ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଟ୍ରମ କେତେବେଳେ ଆକ୍ରାମକ ତ କେତେବେଳ ନରମ ମନୋଭାବ ଦେଖାଇ ୟୁକ୍ରେନ ଯୁଦ୍ଧକୁ ଶେଷ କରିବା ଦିଗରେ ଆଗକୁ ବଢୁଛନ୍ତି । ଗତ ଗୁରୁବାର ପ୍ରଥମେ ୟୁକ୍ରେନ ଓ ପରେ ରୁଷ ଯୁଦ୍ଧବିରତି ବୁଝାମଣାକୁ ସ୍ୱୀକାର କରିବା କଥା କହିଥିଲେ । ତେବେ ଏଥିପାଇଁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଓ ରୁଷ ରାଷ୍ଟ୍ରପତି ପୁଟିନ ନିଜ-ନିଜର ସର୍ତ୍ତ ସାମନାରେ ରଖିବାରେ ଲାଗିଛନ୍ତି । ଗୁରୁବାର ପୁଟିନ କହିଛନ୍ତି ଯେ ଏହି ବୁଝାମଣାର ଏପରି ଅନେକ ପ୍ରସଙ୍ଗ ରହିଛି, ଯାହା ଉପରେ ବିଚାର କରାଯିବା ଏବେ ବାକି ରହିଛି । ସ୍ପଷ୍ଟ ଅଭିମୁଖ୍ୟ ନଦେଖାଇବା କାରଣରୁ ପୁଟିନଙ୍କୁ ଏବେ କଡ଼ା ସମାଲୋଚନା କରିଛନ୍ତି ରାଷ୍ଟ୍ରପତି ଜେଲେନସ୍କି ।
ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ଯେ ରୁଷ ଏହି ମାମଲାରେ ଚତୁରତା ଦେଖାଉଛି । ଜେଲେନସ୍କି ଅଭିଯୋଗ କରିଥିଲେ ଯେ ପୁଟିନ ବାସ୍ତାବରେ ଯୁଦ୍ଧବିରତି ଚାହୁଁନାହାନ୍ତି, କିନ୍ତୁ ଆମେରିକା ରାଷ୍ଟ୍ରପତିଙ୍କୁ ଏହା କହିବାକୁ ସାହାସ ଦେଖାଉନାହାନ୍ତି । ଜେଲେନସ୍କି କହିଛନ୍ତି ଯେ ପୁଟିନ ମନା କରିବା ରଣନୀତି ଉପରେ କାମ କରୁଛନ୍ତି ଓ ଟ୍ରମ୍ପଙ୍କୁ ସିଧାସଳଖ ଏହା କହିବାକୁ ଭୟ କରୁଛନ୍ତି ।
ଏକ ଭିଡିଓ ବାର୍ତ୍ତାରେ ଜେଲେନସ୍କି ଆମେରିକା ଦ୍ୱାରା ପ୍ରସ୍ତାବିତ ୩୦ ଦିନିଆ ଯୁଦ୍ଧବିରତି ଉପରେ ପୁଟିନଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, 'ଆମେ ଏବେ ଏବେ ଯୁଦ୍ଧବିରତି ବିଚାରର ଜବାବରେ ପୁଟିନଙ୍କ ପୂର୍ବାନୁମାନିତ, ଅତ୍ୟନ୍ତ ଚତୁର ବୟାନ ଶୁଣିଲୁ । ପୁଟିନ ଏହି ବୁଝାମଣକୁ ମନା କରିବା ରଣନୀତିରେ ଅଛନ୍ତି । କିନ୍ତୁ ସେ ଟ୍ରମ୍ପଙ୍କୁ ଏପରି କରିବାକୁ ସେ ଭୟ କରୁଛନ୍ତି । ଆମେ ଏପରି କୌଣସି ସର୍ତ୍ତ ରଖିନୁ ଯାହା ଏହି କାର୍ଯ୍ୟକୁ ଜଟିଳ କରିବ । ଏହା ରୁଷ କରୁଛି । ଏହି ଯୁଦ୍ଧ ଏବେ ଶେଷ ନହେଉ ବୋଲି ରୁଷ ଚାହୁଁଛି ।
ଏହା ପୂର୍ବରୁ ପୁଟିନ୍ କହିଥିଲେ ଯେ ରୁଷ ଯୁଦ୍ଧବିରତି ପାଇଁ ସହମତ ଅଛି କିନ୍ତୁ ଅନେକ ପ୍ରସଙ୍ଗ ରହିଛି, ଯାହା ଉପରେ ଚର୍ଚ୍ଚା କରାଯିବାର ଆବଶ୍ୟକତା ରହିଛି । ପୁଟିନ୍ କହିଥିଲେ, 'ଆମେ ନିଶ୍ଚିତ ରୂପେ ଏହି ବିଚାରର ସମର୍ଥନ କରୁଛୁ, କିନ୍ତୁ ଏଥିରେ କିଛି ପ୍ରସଙ୍ଗ ଏପରି ରହିଛି ଯାହା ଉପରେ ଆଲୋଚନା କରାଯିବା ଦରକାର । ଆମକୁ ଆମ ଆମେରିକୀୟ ସହଯୋଗୀ ଓ ସହଭାଗୀଙ୍କ ସହ ଏହି କାମ କରିବାକୁ ହେବ ।'