ବ୍ରହ୍ମଗିରି ୧୩/୦୧: ଆଜି ପବିତ୍ର ପୌଷ ପୂର୍ଣ୍ଣିମା । ଏହି ଅବସରରେ ମହାପ୍ରଭୁ ଶ୍ରୀଅଲାରନାଥଙ୍କର ପୁଷ୍ୟାଭିଷେକ ହେବ। ୧୦୮ କଳସ ପବିତ୍ର ଜଳରେ କରିବେ ମହାସ୍ନାନ ଏବଂ ରାଜାରାଜେଶ୍ୱର ବେଶରେ ଦେବେ ଦର୍ଶନ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ରବିବାର ସେବକଙ୍କ ଦ୍ଵାରା ମହୋଦଧି, ଅର୍ଜୁନସର, ଭାର୍ଗବୀ ନଦୀର ତ୍ରିବେଣୀ ଘାଟରୁ ଜଳ ସଂଗ୍ରହ କରାଯାଇଛି।
ଘଣ୍ଟଘଣ୍ଟା ଖୋଳ କୀର୍ତ୍ତନ ମାଧ୍ୟମରେ ପଣ୍ଡା ସେବକ, ପତ୍ରି ସେବକ ଓ ସୁଆର ସେବକଙ୍କ ଦ୍ୱାରା ସଂଗୃହୀତ ହୋଇଥିବା ଜଳରେ ଚୁଆ, ଚନ୍ଦନ, ଗୁଡ, କସ୍ତୁରୀ,କର୍ପୁର, ଶୁଦ୍ଧ ଘିଅ ସହିତ ମିଶ୍ରିତ ମନ୍ତ୍ରପୁତ କରାଯାଇ ୧୦୮ କଳସ ଜଳ ଗମ୍ଭୀରା ଭିତରେ ରଖାଯାଇଛି। ଅପରାହ୍ନରେ ମଧ୍ୟାହ୍ନ ଧୂପ ପରେ ଚୈତନ୍ୟ ଚକଡାରେ ମନ୍ଦିର ପୁରୋହିତଙ୍କ ଦ୍ୱାରା ହୋମନୀତି ବଢିବା ପରେ ଅଭିଷେକ କାର୍ଯ୍ୟ ଆରମ୍ଭ ହେବ।
୧୦୮ କଳସ ମନ୍ତ୍ରପୁତ ପଞ୍ଚତୀର୍ଥ ଜଳରେ ସେବାୟତମାନେ ରତ୍ନ ସିଂହାସନ ଉପରେ ସ୍ନାନ କରାଇବା ସହିତ ଅଭିଷେକ କରାଇବେ। ପରେ ଶ୍ରୀଜୀଉ ରାଜା ରାଜେଶ୍ୱର ବେଶରେ ଦର୍ଶନ ଦେବେ।