ନୂଆଦିଲ୍ଲୀ: ୟୁକ୍ରେନ ସହ ସଂଘର୍ଷର ବିରାମ ପାଇଁ ଆମେରିକାର ୩୦ ଦିନିଆ ଅସ୍ତ୍ର ବିରତୀ ଉଲ୍ଲଂଘନ ପ୍ରସ୍ତାବରେ ରାଜି ହେଲା ଋଷ। ଦୁଇ ଦେଶ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷର ସମାଧାନ ପାଇଁ ରାଷ୍ଟ୍ରପତି ପୁଟିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବି ଧନ୍ୟବାଦ ଜ୍ଞାପନ କରିଛନ୍ତି।
ଆମେରିକାର ପ୍ରସ୍ତାବରେ ପ୍ରଥମ ପ୍ରତିକ୍ରିୟା ଦେଇ ପୁଟିନ ସେହି ସମସ୍ତ ବିଶ୍ୱ ନେତାଙ୍କୁ ଧନ୍ୟବାଦ ଦେଇଛନ୍ତି ଯେଉଁମାନେ ଶାନ୍ତି ପ୍ରତିଷ୍ଠା ଦିଗରେ କାର୍ଯ୍ୟରତ ଥିଲେ। ଗୁରୁବାର ବେଲାରୁସ ରାଷ୍ଟ୍ରପତି ଆଲେକ୍ସଜାଣ୍ଡର ଲୁକାଶେଙ୍କୋ ସହିତ ସାମ୍ବାଦିକ ସମ୍ମିଳନୀ କରି ପୁଟିନ ବିଶ୍ୱନେତାଙ୍କୁ ଧନ୍ୟବାଦ ଦେଇଛନ୍ତି।
ପଢନ୍ତୁ- ଯୁଦ୍ଧବିରତି ଚାହୁଁଚାହାନ୍ତି କିନ୍ତୁ ଟ୍ରମ୍ପଙ୍କୁ କହିବାକୁ ଭୟ କରୁଛନ୍ତି ପୁଟିନ୍: ଜେଲେନସ୍କି
ସେ କହିଛନ୍ତି “ଯୁଦ୍ଧବିରତି ପାଇଁ ୟୁକ୍ରେନର ପ୍ରସ୍ତୁତି ବିଷୟକୁ ମୁଁ କେମିତି ଦେଖୁଛି ସେ କଥା ଆପଣଙ୍କୁ କହିବି ନିଶ୍ଚୟ। ହେଲେ ମୁଁ ୟୁକ୍ରେନ ସମାଧାନକୁ ଗୁରୁତ୍ୱ ଦେଇଥିବା ଆମେରିକାର ରାଷ୍ଟ୍ରପତି ଶ୍ରୀଯୁକ୍ତ ଟ୍ରମ୍ପଙ୍କୁ ଧନ୍ୟବାଦ ଦେଇ ଆରମ୍ଭ କରିବାକୁ ଚାହେଁ। କାରଣ ଆମର ନିଜସ୍ୱ ଘରୋଇ ବ୍ୟାପାର ପ୍ରତି ଧ୍ୟାନ ଦେବା ପାଇଁ ଆମର ଯଥେଷ୍ଟ ସମୟ ଅଛି। ହେଲେ ଅନେକ ରାଷ୍ଟ୍ରର ନେତା, ସେମାନଙ୍କ ମଧ୍ୟରେ ଚୀନ୍ ରାଷ୍ଟ୍ରପତି, ଭାରତର ପ୍ରଧାନମନ୍ତ୍ରୀ, ବ୍ରାଜିଲ୍ ଏବଂ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ଏହି ପ୍ରସଙ୍ଗକୁ ସମାଧାନ କରିବା ପାଇଁ ସେମାନଙ୍କର ପ୍ରଚୁର ସମୟ ଦେଇଛନ୍ତି। ଏଥିପାଇଁ ଆମେ ସେମାନଙ୍କ ସମସ୍ତଙ୍କ ପାଖରେ କୃତଜ୍ଞ। କାରଣ ଏହି କାର୍ଯ୍ୟ ଏକ ମହାନ ମିଶନ ଥିଲା ଏହି ମିଶନ ଶତ୍ରୁତା ଏବଂ ଜୀବନହାନି ବିନାଶକାରୀ ଧାରା ରୋକିବା ପାଇଁ ଉଦ୍ଦିଷ୍ଟ ଥିଲା।”
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ବେଳେ ମୋଦୀ ଋଷ-ୟୁକ୍ରେନ୍ ଯୁଦ୍ଧ ନେଇ ଭାରତ ପକ୍ଷ ଖୋଲାଖୋଲି ରଖିଥିଲେ। ଭାରତ ନିରବ ନୁହେଁ ଭାରତ ଶାନ୍ତି ପକ୍ଷରେ ବୋଲି ମୋଦୀ କହିଥିଲେ। ଏବଂ ଯୁଦ୍ଧ ରୋକିବାକୁ ଟ୍ରମ୍ପଙ୍କ ପ୍ରୟାଶକୁ ବି ସେ ସମର୍ଥନ କରିଥିଲେ। ତେବେ ୨୦୨୨ରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗିବା ପରଠାରୁ ମୋଦୀ ଉଭୟ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଓ ପୁଟିନଙ୍କ ସହିତ ଆଲୋଚନା କରିସାରିଛନ୍ତି। ଏବଂ ସବୁଥର ଶାନ୍ତି ପ୍ରତିଷ୍ଠା ଦିଗରେ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି।
ପଢନ୍ତୁ- G-୭ ଦେଶଙ୍କୁ ଚେତାବନୀ ଦେଲା କାନାଡା, ମନ୍ତ୍ରୀ କହିଲେ- ଟ୍ରମ୍ପଙ୍କ ଶାସନରେ କେହି ନୁହନ୍ତି ସୁରକ୍ଷିତ
ସୂଚନା ଥାଉକି ପୁଟିନ ଆମେରିକାର ଯୁଦ୍ଧବିରାମ ପ୍ରସ୍ତାବରେ ରାଜି ହୋଇଛନ୍ତି। ତେବେ ଅନେକ ସ୍ପଷ୍ଟୀକରଣ ଏବଂ ସର୍ତ୍ତ ରଖିଛନ୍ତି। ଏବଂ ଜୋର ଦେଇଛନ୍ତି ଯେ ଯେକୌଣସି ଚୁକ୍ତିନାମା ସଂଘର୍ଷର ମୂଳ କାରଣଗୁଡ଼ିକୁ ସମାଧାନ କରିବା ଆବଶ୍ୟକ। ଏବଂ ଆମେରିକାର ଚାପରେ ୟୁକ୍ରେନ୍ ଶାନ୍ତି ପାଇଁ ରାଜି ହୋଇଛି ବୋଲି ପୁଟିନ କହିଛନ୍ତି।
ସେପଟେ ପୁଟିନଙ୍କ ମନ୍ତବ୍ୟ ପରେ ଡୋନାଲ୍ଟ ଟ୍ରମ୍ପ ଖୁସି ବ୍ୟକ୍ତ କରିଛନ୍ତି। ଋଷ ଠିକ୍ କାମ କରିବ ବୋଲି ସେ ଆଶା ରଖିଥିବା ଟ୍ରମ୍ପ କହିଛନ୍ତି। ସେପେଟେ ଜେଲେନ୍ସ୍କି କିନ୍ତୁ ପୁଟିନଙ୍କୁ ଟାର୍ଗେଟ୍ କରି କହିଛନ୍ତି ପୁଟିନଙ୍କ ଇଚ୍ଛା ଏହି ପ୍ରସ୍ତାବକୁ ଖାରଜ କରିବା, କାଲି ସେ ଟ୍ରମ୍ପଙ୍କ ଭୟରେ କିଛି କହିପାରୁ ନାହାନ୍ତି।