ନୂଆଦିଲ୍ଲୀ ୧୧।୧୧: ଭାରତରୁ ପ୍ରଚୁର ପରିମାଣରେ ଅଣ୍ଡା ବିଦେଶ ରପ୍ତାନୀ ହୋଇଥାଏ। କିନ୍ତୁ ଅଣ୍ଡା ରପ୍ତାନୀ କରୁଥିବା ଲୋକଙ୍କ ପାଇଁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଭାରତୀୟ ଅଣ୍ଡାର ବଡ ଆମଦାନୀକାରୀ କତାର ଏବେ ବ୍ୟବସାୟୀଙ୍କ ଲାଗି ଏକ ସର୍ତ୍ତ ଲଗାଇ ଦେଇଛି। ଯେଉଁଥି ପାଇଁ ଭାରତରୁ କତାରକୁ ହେଉଥିବା ଅଣ୍ଡା ରପ୍ତାନୀ ପ୍ରଭାବିତ ହେବ। ଖବର ଅନୁସାରେ କତାର ସରକାର ଏବେ ଭାରତରୁ କେବଳ ଡବଲ ଏ ଗ୍ରେଡ ଓ ଏ ଗ୍ରେଡ ଅଣ୍ଡା ହିଁ ଆମଦାନୀ କରିବେ।
୭୦ ଗ୍ରାମରୁ ଅଧିକ ଓଜନର ଅଣ୍ଡାକୁ ଡବଲ ଏ ଗ୍ରେଡ ମନେ କରାଯାଏ। ସେହିପରି ୬୦ରୁ ୬୯ ଗ୍ରାମର ଅଣ୍ଡାକୁ ଏ ଗ୍ରେଡ ମନେ କରାଯାଏ। ଏ ପର୍ଯ୍ୟନ୍ତ ଅଣ୍ଡା ରପ୍ତାନୀ ନିମନ୍ତେ କୌଣସି ସର୍ତ୍ତ ନଥିଲା। ଏଣୁ କତାର ସରକାରଙ୍କ ସର୍ତ୍ତ ଏବେ ପୋଲଟ୍ରି ବ୍ୟବସାୟୀଙ୍କ ନିଦ ହଜେଇ ଦେଇଛି। କାରଣ ସେମାନଙ୍କୁ ଏବେ ରପ୍ତାନୀ ନିମନ୍ତେ ଅଣ୍ଡାକୁ ଗ୍ରେଡିଂ କରିବାକୁ ପଡିବ। ଉଲ୍ଲେଖଯୋଗ୍ୟ ଯେ ପୋଲଟ୍ରି ସେକ୍ଟରରୁ କେବଳ ଅଣ୍ଡ ହିଁ ଭାରତରୁ ରପ୍ତାନୀ ହେଉଥିଲା। ଏବେ ନୂଆ ସର୍ତ୍ତ ଏହି ରପ୍ତାନୀକୁ ପ୍ରଭାବିତ କରିବ।
କତାର ତାମିଲନାଡୁ ନମକ୍କଲରୁ ଅଣ୍ଡା କିଣିଥାଏ। ପ୍ରତି ମାସରେ କତାରକୁ ୧୦ଟି କଣ୍ଟେନର ଅଣ୍ଡାଯାଏ। ଏଥିରେ କତାର ଏବେ ଅଣ୍ଡାକୁ ନେଇ ନୂଆ ସମସ୍ୟା ସୃଷ୍ଟି କରିଛି। ଏବେ କତାର ସରକାର ଅଣ୍ଡାର ଗ୍ରେଡିଂ କରିଥିବା ବେଳେ ଭାରତୀୟ ଅଣ୍ଡା ଯଦି ଏହି ଗ୍ରେଡର ହେବ ତେବେ କତାର ଆମଦାନୀ କରିବ। ତାମିଲନାଡୁର ନମକ୍କଲ ଅଣ୍ଡାର ସବୁଠୁ ବଡ ମଣ୍ଡି। କତାର ସରକାରଙ୍କ ନିଷ୍ପତ୍ତି ଜଣା ପଡିବା ପରେ ଅଣ୍ଡା ବ୍ୟବସାୟୀ ଏବେ ଚିନ୍ତାରେ ପଡିଛନ୍ତି।
ଇଣ୍ଟରନ୍ୟାସନାଲ ଏଗ୍ କମିଶନ ଅଧ୍ୟକ୍ଷ ତଥା ଶ୍ରୀନିବାସ ଗ୍ରୁପର ଏମଡି ସୁରେଶ ଚିତୁରୀ କହିଛନ୍ତି ଯେ ଆମେ ଗତ ଅନେକ ସମୟରୁ ଏ ବାବଦେ ଭାରତ ସରକାରଙ୍କ ଧ୍ୟାନ ଆକର୍ଷଣ କରିଆସୁଛୁ। କାରଣ ଭାରତରୁ ରପ୍ତାନୀ ହେଉଥିବା ଅଣ୍ଡାର ମାନ ଅତ୍ୟନ୍ତ ଖରାପ, ଏପରିକି ପୋଚା ଅଣ୍ଡା ମଧ୍ୟ ସପ୍ଲାଇ କରିଦିଆଯାଉଥିଲା। ଅଣ୍ଡାର ଆକାର ଉପରେ ମଧ୍ୟ କେବେ ଧ୍ୟାନ ଦିଆ ଯାଉନଥିଲା। ଏଥିରେ କତାର ଯାହା କରିଛି ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ମାସକୁ ୪୦ରୁ ୫୦ ଲକ୍ଷ ଅଣ୍ଡା ଯୋଗାଣ କିଛି ବଡ଼ କଥା ନୁହେଁ , ତେବେ କଥା ହେଉଛି ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ପୋଲଟ୍ରି ନିଜର ନାମ ଖରାପ କରିଛି।