ବଡ଼ବିଲ ୫।୧୦: ଛାତ୍ରଛାତ୍ରୀଙ୍କ ମେଧାର ଉନ୍ନତି ତଥା ଗୁଣାତ୍ମକ ଶିକ୍ଷା ପାଇଁ ବିଭିନ୍ନ ସମୟରେ ପରୀକ୍ଷାମାନ କରାଯାଉଛି । ଏହିସବୁ ପରୀକ୍ଷା ଗୁଡିକ ସ୍ବଚ୍ଛ କରିବା ପାଇଁ ଯେତେ ବ୍ୟବସ୍ଥା କଲେ ମଧ୍ୟ ପ୍ରଶ୍ନପତ୍ର ଲିକ୍ ହେବା ଯେମିତି ଏକ ସାଧାରଣ ଘଟଣା ପାଲଟିଯାଇଛି । ୟୁଟ୍ୟୁବ ଓ ଟେଲିଗ୍ରାମ୍ ଭଳି ସାମାଜିକ ଗଣମାଧ୍ୟମରେ ଦଶମ ଶ୍ରେଣୀ ପରୀକ୍ଷାର ବିଭିନ୍ନ ବିଷୟର ପ୍ରଶ୍ନପତ୍ର ସହିତ ଉତ୍ତର ପରୀକ୍ଷା ପୂର୍ବ ଦିନଠାରୁ ଭାଇରାଲ ହେବାରେ ଲାଗିଛି ।
ରାଜ୍ୟରେ ଗତ ୪ ତାରିଖ ଠାରୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆରମ୍ଭ ହୋଇଥିବା ଦଶମ ଶ୍ରେଣୀର ଅର୍ଦ୍ଧ ବାର୍ଷିକ ବା ଷାଣ୍ମାସିକ ପରୀକ୍ଷାରେ ଏଭଳି ଘଟଣା ପଦାକୁ ଆସିଛି । ପରୀକ୍ଷା ପୂର୍ବ ଦିନ ରାତିରେ ହିଁ ସାମାଜିକ ଗଣମାଧ୍ୟମର ବିଭିନ୍ନ ଗ୍ରୁପ୍ରେ ପ୍ରଶ୍ନପତ୍ର ସହିତ ଉତ୍ତର ଘୁରି ବୁଲୁଛି । ବୁଧବାର ଦୁଇଟି ପରୀକ୍ଷା, ଇଂରାଜୀ ଏବଂ ସାହିତ୍ୟର ପ୍ରଶ୍ନୋତ୍ତର ପୂର୍ବ ଦିନ ସନ୍ଧ୍ୟାରେ ୟୁୟୁଟ୍ୟୁବ ଏବଂ ଟେଲିଗ୍ରାମରେ ପ୍ରଘଟ ହୋଇଥିଲା । ଗୁରୁବାର ହୋଇଥିବା ମ୍ୟାଥମେଟିକ୍ ପରୀକ୍ଷାର ଉତ୍ତର ମଧ୍ୟ ବୁଧବାର ସନ୍ଧ୍ୟାରେ ଭାଇରାଲ୍ ହୋଇଥିଲା । ଭାଇରାଲ୍ ହେଉଥିବା ସେହି ସବୁ ବିଷୟଗୁଡିକର ସମାନ ପ୍ରଶ୍ନ ଓ ଉତ୍ତର ପିଲାମାନେ ପାଇ ପରୀକ୍ଷା ଦେଉଥିବା ଜଣାପଡ଼ିଛି । ଏମିତିରେ ପରୀକ୍ଷାର ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରଶ୍ନପତ୍ର ସହିତ ଉତ୍ତର ଲିକ୍ ହେବା ଘଟଣାରେ ମେଧାବୀ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତ୍ରିଶକ୍ତି ଏଜୁକେସନ ନାମକ ୟୁଟ୍ୟୁବ ଚ୍ୟାନେଲରେ ପ୍ରତ୍ୟେକ ବିଷୟର ପ୍ରଶ୍ନପତ୍ର ସହିତ ଉତ୍ତର ଅପଲୋଡ୍ କରାଯାଉଛି । ଯାହାର ଲିଙ୍କ୍ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ସଠିକ୍ ଭାବରେ ସେହି ଏକା ପ୍ରଶ୍ନ ପରୀକ୍ଷାରେ ପଡ଼ୁଥିବା ଦେଖାଦେଇଛି ।
ସମ୍ପୃକ୍ତ ଚ୍ୟାନେଲଗୁଡିକ ପ୍ରଥମେ ପ୍ରଶ୍ନପତ୍ରକୁ ଅପଲୋଡ଼ କରୁଛନ୍ତି ଏବଂ ଅଧଘଣ୍ଟାରୁ ଘଣ୍ଟାଏ ମଧ୍ୟରେ ତା'ର ଉତ୍ତର ମଧ୍ୟ ଅପଲୋଡ଼ କରି ଦେଉଛନ୍ତି । ତେବେ ଏକ ଘଣ୍ଟା ପରେ ସେଗୁଡିକ ଡିଲିଟ୍ କରି ଦେଉଛନ୍ତି । ସେହିପରି ଟେଲିଗ୍ରାମରେ ମଧ୍ୟ ହଜାର ହଜାର ସବସ୍କ୍ରାଇବର ଏହି ପ୍ରଶ୍ନ ଓ ଉତ୍ତର ସହଜରେ ପାଇଯାଉଛନ୍ତି । ଏହିସବୁ ଘଟଣା ପଦାକୁ ଆସିବା ପରେ ଅଧିକାଂଶ ମେଧାବୀ ଛାତ୍ରଛାତ୍ରୀ ମାନସିକ ଚିନ୍ତାରେ ଚାପଗ୍ରସ୍ତ ରହିଥିବା ଦେଖାଯାଉଛି । ତେବେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ କେମିତି ହେଉଛି ତାହା ବର୍ତ୍ତମାନ ସମୟର ବଡ଼ ପ୍ରଶ୍ନ ।
You Can Read :
wp:embed {"url":"https://www.prameyanews7.com/odia-jawan-martyred-in-sikkim-flood/","type":"wp-embed","providerNameSlug":"prameya-news-7"} /wp:embed