ପୁଣେ: ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମର(ଏମ୍ସିଆର୍ଟିସି) ଏକ ବସ୍ରେ ୨୬ ବର୍ଷୀୟ ମହିଳାଙ୍କ ଦୁଷ୍କର୍ମ କରାଯାଇଛି। ଘଟଣା ପରେ ଅଭିଯୁକ୍ତ ଫେରାର ହୋଯାଇଥିବା ବେଳେ ତାକୁ ଧରିବାକୁ ପୁଲିସ ଉଦ୍ୟମ ଆରମ୍ଭ କରିଛି। ସୂଚନା ଅନୁସାରେ ପୁଣେର ସ୍ୱର୍ଗେଟ୍ ବସ୍ ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଏକ ବସ୍ ଭିତରେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଦତ୍ତାତ୍ରେୟ ଗାଡେ ବୋଲି ଚିହ୍ନଟ କରାଯାଇଥିବା ବେଳେ ସେ ଫେରାର ଅଛି।
ପୁଲିସ ସୂଚନା ଅନୁସାରେ ଦତ୍ତାତ୍ରେୟ ବିରୋଧରେ ଏକାଧିକ ଅପରାଧ ରହିଚି। ଛିନ୍ତାଇ ଲୁଟ୍ ତରାଜ ଆଦି ମାମଲା ତା ବିରୋଧରେ ରହିଛି।
ଖବର ଅନୁସାରେ ମଙ୍ଗଳବାର ଭୋର ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା। ଜଣେ ମହିଳା ପାଇଥନା ଯିବା ପାଇଁ ପ୍ଲାଟ୍ଫର୍ମରେ ବସ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ଦତ୍ତାତ୍ରେୟ ନିଜକୁ ବସ୍ କଣ୍ଡକ୍ଟର କହି ତାଙ୍କ ବସ୍ ଅନ୍ୟ ଏକ ପ୍ଲାଟଫର୍ମରେ ଲାଗିଛି ବୋଲି କହି ଡାକି ନେଇଥିଲା। ମହିଳା ଜଣଙ୍କ ତାଙ୍କ କଥାରେ ବିଶ୍ୱାସ କରି ଏମ୍ସିଆର୍ଟିସିର ବିଶାଳ ପ୍ଲାଟ୍ଫର୍ମରେ ଏକାକୀ ଛିଡ଼ା ହୋଇଥିବା ଏକ ବସ୍ ଭିତରେ ବସିଯିବା ପରେ ଅଭିଯୁକ୍ତ ଜଣଙ୍କ ତାଙ୍କୁ ଦୁଷ୍କର୍ମ କରିଥିଲା। ସେତେବେଳେ ଭୋର ୫.୩୦ ହୋଇଥିବା ବେଳେ ଦୁଷ୍କର୍ମ କରିବା ପରେ ବ୍ୟକ୍ତି ଫେରାର୍ ହୋଇଯାଇଛି।
ପୁଲିସ ସିସିଟିଭି ଫୁଟେଜ୍ ମାଧ୍ୟମରେ ଅଭିଯୁକ୍ତକୁ ଚିହ୍ନଟ କରିଛି। ତାକୁ ଧରିବାକୁ ଏକାଧିକ ପୋଲିସ ଟିମ ନିୟୋଜିତ କରାଯାଇଥିବା ସ୍ୱର୍ଗେଟ୍ ପୋଲିସ ଷ୍ଟେସନର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଘଟଣା ପରେ, ସ୍ୱର୍ଗେଟ୍ ବସ୍ ଡିପୋରେ ସୁରକ୍ଷା ତ୍ରୁଟି ନେଇ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପରିବହନ ମନ୍ତ୍ରୀ ପ୍ରତାପ ସରନାୟକ ବସ୍ ଷ୍ଟାଣ୍ଡରେ ନିୟୋଜିତ ୨୩ ଜଣ ସୁରକ୍ଷା କର୍ମୀଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ, ନୂଆ ସୁରକ୍ଷା କର୍ମୀଙ୍କୁ ଗୁରୁବାରଠାରୁ ଦାୟିତ୍ୱ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପଢନ୍ତୁ- ନୀତୀଶଙ୍କ କ୍ୟାବିନେଟ ବିସ୍ତାର: ବଢ଼ିଲା ବିଜେପି ମନ୍ତ୍ରୀଙ୍କ ସଂଖ୍ୟା, ୭ ବିଧାୟକ ଶପଥ ନେଲେ
ସ୍ୱର୍ଗେଟ୍ ଡିପୋ ମ୍ୟାନେଜର ଏବଂ ଟ୍ରାଫିକ୍ ନିୟନ୍ତ୍ରକଙ୍କ ବିରୁଦ୍ଧରେ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି। ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପରିବହନ କମିଶନରଙ୍କୁ ଏକ ସପ୍ତାହ ମଧ୍ୟରେ ପ୍ରଦାନ କରାଯିବ, ଯାହା ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିର୍ଣ୍ଣୟ କରାଯିବ ବୋଲି ସୂଚନା ମିଳିଛି।
ଅନ୍ୟପଟେ ଘଟଣାରେ ଉଦ୍ଧବ ଶିବସେନାର କର୍ମୀମାନେ ସ୍ୱରଗେଟ୍ ବସ୍ ଷ୍ଟାଣ୍ଡର ସିକ୍ୟୁରିଟି କେବିନ ଭଙ୍ଗାରୁଜା କରିଛନ୍ତି। ସିକ୍ୟୁରିଟି ଅଫିସ ଭିତରେ ଥିବା ଫର୍ଣ୍ଣିଚର ଓ ଆସବାବପତ୍ର ନଷ୍ଟ କରିଦେଇଛନ୍ତି। ଅବହେଳା ଯୋଗୁ ଏଭଳି ଘଟଣା ଘଟିଲା ବୋଲି ଉଦ୍ଧବ ସେନା ଦାବି କରିଛି। ଅନ୍ୟପଟେ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର। ଏକ ସଭ୍ୟ ସମାଜର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ଏହା ଅତ୍ୟନ୍ତ ଲଜ୍ଜାଜନକ, ଯନ୍ତ୍ରଣାଦାୟକ ଏବଂ କ୍ରୋଧସୃଷ୍ଟିକାରୀ ଘଟଣା ବୋଲି ସେ କହିଛନ୍ତି। ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଅଜିତ ପାୱାର କହିଛନ୍ତି।