ଘଟଣାରେ ରାଜା ବୀରେନ୍ଦ୍ର(ଜ୍ଞାନେନ୍ଦ୍ରଙ୍କ ଭାଇ), ରାଣୀ ଐଶ୍ୱର୍ଯ୍ୟାଙ୍କ ସମେତ ରାଜପରିବାରର ୯ ଲୋକଙ୍କ ମୃତ୍ୟୁ ହୋଇଥିଲା । ଅନେକ ଏହି ହତ୍ୟାକାଣ୍ଡ ପାଇଁ ଯୁବରାଜ ଦୀପେନ୍ଦ୍ରଙ୍କୁ ଦାୟୀ କରିଥିଲେ ହେଁ ଜ୍ଞାନେନ୍ଦ୍ର କ୍ଷମତା ହଡ଼ପ କରିବାକୁ ନିଜ ପରିବାର ଲୋକଙ୍କ ହତ୍ୟାର 

ଷଡ଼ଯନ୍ତ୍ର କରିଥିଲେ ବୋଲି ମଧ୍ୟ କୁହାଯାଇଥିଲା । ତେବେ ଏହି ରହସ୍ୟପୂର୍ଣ୍ଣ ହତ୍ୟାକାଣ୍ଡ ଏବେ ବି ବିବାଦୀୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.